ବିଦ୍ୟାଳୟ ଗେଟ ନିକଟରେ ପଡୁଛି ଆବର୍ଜନା

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ସହର ମୋଚିବନ୍ଧ ସ୍କୁଲ ଗେଟ ସମ୍ମୁଖରେ ପୌରପାଳିକାର ଆବର୍ଜନା ପଡୁଥିବାରୁ ଅସନ୍ତୋଷ ଦେଖାଦେଇଛି । କେନ୍ଦୁଝର ସହରର ଅନେକ ହୋଟେଲ,ଲଜ୍ ତାଙ୍କର ଦୈନନ୍ଦିନ ଆବର୍ଜନା କୁ ଆଣି ସ୍କୁଲ ଗେଟ ସମ୍ମୁଖରେ ଢାଳୁଛନ୍ତି । ଯାହାକୁ ପୌରପାଳିକା ପକ୍ଷରୁ ଟ୍ରାକ୍ଟର ଦ୍ୱାରା ମଧ୍ୟାହ୍ନ ୧୧ଟା ପରେ ସେଠାରୁ ଉଠାଯାଉଛି । ଅଳିଆ ଆବର୍ଜନା ନେବା ପାଇଁ ହୋଟେଲ ଏବଂ ଲଜ୍ ନିଜସ୍ୱ ବ୍ୟବସ୍ଥା କରୁନଥିବାବେଳେ ବର୍ଷ ବର୍ଷ ଧରି ସ୍କୁଲ ଗେଟ ସମ୍ମୁଖରେ ଭୋର ସମୟରେ ପକାଉଛନ୍ତି । ହୋଟେଲ ଏବଂ ଲଜ୍ କେନ୍ଦୁଝରଗଡ ପୌରପାଳିକା ସହ ବାର୍ଷିକ ଅଳିଆ ଆବର୍ଜନା ନେବା ପାଇଁ ଦେୟ ପ୍ରଦାନ କରୁନାହାଁନ୍ତି । ଫଳରେ ପୌରପାଳିକାର କ୍ଷତି ହେବା ସହ ବ୍ୟବସାୟିକ ସଂସ୍ଥାର ଅଳିଆ ଆବର୍ଜନାକୁ ପୌରପାଳିକା ଅର୍ଥ ଖର୍ଚ୍ଚ କରି ସଫା କରୁଛି । ବିଦ୍ୟାଳୟ ସମ୍ମୁଖରେ ହୋଟେଲ ଖାଦ୍ୟ ଏବଂ ଅଳିଆ ଆବର୍ଜନ ପଡୁଥିବାରୁ ପରିବେଶ ପ୍ରଦୂଷିତ ହେଉଛି । ଅଳିଆ ଆବର୍ଜନା ଗନ୍ଧରେ ଛାତ୍ରଛାତ୍ରୀ ସ୍କୁଲ ଯାଉଥିବାବେଳେ ହୋଟେଲ ବାସି ଖାଦ୍ୟକୁ କୁକୁର ଏବଂ ଗୋରୁଗାଈ ଖାଉଛନ୍ତି । ଅଭିଭାବକମାନେ ବାରମ୍ବାର ପୌରପାଳିକା ନିକଟରେ ଅଭିଯୋଗ କଲେ ମଧ୍ୟ ପଦକ୍ଷେପ ନିଆଯାଉନଥିବାରୁ ସ୍ଥାନୀୟ ମୋଚିବନ୍ଧ ସାହିର ଲୋକମାନେ ଅତିଷ୍ଠ ହୋଇ ପଡିଲେଣି । ମୋଚିବନ୍ଧ ସ୍କୁଲରେ ୪୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ଅଧିକାଂଶ ଛାତ୍ରଛାତ୍ରୀ ଚାଲି ଚାଲି ବିଦ୍ୟାଳୟକୁ ଯିବା ଆସିବା କରନ୍ତି । ବିଦ୍ୟାଳୟର ଶୈକ୍ଷିକ ବାତାବରଣ ନଷ୍ଟ ହେଉଥିବାରୁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଏଥିରେ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ଅଭିଭାବକ ମହଲରେ ଦାବୀ ହୋଇଛି । କେନ୍ଦୁଝରଗଡ ପୌରପାଳିକା ନିର୍ବାହୀ ଅଧିକାରୀ ଲଲିତ କୁମାର ନାୟକଙ୍କ ସହ ଯୋଗଯୋଗ କରିବାରୁ ବିଦ୍ୟାଳୟ ନିକଟରେ ଆବର୍ଜନା ପକାଉଥିବା ବ୍ୟବସାୟିକ ସଂସ୍ଥାକୁ ଚିହ୍ନଟ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ