ସରପଞ୍ଚଙ୍କ ସ୍ବାମୀଙ୍କୁ ପିସ୍ତଲ ଦେଖାଇ ହତ୍ୟା ଧମକ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ସରପଞ୍ଚ ବର୍ଷା ସେଠୀଙ୍କ ସ୍ବାମୀ ପିଣ୍ଟୁ ସେଠୀଙ୍କୁ ଦିଗପହଣ୍ଡି କେନାଲ ସାହିରେ ରହୁଥିବା ଆଡପଡ଼ା ଗ୍ରାମର ସୁନୀଲ ସେଠୀ ପିସ୍ତଲ ଦେଖାଇ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି।ଏନେଇ ପିଣ୍ଟୁ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୪୨/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।ଶନିବାର ସକାଳେ ଗ୍ରାମର ନଦୀ ପଠା ରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଉଥିବା ନେଇ କିଛି ଗ୍ରାମବାସୀ ଅଭିଯୋଗ କରିବା ପରେ ପିଣ୍ଟୁ ନଦୀକୁ ଯାଇ ଫଟୋ ଉଠାଉଥିବା ବେଳେ ସୁନୀଲ ସେଠାରେ ପହଞ୍ଚି ତାଙ୍କ ସାର୍ଟ କଲର ଧରି ଆପତ୍ତିଜନକ ଭାଷାରେ ଗାଳି କରିବା ସହ ପିସ୍ତଲ ଦେଖାଇ ମାରିଦେବାକୁ ଧମକ ଦେଇଥିଲେ। ଏଠାରୁ ପଳାଇ ଯାଅ।ନହେଲେ ଗୁଳି କରି ମାରି ଏଠାରେ ପୋତି ଦେବି କହିବାରୁ ପିଣ୍ଟୁ ପୋଲିସ କୁ ଫୋନ କରିଥିଲେ।ସୁନୀଲ ଆଣିଥିବା ଧଳା ରଙ୍ଗର ବୋଲେରୋ ଗାଡ଼ି( ନଂ. ଓଡ଼ି ୩୩ ଏକ୍ସ ୭୮୮୮) ଯୋଗେ ସେଠାରୁ ପଳାଇଥିବା ଏତଲା ରେ ଉଲ୍ଲେଖ ରହିଛି।ଅପରପକ୍ଷରେ ସୁନୀଲ ଙ୍କ ବାପା ବିଶ୍ଵନାଥ ସେଠୀ ଦିଗପହଣ୍ଡି ଥାନାରେ ପିଣ୍ଟୁ ଙ୍କ ବିରୋଧରେ ପାଲଟା ଏତଲା ଦେଇଛନ୍ତି।ବିଶ୍ଵନାଥ ସ୍ତ୍ରୀ ଲକ୍ଷ୍ମୀ ସେଠୀ ଙ୍କ ନାଁ ରେ ମଳାଭଞ୍ଜା ନଦୀ ବାଲି ଘାଟ ଲିଜ୍ ସୂତ୍ରରେ ନେଇଛନ୍ତି।ସରପଞ୍ଚ ଙ୍କ ସ୍ବାମୀ ତାଙ୍କୁ ବାଲି ଘାଟ ପାଇଁ ମାସିକ ୨୦ ହଜାର ଟଙ୍କା ବଟି ଦେବାକୁ ବାଧ୍ୟ କରୁଛନ୍ତି।ଶନିବାର ସେ ନଦୀ କୁ ଯାଇ ବାଲିଘାଟ ର ଫୋଟ ଉଠାଇଥିଲେ।ସେ ତାଙ୍କୁ ପଚାରିବାରୁ ଗାଳି କରିବା ସହ ତୋ ପରିବାର କୁ ନିଶ୍ଚିହ୍ନ କରିଦେବି ବୋଲି ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି।ଏତଲାକୁ ଭିତ୍ତିକରି କରି ପୋଲିସ ଥାନା ମାମଲା ନଂ.୧୪୫/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।