ପୃଥିବୀ ଦିବସ -୨୦୨୫ ପାଳିତ
ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ଜାମୁଗାଁସ୍ଥିତ ସରକାରୀ ପଲିଟେକ୍ନିକ କଲେଜ ପରିସରରେ ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ଓ ସର୍ବୋତମ ସୋସିଆଲ ଅର୍ଗାନାଇଜେସନ ମିଳିତ ଆନୁକୁଲ୍ୟରେ ପୃଥିବୀ ଦିବସ-୨୦୨୫ ମଙ୍ଗଳବାର ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜର ଅଧ୍ୟକ୍ଷା କଳ୍ପନା ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଟ୍ରଷ୍ଟର ପ୍ରତିଷ୍ଠାତା ନିହାର ରଂଜନ ଆଚାର୍ଯ୍ୟ, ବିଶିଷ୍ଟ ପରିବେଶବିତ୍ ଡକ୍ଟର ହେମନ୍ତ କୁମାର ମିଶ୍ର, ବିଶିଷ୍ଟ ଶିକ୍ଷାବିତ୍ ସୁଧାମୟୀ ବେହୁରା ପ୍ରମୁଖ ଯୋଗ ଦେଇ ପ୍ରଥିବୀ ଦିବସ-୨୦୨୫ର ଆଭିମୁଖ୍ୟ ତଥା ଶକ୍ତି ସଂରକ୍ଷଣ ଦିଗରେ ଆଲୋକପାତ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ତରପକ୍ଷରୁ ଏକ ବିଶାଳ ସଚେତନତା ରାଲିର ଆୟୋଜନ କରାଯାଇଥିଲା। ଉକ୍ତ ରାଲି କଲେଜ ପରିସରରୁ ବାହାରି ନିକଟସ୍ଥ ଗ୍ରାମ ଓ ବଜାରରେ ପରିକ୍ରମା କରାଯାଇ ଲୋକମାନଙ୍କୁ ପରିବେଶ ସୁରକ୍ଷା ସମ୍ପର୍କୀୟ ସଚେତନ କରାଯାଇଥିଲା। ପରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଶକ୍ତି ସଂରକ୍ଷଣ ଦିଗରେ ଶପଥ ପାଠ କରାଯାଇଥିଲା। ଏହି ପରିପ୍ରେକ୍ଷରେ ଅନୁଷ୍ଠାନ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦିକା ସୁଶ୍ରୀ ଶ୍ରାବଣୀ ରାୟ, ପୁନମ ନାୟକ, ଅଂଜଳୀ ବେହେରା ପ୍ରମୁଖ ପରିଚାଳନା କରିଥିଲେ।