ଐତିହ୍ୟସ୍ଥଳୀ ଓ ଦେବସ୍ଥଳୀ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା): ଓଡ଼ିଶାର ସାଂସ୍କୃତିକ ଗୌରବ ଓ ଭାଷାକୁ ସମ୍ମାନ ଜଣାଇବା ଲାଗି ଚଳିତ ବର୍ଷ ପାଳନ କରାଯାଉଥିବା ଓଡ଼ିଆ ପକ୍ଷର ଆୟୋଜନ ଅଧୀନରେ  ଷଷ୍ଠ ଦିବସରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ପର୍ଯ୍ୟଟନ ବିଭାଗ, ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ଓ ଗୃହ ଓ ନଗର ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ‘ଐତିହ୍ୟସ୍ଥଳୀ ଓ ଦେବସ୍ଥଳୀ ସ୍ୱଚ୍ଛତା ଅଭିଯାନ’ ଆୟୋଜିତ ହୋଇଯାଇଛି । ଓଡ଼ିଶାର ଐତିହାସିକ ଓ ଧାର୍ମିକ ସ୍ଥାନଗୁଡ଼ିକୁ ସ୍ୱଚ୍ଛ ଓ ପରିଷ୍କାର ରଖି ଏହାର ଗୌରବମୟ ଅତୀତକୁ ସଂରକ୍ଷଣ କରିବା ସହ ପର୍ଯ୍ୟଟକଙ୍କ ପାଇଁ ଏକ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବ୍ଲକ, ପୌରପାଳିକା ଏବଂ ପୌରପରିଷଦ ଅଧିନସ୍ଥ ମାନ୍ୟତାପ୍ରାପ୍ତ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଅବସ୍ଥିତ ପ୍ରସିଦ୍ଧ ଦେବାଳୟ ଓ ଐତିହ୍ୟସ୍ଥଳୀଗୁଡ଼ିକୁ ସାମିଲ କରାଯାଇଛି। ଏଥିରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ସ୍ଥାନୀୟ ଜନସାଧାରଣ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଯୁବଗୋଷ୍ଠୀ ମଧ୍ୟ ଉତ୍ସାହର ସହ ଅଂଶଗ୍ରହଣ କରିଛନ୍ତି। ଏହି ଅଭିଯାନ ଅଧୀନରେ ମନ୍ଦିର ପରିସର, ଐତିହ୍ୟସ୍ଥଳୀର ଆଖପାଖ ଅଞ୍ଚଳ ଏବଂ ସଂଲଗ୍ନ ଜଳାଶୟଗୁଡ଼ିକର ସଫେଇ କାର୍ଯ୍ୟ ସହ ପ୍ଲାଷ୍ଟିକ ବର୍ଜ୍ୟ ହଟାଇବା ଓ ସଚେତନତା ସୃଷ୍ଟି କରିବା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି। ଓଡ଼ିଆ ପକ୍ଷ ପାଳନର ଏହି ଅଂଶବିଶେଷ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ସାଂସ୍କୃତିକ ଓ ଧାର୍ମିକ ପରିଚୟକୁ ସୁରକ୍ଷିତ ରଖିବା ସହ ସ୍ଥାନୀୟ ଅଞ୍ଚଳର ପରିବେଶଗତ ସ୍ଥିତିକୁ ଉନ୍ନତ କରିବା ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ମଧ୍ୟ ଏହିପରି କାର୍ଯ୍ୟକ୍ରମ ଜାରି ରହି ଜିଲ୍ଲାର ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ