୫୮ତମ କେରଙ୍ଗ ସର୍ବଧର୍ମ ଶାନ୍ତି ସମ୍ମିଳନୀ ଉଦଘାଟିତ

ଖୋର୍ଦ୍ଧା(ଓ୍ବାଇଏନଏସ): ଖୋର୍ଦ୍ଧା ଉପକଣ୍ଠ କେରଙ୍ଗ ଅହମଦୀୟା ମୁସଲିମ ସଂଗଠନ ପକ୍ଷରୁ ୫୮ତମ କେରଙ୍ଗ ସର୍ବଧର୍ମ ଶାନ୍ତି ସମ୍ମିଳନୀ ଉଦଘାଟିତ ହୋଇଛି । ଏହି ସର୍ବଧର୍ମ ଶାନ୍ତି ସମ୍ମିଳନୀରେ ସଂସ୍କାର ଓ ନିର୍ଦ୍ଦେଶ ବିଭାଗର ଉପମୁଖ୍ୟ ମୌଲାନା ଅବ୍ଦୁଲ ଓକିଲ ନିଆଜ ପୌରହିତ୍ୟ କରିଥିଲେ । ସଭାକାର୍ଯ୍ୟ ଅହମଦୀୟା ମୁସଲିମ ଧର୍ମଧ୍ବଜା ଉତ୍ତ୍ବଳନ ଓ ସାମୂହିକ ନିରବ ପ୍ରାର୍ଥନା ସହ ଆରମ୍ଭ ହୋଇଥିଲା । ପବିତ୍ର କୋରାନ ପାଠ ତସଲିମ ଅହମଦ କରିଥିବା ବେଳେ ଉର୍ଦ୍ଦୁ ନଜମ ସଂଗୀତ ମୋଇନୁଦ୍ଦିନ ଖାଁ ପରିବେଷଣ କରିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ  ଭୁବନେଶ୍ବରର ମୌଲାନା ହଲିମ ଖାଁ କହିଲେ, ଈଶ୍ବର ଏକ ଅଦ୍ବିତୀୟ ।ଈଶ୍ବର ସର୍ବତ୍ର ବିଦ୍ୟମାନ । ଭକ୍ତର ଭକ୍ତିକୁ ସେ ବହୁତ ଭଲ ପାଅନ୍ତି । କାକୁତି-ମିନତି ହୋଇ ଭକ୍ତ ଯେତେବେଳେ ନିର୍ମଳ ହୃଦୟରେ ଈଶ୍ବରକୁ ଡାକିଥାଏ, ତତକ୍ଷଣାତ୍ ସେ ତାକୁ ଉତ୍ତର ଦେଇଥାଏ ଏବଂ ପ୍ରାର୍ଥନାକୁ ଗ୍ରହଣ କରିଥାଏ। ଦ୍ବିତୀୟ ବକ୍ତା ଭାବେ ସୁଙ୍ଗୁଡାର ମୌଲାନା ମକସୁଦ ଅଲ୍ଲି ଯୋଗଦେଇ ହିଲେ, ପବିତ୍ର କୋରାନ ଈଶ୍ବରଙ୍କ ଅନ୍ତିମ ଓ ସଂପୂର୍ଣ୍ଣ ଧର୍ମବିଧାନ । ସକଳ ସମସ୍ୟାର ସମାଧାନ ପବିତ୍ର କୋରାନରେ ରହିଛି । ବିଶ୍ବରେ ଲକ୍ଷ ଲକ୍ଷ ମୁସଲମାନ ସ୍ତ୍ରୀ ଓ ପୁରୁଷମାନେ ପବିତ୍ର କୋରାନକୁ ମୁଖସ୍ତ କରି ରଖିଛନ୍ତି । ପବିତ୍ର କୋରାନ ସମଗ୍ର ମାନବ ଜାତି ପାଇଁ ଉଦ୍ଦିଷ୍ଟ । ପ୍ରତ୍ୟେକ ମୁସଲିମ ଧର୍ମ ବିଶ୍ବାସୀ ପ୍ରତିଦିନ ପବିତ୍ର କୋରାନକୁ ପଢିଥାନ୍ତି ଏବଂ ତଦନୁଯାୟୀ ଜୀବନ ନିର୍ବାହ କରିଥାନ୍ତି । ତୃତୀୟ ବକ୍ତା ଭାବେ ଦଶପଲ୍ଲାର ମୌଲାନା ସେକ ଅବ୍ଦୁଲ କାଦିର ଯୋଗଦେଇ ଧର୍ମକାମରେ ଆର୍ଥିକ ଅନୁଦାନର ମହତ୍ତ୍ବ ଓ ମହାନତା ବିଷୟରେ ସାରଗର୍ଭକ ମତାମତ ରଖିଥିଲେ । ଚତୁର୍ଥ ବକ୍ତା ଭାବେ କଟକ ଜିଲ୍ଲା ସଭାପତି ମୌଲାନା ସେକ ହାରୁନ ରଶିଦ ଯୋଗଦେଇ ପ୍ରତିଶୃତ ମସିହ ଓ ମେହେଦୀ ତଥା ସତ୍ୟବାଦୀ ହଜରତ ମିର୍ଜା ଗୁଲାମ ଅହମଦଙ୍କ ପବିତ୍ର ଜୀବନୀ ଉପରେ ଆଲୋକପାତ କରିଥିଲେ । ପୌରହିତ୍ୟ ଭାଷଣରେ ମୌଲାନା ଅବ୍ଦୁଲ ଓକିଲ ନିଆଜ କହିଲେ,ଆମକୁ ଅଶାନ୍ତ ବିଶ୍ବରେ ଶାନ୍ତିର ବାର୍ତ୍ତା ପହଞ୍ଚାଇବାକୁ ହେବ । ଆମେ ଆମର ଚିତ୍ର ଓ ଚରିତ୍ରକୁ ସୁନ୍ଦର ଓ ଆଦର୍ଶବାଦୀ ଭାବେ ଗଢି ତୋଳିବାକୁ ହେବ । ଆମ ମଧ୍ୟରେ ମାନବିକତାକୁ ଉଜାଗର କରିବାକୁ ହେବ । ଭାଇଚାରାର ବାତାବରଣ ସୃଷ୍ଟି କରିବାକୁ ହେବ । ଈଶ୍ବରଙ୍କ ଅନୁକମ୍ପାକୁ ସ୍ମରଣ କରି ତାର କୃତଜ୍ଞତା ଅର୍ପଣ କରିବାକୁ ହେବ । ମଣିଷ ମଣିଷ ମଧ୍ୟରେ ବନ୍ଧୁତା ସ୍ଥାପନ କରିବାକୁ ହେବ । ଈଶ୍ବରଙ୍କ ଆଶୀଷ ଓ ଆଶୀର୍ବାଦର ପାତ୍ର ହେବାକୁ ପଡିବ । ସଂସାରୀକ ମୋହ-ମାୟାରୁ ଦୁରେଇ ରହି ପ୍ରଭୁଙ୍କ ସହ ସଂପର୍କକୁ ବଢାଇବାକୁ ହେବ । ଏହି ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ କେରଙ୍ଗ ସଭାପତି ଓସିମ  ଅହମଦ ଖାଁ, ଖୋର୍ଦ୍ଧା ଜିଲ୍ଲା ସଭାପତି  ଅବସର ପ୍ରାପ୍ତ  କର୍ଣ୍ଣଲ ଡଃ ଜହିରୁଦ୍ଦିନ ଖାଁ, ମୌଲାନା ସୟଦ କଲିମୁଦ୍ଦିନ ଏବଂ ସେକେଟ୍ରୀ ସବିରୁଦ୍ଦିନ  ଖାଁ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମୌଲାନା ହଲିମ ଅହମଦ ଖାଁ ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ