ମହେନ୍ଦ୍ରତନୟା ନଦୀ ଶୁଖିଲା, ପାରଳା ସହରରେ ଜଳ ସଙ୍କଟ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମ୍ୟୁନିସିପାଲିଟି ଅଞ୍ଚଳର ୧୬ଟି ୱାର୍ଡ ସମେତ ଆଖପାଖ ପଞ୍ଚାୟତକୁ ଜଳସଙ୍କଟ ଦେଖାଦେଇଛି। ଏହାର ମୁଖ୍ୟ କାରଣ ଏହି ଯେ, ମହେନ୍ଦ୍ରତନୟା ନଦୀର ଉପର ମୁଣ୍ଡରେ ଡିସେମ୍ବର ମାସ ଶେଷ ସପ୍ତାହଠାରୁ ଆନ୍ଧ୍ର ପ୍ରଶାସନ, ଆନ୍ଧ୍ରର ଚାଷୀ ଓ ଅଞ୍ଚଳବାସୀମାନେ ମହେନ୍ଦ୍ରତନୟାର ପ୍ରବାହିତ ଜଳକୁ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅସ୍ଥାୟୀ ବନ୍ଧ ଦ୍ୱାରା ଅଟକାଇଛନ୍ତି। ଏଥିସହ ବର୍ଷାର ଘୋର ଅଭାବ ଯୋଗୁଁ ବର୍ତ୍ତମାନ ମହେନ୍ଦ୍ରତନୟା ନଦୀ ସମ୍ପୂର୍ଣ ଭାବେ ଶୁଖିବାକୁ ବସିଲାଣି। ଯଦ୍ୱାରା ବର୍ତ୍ତମାନ ଗତ ୧ ସପ୍ତାହ ହେଲା ପାରଳାଖେମୁଣ୍ଡି ସହରରେ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହୋଇଛି। ଜନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବର୍ତ୍ତମାନ ଦିନେ ଛଡା ଦିନେ ପାଣି ଯୋଗାଇ ଦିଆଯାଉଛି। ଘଟଣା ନେଇ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ଜନ ସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ଶ୍ରୀ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଗତ କିଛି ଦିନ ଧରି ମହେନ୍ଦ୍ରତନୟା ନଦୀର ଜଳ ସ୍ତର ଶୁଖିଯାଇଛି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ନଦୀ ଶୁଷ୍କ ହୋଇପଡ଼ିଥିବା ଯୋଗୁଁ ପାରଳା ସହାରକୁ ପାଣି ଯୋଗାଇବାରେ ସମସ୍ୟା ଦେଖାଦେଇଛି. ଜେସିବି ମେସିନ ଦ୍ୱାରା ମହେନ୍ଦ୍ରତନୟା ନଦୀ ଖୋଳାଯାଇ କିଛି ପରିମାଣରେ ଜଳ ସଂଗ୍ରହ କରାଯାଉଛି। ଏଥିସହ ପାରଳା ସହାରକୁ ଜଳ ଯୋଗାଣ ପାଇଁ ରହିଥିବା ୧୬ ଗୋଟି ଡିପ ବୋରୱେଲ ଦ୍ୱାରା ମଧ୍ୟ ଜଳ ସଂଗ୍ରହ କରାଯାଇ ଏହାର ଉଚିତ ବିଶୋଧନ କରାଯିବା ପରେ ପାରଳା ସହାରକୁ ଜଳ ଯୋଗାଣ କରାଯାଉଛି। ବର୍ତ୍ତମାନ ପାରଳା ସହରରେ ୧୦ ହଜାରରୁ ଉର୍ଦ୍ଧ ଘରେ ଜନସ୍ୱାସ୍ଥ୍ୟ ବିଭାଗର ପାଇପ ସଂଯୋଗ ବ୍ୟବସ୍ଥା ରହିଛି। ଏଥିପୂର୍ବରୁ ପ୍ରତେକ ଦିନ ୮.୨୧ ମିଲିୟନ ଲିଟର ପାରଳା ସହରକୁ ଯୋଗାଣ କରାଯାଉଥିଲା। ବର୍ତ୍ତମାନ ନଦୀ ଶୁଖିଯାଇଥିବା ଯୋଗୁଁ ୭.୪ ମିଲିୟନ ଲିଟର ପାଣି ଯୋଗାଇ ଦିଆଯାଉଛି। ପାରଳା ସହରର କେତେକ ଅଞ୍ଚଳରେ ଦିନେ ଛଡା ଦିନେ ପାଣି ଯୋଗାଣ ଜାରି ରହିଥିବାବେଳେ ସହରର ଅନ୍ୟ କେତେକ ଅଞ୍ଚଳରେ ପୂର୍ବଭଳି ଦୈନିକ ଜଳ ଯୋଗାଣ କରାଯାଉଛି। ପାରଳା ସହରବାସୀଙ୍କୁ ଜଳ ଯୋଗାଣ ପାଇଁ ଜନ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିବା ସହ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ହେଲେ ଗଜପତି ଜିଲ୍ଲାରେ ବର୍ତ୍ତମାନ ଯଦି ଉଚିତ ବର୍ଷା ହୁଏ ତେବେ ମହେନ୍ଦ୍ରତନୟା ନଦୀରେ ଜଳ ସ୍ତର ବୃଦ୍ଧି ପାଇବ ଏବଂ ପାରଳା ସହରକୁ ଜଳ ଯୋଗାଣରେ କୌଣସି ସମସ୍ୟା ଦେଖାଦେବନାହିଁ। ବର୍ତ୍ତମାନ ପାରଳା ସହରରେ ଦେଖା ଦେଇଥିବା ଜଳ ସଙ୍କଟକୁ ଦୃଷ୍ଟିରେ ରଖି ସହରର ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ଯେ ପ୍ରତେକ ବର୍ଷ ଖରାଦିନେ ପୂର୍ବରୁ ମହେନ୍ଦ୍ରତନୟା ନଦୀର ଉପର ମୁଣ୍ଡରେ ଥିବା ଆନ୍ଧ୍ରର ଚାପରା ଓ ମେଳିଆପୁଟି ଠାରେ ଆନ୍ଧ୍ର ପ୍ରଶାସନ ଏବଂ ସେଠାକାର ଚାଷୀ ଓ ଅଞ୍ଚଳବାସୀ ଓଡିଶାର ମହେନ୍ଦ୍ରଗିରି ପର୍ବତରୁ ଯାତ ହୋଇଥିବା ମହେନ୍ଦ୍ରତନୟା ନଦୀର ପ୍ରବାହିତ ଜଳକୁ ଆନ୍ଧ୍ର ପ୍ରତେକ ବର୍ଷ ଜବରଦସ୍ତ ଅଟକାଇ ରଖୁଛି। ଯଦ୍ୱାରା ଆନ୍ଧ୍ରରେ ପାନୀୟ ଜଳ ଯୋଗାଣ ସହ ଖରାଟିଆ ବିଭିନ୍ନ ଫସଲ ଅତ୍ୟନ୍ତ ସୁବିଧାରେ ସ୍ୱାଭାବିକ ଭାବେ ହୋଇପାରୁଛି। ପ୍ରଶାସନ ଓ ସରକାର ଏ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କଲେ ମହେନ୍ଦ୍ରତନୟା ନଦୀର ତଳମୁଣ୍ଡରେ ପାରଳା ସହର ନିକଟରେ ନଦୀ ଶୁଷ୍କ ରହିବ ନାହିଁ। ଯଦ୍ୱାରା ପାରଳା ସହରରେ ଜଳ ସଙ୍କଟ ଦେଖାଦେବନାହିଁ। ତେଣୁ ପ୍ରଶାସନ ଓ ସରକାର ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ।