ବନବିଭାଗ ପକ୍ଷରୁ ରିପୋର୍ଟ ପ୍ରକାଶ: ଆସିକା ବନାଞ୍ଚଳରେ ଅଛନ୍ତି ୨୩୦୯ କୃଷ୍ଣସାର ମୃଗ

ଆସିକା, (ୱାଇଏନ୍‍ଏସ୍‍): ସାରା ବିଶ୍ୱର ବିରଳ ପ୍ରାଣୀ ମଧ୍ୟରେ କୃଷ୍ଣସାର ମୃଗ ହେଉଛି ଅନ୍ୟତମ। ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନସ୍ଥ ଆସିକା ବନାଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳରେ କୃଷ୍ଣସାର ମୃଗଙ୍କ ପ୍ରମୁଖ ବିଚରଣ ସ୍ଥଳ ଭାବେ ସମଗ୍ର ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଗତ ୨୦୨୧ ମସିହା ଫେବୃଆରୀ ମାସରେ ହୋଇଥିବା କୃଷ୍ଣସାର ମୃଗଙ୍କ ଗଣନା ଅନୁଯାୟୀ ଆସିକା ବନାଞ୍ଚଳର ବିଭିନ୍ନ ଅଞ୍ଚଳରେ ୧୭୭୩ଟି ଓ ୨୦୨୩ ମସିହାରେ ହୋଇଥିବା ଗଣନା ଅନୁଯାୟୀ ୧୯୭୯ଟି କୃଷ୍ଣସାର ମୃଗ ରହିଥିବା ବେଳେ ଗତ ଜାନୁୟାରୀ ମାସ ୨୯ ତାରିଖରେ ଆସିକା ବନବିଭାଗ ପକ୍ଷରୁ ହୋଇଥିବା ଗଣନା ଅନୁଯାୟୀ କୃଷ୍ଣସାର ମୃଗଙ୍କ ସଂଖ୍ୟା ବୃଦ୍ଧି ପାଇ ୨୩୦୯ରେ ପହଁଞ୍ଚିଥିବା ଜଣାପଡିଛି। ଦକ୍ଷିଣ ଘୁମୁସର ବନଖଣ୍ଡର ଆସିକା, ବୁଗୁଡା, ପୋଲସରା ଅଞ୍ଚଳର ଅଧିକାଂଶ ଗ୍ରାମାଞ୍ଚଳରେ ବିଶ୍ୱ ବିରଳ କୃଷ୍ଣସାର ମୃଗ ବିଚରଣ କରୁଛନ୍ତି। ଗତ କିଛି ଦିନ ତଳେ ବନବିଭାଗ ପକ୍ଷରୁ ହୋଇଥିବା ଗଣନାର ରିପୋର୍ଟ ଇତି ମଧ୍ୟରେ ପ୍ରକାଶ ପାଇ ସାରିଛି। ବନବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆସିକା ବନବିଭାଗ ଅଞ୍ଚଳରେ ଥିବା ୨୩୦୯ଟି କୃଷ୍ଣସାର ମୃଗଙ୍କ ମଧ୍ୟରୁ ଅଣ୍ଡିରା ୪୪୮ଟି, ମାଇ ୧୪୪୨ଟି ଓ ଶାବକ ୪୧୯ଟି ରହିଥିବା ଜଣାପଡିଛି। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନସ୍ଥ ଆସିକା, ପୋଲସରା, ବଡଗଡ ଓ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟ ଅଧିନସ୍ଥ ଅଞ୍ଚଳରେ ଚଳିତ ବର୍ଷ ହୋଇଥିବା ଗଣନା ଅନୁଯାୟୀ ସମୁଦାୟ ୫୬୨୭ଟି କୃଷ୍ଣସାର ମୃଗ ରହିଥିବା ବେଳେ ସେଥି ମଧ୍ୟରୁ ଅଣ୍ଡିରା ୧୧୦୮, ମାଇ ୩୪୧୪ ଓ ଶାବକ ୧୧୦୫ ଥିବା ଜଣାପଡିଛି। ସାମ୍ପ୍ରତିକ ପରିସ୍ଥିତିରେ କୃଷ୍ଣସାର ମୃଗଙ୍କ ସୁରକ୍ଷା ମୁଖ୍ୟ ପ୍ରସଙ୍ଗ ପାଲଟିଛି। କ୍ଷୀପ୍ର ଗତିରେ ଦୌଡୁଥିବା ଏହି ନିରୀହ ପ୍ରାଣୀ ଅଧିକାଂଶ ସମୟରେ ରାସ୍ତା ପାର ହେବା ବେଳେ ଯାନବାହାନ ଧକ୍କାରେ ପ୍ରାଣ ହରାଉଛନ୍ତି। ସଡକ ଦୃର୍ଘଟଣାରେ ବହୁ ସମୟରେ କୃଷ୍ଣସାର ମୃଗଙ୍କ ମୃତ୍ୟୁ ହୋଇଥିବାରୁ ଏହାକୁ ରୋକିବା ସହ ସେମାନଙ୍କ ଅବାଧ ଓ ନିର୍ଭୟ ବିଚରଣ ସାଙ୍ଗକୁ ସେମାନଙ୍କ ଖାଇବା ପାଇଁ ମାଣ୍ଡିଆ ଓ ଡାଲିଜାତୀୟ ଫସଲର ଚାଷ କରାଯିବା ସହ ପାଣି ପିଇବା ପାଇଁ ପାଣିକୁଣ୍ଡର ବ୍ୟବସ୍ଥା କରାଯିବା ସାଙ୍ଗକୁ କୃଷ୍ଣସାର ମୃଗ ମାନେ ଖାଇବା ପରେ ସେମାନଙ୍କର ଦାନ୍ତର କ୍ଷତକୁ ଭରଣ କରିବା, ପେଟରୋଗ ଦୂରୀକରଣ କରିବା ଏବଂ ସେମାନଙ୍କ ସୁସ୍ଥତା ପାଇଁ ଆସିକା ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡାଙ୍କ ନେତୃତ୍ୱରେ ବନବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି। ଆସିକା ବନବିଭାଗ କାର୍ଯ୍ୟାଳୟ ଅଧିନସ୍ଥ ଅଞ୍ଚଳର ଭେଟନଇ, ସିଦ୍ଧନଇ, ଚାରିମଇଲି, ନାରାୟଣପୁର ତଥା ଏହାର ଆଖପାଖ ଅଞ୍ଚଳ ସମେତ ବୁଗୁଡା ବନାଞ୍ଚଳର ଗହଙ୍ଗୁ, ଫାପଲପୁର, ଧନିଜା, ପାଣ୍ଡିଆପଥର, ଦାନଚନ୍ଦନପେଢି, ଅନ୍ତରପଡା ଓ ପୋଲସରା ବନାଞ୍ଚଳର ସାମନ୍ତରାପଲ୍ଲୀ, ବାଲିଛାଇ, ଜମୁନା, ଆଠଗଡ ସମେତ କୃଷ୍ଣସାର ମୃଗ ବିଚରଣ କରୁଥିବା ଅଞ୍ଚଳ ଗୁଡିକରେ ଗତ ରବିବାର ଦିିନ ଗଣନା କାର୍ଯ୍ୟ କରାଯାଇଥିଲା । ବନବିଭାଗ ପକ୍ଷରୁ ୧୯୭୩ ମସିହାରେ କରାଯାଇଥିବା କୃଷ୍ଣସାର ମୃଗ ଗଣନା ଅନୁଯାୟୀ ୧୫୨ଟି ଅଣ୍ଡିରା, ୩୦୨ ଟି ମାଈ, ୬୯ଟି ଛୁଆ ଏହିଭଳି ସମୂଦାୟ ୫୨୩ ଟି କୃଷ୍ଣସାର ମୃଗ ଥିବା ବେଳେ ୧୯୮୦ ମସିହାରେ ହୋଇଥିବା ଗଣନା ଅନୁଯାୟୀ ୧୨୯ଟି ଅଣ୍ଡିରା, ୨୮୪ଟି ମାଈ, ୭୨ ଟି ଛୁଆ ଏହିଭଳି ସମୂଦାୟ ୪୮୫ କୃଷ୍ଣସାର ମୃଗ ରହିଥିଲେ । ୧୯୯୮ ମସିହାରେ କରାଯାଇଥିବା ଗଣନା ଅନୁଯାୟୀ ୯୪ଟି ଅଣ୍ଡିରା, ୩୭୬ଟି ମାଈ, ୮୦ଟି ଛୁଆ ଏହିଭଳି ୫୫୧ଟି କୃଷ୍ଣସାର ମୃଗ ରହିଥିବା ବେଳେ ୨୦୦୪ ମସିହାରେ କରାଯାଇଥିବା ଗଣନା ଅନୁଯାୟୀ ୨୧୨ଟି ଅଣ୍ଡିରା, ୪୮୭ଟି ମାଈ, ୮୭ଟି ଛୁଆ ଏହିଭଳି ସମୂଦାୟ ୭୮୬ଟି କୃଷ୍ଣସାର ମୃଗ ଥିଲେ । ୨୦୦୬ ମସିହାରେ ହୋଇଥିବା ଗଣନା ଅନୁଯାୟୀ ୩୦୬ଟି ଅଣ୍ଡିରା, ୬୬୪ଟି ମାଈ, ୧୩୧ଟି ଛୁଆ ଏହିଭଳି ସମୂଦାୟ ୧୧୦୧ କୃଷ୍ଣସାର ମୃଗ ଥିଲା ବେଳେ ୨୦୦୮ ମସିହାରେ କରାଯାଇଥିବା ଗଣନା ଅନୁଯାୟୀ ୪୧୧ଟି ଅଣ୍ଡିରା, ୧୧୨୩ଟି ମାଈ, ୧୩୮ଟି ଛୁଆ, ଏହିଭଳି ସମୂଦାୟ ୧୬୭୨ଟି କୃଷ୍ଣସାର ମୃଗ ଥିଲେ । ୨୦୧୦ ମସିହା ଅନୁଷ୍ଠିତ ଗଣନା ଅନୁଯାୟୀ ୫୪୪ଟି ଅଣ୍ଡିରା, ୧୪୧୪ଟି ମାଈ, ୨୨୩ଟି ଛୁଆ ଏହିଭଳି ସମୂଦାୟ ୨୧୮୧ଟି କୃଷ୍ଣସାର ମୃଗ ରହିଥିଲେ । ସେହିଭଳି ୨୦୧୫ ମସିହାରେ ଅନୁଷ୍ଠିତ ହୋଇଥିବା ଗଣନା ଅନୁଯାୟୀ ୩୨୨ଟି ଅଣ୍ଡିରା, ୭୨୯ଟି ମାଈ ଓ ୧୫୯ଟି ଛୁଆ ଏହିଭଳି ସମୁଦାୟ ୧୨୦୮ଟି କୃଷ୍ଣସାର ମୃଗ ରହିଥିଲେ । ସେହିଭଳି ୨୦୨୦ ମସିହାରେ ଅନୁଷ୍ଠିତ ହୋଇଥିବା ଗଣନା ଅନୁଯାୟୀ ୪୯୯ଟି ଅଣ୍ଡିରା, ୧୦୮୦ଟି ମାଈ ଓ ୨୮୮ଟି ଛୁଆ ଏହିଭଳି ସମୁଦାୟ ୧୮୬୭ଟି କୃଷ୍ଣସାର ମୃଗ ରହିଥିଲେ । ୨୦୨୧ ମସିହାରେ ଅନୁଷ୍ଟିତ ହୋଇଥିବା ଗଣନା ଅନୁଯାୟୀ ୫୪୩ଟି ଅଣ୍ଡିରା, ୯୧୭ଟି ମାଈ ଓ ୩୧୩ଟି ଛୁଆ ଏହିଭଳି ସମୁଦାୟ ୧୭୭୩ଟି କୃଷ୍ଣସାର ମୃଗ ରହିଥିବା ବେଳେ ୨୦୨୩ ମସିହାରେ ଅନୁଷ୍ଠିତ ହୋଇଥିବା ଗଣନା ଅନୁଯାୟୀ ସମୂଦାୟ ୧୯୭୯ଟି କୃଷ୍ଣସାର ମୃଗ ରହିଥିଲେ । ସେମାନଙ୍କ ସୁରକ୍ଷା ଓ ବଂଶ ବିସ୍ତାର ପାଇଁ ବନବିଭାଗ ପକ୍ଷରୁ ବହୁବିଧ ପଦକ୍ଷେପ ମାନ ଗ୍ରହଣ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ