ମନରେଗାରେ ୪ଶହ କୋଟିରେ ଦୁର୍ନୀତି : ଆବାସ ସମ୍ପୂର୍ଣ୍ଣ କରିଥିବା ହିତାଧିକାରୀଙ୍କୁ ମିଳିନି, ବିନା ଗୃହରେ ଉଠିଛି ଟଙ୍କା 

ହାଟଡିହି (ବିକାଶ ବିଶ୍ବାଳ)-: କେନ୍ଦୁଝର ଜିଲ୍ଲାରେ ମନରେଗା ଯୋଜନାରେ ମନଇଚ୍ଛା ଦୁର୍ନୀତି ହୋଇଛି। ୩ଟି ଆର୍ଥିକ ବର୍ଷରେ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ମନରେଗା ଯୋଜନାରେ ପ୍ରାୟ ୪ ଶହ କୋଟି ଟଙ୍କାର ଆର୍ଥିକ କାରବାର ହୋଇଛି। ଜବକାର୍ଡଧାରୀ ଶ୍ରମିକଙ୍କ ଅର୍ଥନୈତିକ ଉନ୍ନତି ପାଇଁ ଏହି ଅର୍ଥ ବ୍ୟୟବରାଦ ହୋଇଥିଲା। ହେଲେ ଯୋଜନାରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ଜଣା ପଡ଼ିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଗୃହ ନିର୍ମାଣ ପାଇଁ କେନ୍ଦୁଝର ଜିଲ୍ଲାରେ ପ୍ରତି ଘର ପିଛା ୯୫ ଦିନର ମଜୁରୀ ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି। ଜିଲ୍ଲାରେ ଗୃହ ସମ୍ପୂର୍ଣ କରିଥିବା ହଜାର ହଜାର ହିତାଧିକାରୀଙ୍କୁ ଏହି ଅର୍ଥ ପ୍ରଦାନ କରାଯାଇ ନଥିବା ସ୍ପଷ୍ଟ ହୋଇଛି। ଆଜି ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଞ୍ଚ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯଜ୍ଞ ପ୍ରସାଦ ସାହୁ ଏଭଳି ଅଭିଯୋଗ କରିଛନ୍ତି। ହୋଟେଲ ଗାୟତ୍ରୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରସାଦ ହାଟଡିହି ବ୍ଲକର ଉଦାହରଣ ଦେଇ ସମ୍ପୂର୍ଣ୍ଣ ତଥ୍ୟ ରଖିଛନ୍ତି। ଶାଳଣିଆଁ ପଞ୍ଚାୟତରେ ୨୦୧୪-୧୫ ଆର୍ଥିକ ବର୍ଷରୁ ଏଯାବତ୍ ୬୯୨ ଜଣକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ କରାଯାଇଛି। ଅଧିକାଂଶ ହିତାଧିକାରୀ ଘର ସଂପୂର୍ଣ୍ଣ କରି ୧ ଲକ୍ଷ ୩୦ ହଜାର ଟଙ୍କା ଅନୁଦାନ ପାଇଥିଲେ ମଧ୍ୟ ଜବକାର୍ଡ ମାଧ୍ୟମରେ ୯୫ ଦିନର ଶ୍ରମ ମଜୁରୀ ପାଇ ନାହାନ୍ତି। ସୋଲପଟ୍ଟା ଗ୍ରାମର ହିତାଧିକାରୀ ଗାୟତ୍ରୀ ଜେନା,  ମଞ୍ଜୁଲତା ନାୟକ ଗୃହ ନିର୍ମାଣ ଶେଷ କରିଥିଲେ ମଧ୍ୟ ମନରେଗା ମଜୁରୀ ଅର୍ଥ ପାଇ ନାହାନ୍ତି। ସେହିପରି ଗୃହ ନିର୍ମାଣ ଶେଷ କରିଥିଲେ ମଧ୍ୟ ଶାଳଣିଆଁ  ଗ୍ରାମର ଅହଲ୍ୟା ବିଶ୍ବାଳ, ବିଷ୍ଣୁପୁର ଗ୍ରାମର ନିରୁପମା ପାତ୍ର, ଜାନକୀ ଜେନା, ବ୍ରାହ୍ମଣୀକଳାର ସୁଷମା ଜେନା, ଦେବକୀ ସ୍ୱାଇଁ, ସୋଲପଟା ଗ୍ରାମର ଅଲେଖ ନାୟକ ପ୍ରମୁଖ ଶତାଧିକ ହିତାଧିକାରୀଙ୍କୁ ମାତ୍ର ଦିନକର ମଜୁରୀ ବାବଦକୁ ୨୩୭ ଟଙ୍କା ପ୍ରଦାନ କରାଯାଇଛି। ତେବେ ପ୍ରତି ହିତାଧିକାରୀଙ୍କୁ ୨୨ ହଜାର ୫୧୫ ଟଙ୍କା ବଦଳରେ ଦିନକର ମାତ୍ର ଦିନକର ମଜୁରୀ ୨୩୭ ଟଙ୍କା ମିଳିଛି। ବାକି ଅର୍ଥ କେଉଁ ଆଡେ ଗଲା ବୋଲି ଯଜ୍ଞ ପ୍ରସାଦ ପ୍ରଶ୍ନ କରିଛନ୍ତି।  ଅପରପକ୍ଷରେ ଆଦୌ ଗୃହ ନିର୍ମାଣ ଆରମ୍ଭ କରି ନଥିବା ଶାଳଣିଆଁ ପଞ୍ଚାୟତର ୪୪ ହିତାଧିକାରୀଙ୍କ ଘର ନିର୍ମାଣ ନାମରେ ମିଥ୍ୟା ମଷ୍ଟର ରୋଲ ଖୋଲି ୮ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଯଜ୍ଞ ପ୍ରସାଦ ସାହୁ ଅଭିଯୋଗ କରିଛନ୍ତି। ଏହି ୪୪ ଜଣ ହିତାଧିକାରୀଙ୍କ କ୍ଷେତ୍ରରେ ସେମାନଙ୍କର ଜବ କାର୍ଡ ନିଜ ଗୃହ ନିର୍ମାଣରେ ବ୍ୟବହାର କରା ନଯାଇ ଅନ୍ୟ ଗ୍ରାମର କାର୍ଡକୁ ବ୍ୟବହାର କରାଯାଇ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି। ଶାଳଣିଆଁ ଗ୍ରାମର ନାରାୟଣ ଚନ୍ଦ୍ର ଜେନା ୨୦୧୮ ମସିହାରେ  ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପଞ୍ଜିକରଣ ସଂଖ୍ୟା (ଓଆର ୨୨୨୯୮୫୧) ପାଇଥିଲେ। ପ୍ରଥମ କିସ୍ତି ବାବଦକୁ ସେ ମାତ୍ର ୨୦ ହଜାର ଟଙ୍କା ପାଇଥିଲେ। ଗତ ୭ ବର୍ଷ ମଧ୍ୟରେ ସେ ଗୃହ ନିର୍ମାଣ କରି ପାରି ନାହାଁନ୍ତି। ତେବେ ମଜୁରୀ ବାବଦକୁ ତାଙ୍କ ଘର ହୋଇଥିବା ଦର୍ଶାଇ ୧୭ ହଜାର ୭୮୦ ଟଙ୍କା ଉଠାଣ ହୋଇଛି। ୧୦ ଜଣ ଜବକାର୍ଡଧାରୀ ଶ୍ରମିକ ୭ ଦିନ ଲେଖାଏଁ କାମ କରି ଏହି ଅର୍ଥ ଉଠାଣ କରିଥିବା ଜଣା ପଡ଼ିଛି। ସୋଲପଟା ଗ୍ରାମର ଅନାଥ ଜେନା, ତ୍ରିନାଥ ବାରିକ, ତପସ୍ଵିନୀ ନାୟକ, ଅଭିମନ୍ୟୁ ସ୍ୱାଇଁ ମଷ୍ଟର ରୋଲ୍ ସଂଖ୍ୟା – ୮୩୪୮, ୮୪୪୯, ୧୦୨୨୯ରେ ଏହି ଅର୍ଥ ଉଠାଇ ଥିବା ଜଣା ପଡ଼ିଛି। ନିର୍ଦ୍ଦେଶାବଳୀ ଅନୁଯାୟୀ ଆବାସ ଗୃହ ହିତାଧିକାରୀ ନିଜେ ନିଜେ କିମ୍ବା ନିଜ ପରିବାର ସଦସ୍ୟଙ୍କ ଜବକାର୍ଡ ଜରିଆରେ କାର୍ଯ୍ୟ କରି ଅର୍ଥ ଉଠାଣ କରିବେ। ତେବେ ସମସ୍ତ ନିୟମକୁ ଉଲ୍ଲଂଘନ କରାଯାଇ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ବିଷ୍ଣୁପୁର ଗ୍ରାମର ମାନସୀ ଜେନା, ସଂଯୁଲତା ଜେନା ଘର କରି ନଥିଲେ ମଧ୍ୟ ତଞ୍ଚକତା କରାଯାଇ ମଷ୍ଟର ରୋଲ୍ ମାଧ୍ୟମରେ ଯଥାକ୍ରମେ ୨୨ ହଜାର ୮୭୬, ୨୧ ହଜାର ୫୭୩ ଟଙ୍କା ଉଠାଣ ହୋଇଥିବା ଜଣାପଡିଛି।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ସାମାଜିକ କର୍ମୀ ହିମାଂଶୁ ଶେଖର ନାୟକ ଜିଲ୍ଲାରେ ମନରେଗା ଯୋଜନାରେ ହୋଇଥିବା ଜାଲିଆତିର ପେଡ଼ି ଖୋଲିଥିଲେ। ୨୦୨୪-୨୫ ଆର୍ଥିକ ବର୍ଷରେ ଶାଳନିଆଁ ପଞ୍ଚାୟତରେ ଜବକାର୍ଡ ମାଧ୍ୟମରେ ୩୭ ଲକ୍ଷ ୩୭ ହଜାର ଟଙ୍କା ଉଠାଣ ହୋଇଛି। ହାଟଡିହି ବ୍ଲକରେ ଏହି ବର୍ଷ ମୋଟ୍ ୮ କୋଟି ୯୫ ଲକ୍ଷ ଟଙ୍କା ଜବକାର୍ଡ ମାଧ୍ୟମରେ ଉଠାଣ ହୋଇଛି। ସେହିପରି ଘଷିପୁରା ବ୍ଲକରେ ୬କୋଟି ୮୬ ଲକ୍ଷ ୯୨ ହଜାର ଓ ଆନନ୍ଦପୁର ବ୍ଲକରେ ୧୧ କୋଟି ୧୭ ଲକ୍ଷ ୮୫ ହଜାର ଟଙ୍କା ଉଠାଣ ହୋଇଥିବା ଶ୍ରୀ ନାୟକ କହିଛନ୍ତି। ଅପରପକ୍ଷରେ କେନ୍ଦୁଝର ଜିଲ୍ଲାରେ ବିଗତ ୩ ଆର୍ଥିକ ବର୍ଷରେ ମନରେଗା ଜବକାର୍ଡ ମାଧ୍ୟମରେ ୩୯୮ କୋଟି ୯୯ ଲକ୍ଷ ଟଙ୍କା ଉଠାଣ ହୋଇଥିବା ହିମାଂଶୁ ନାୟକ ଅଭିଯୋଗ କରିଛନ୍ତି। ପୋଖରୀ ଖୋଳା, ମୃତ୍ତିକା ସଂରକ୍ଷଣ, ଫାର୍ମ ପଣ୍ଡ, ଆବାସ ଗୃହ ନିର୍ମାଣ, ବୃକ୍ଷ ରୋପଣ ନାମରେ ଜବକାର୍ଡ ହିତାଧିକାରୀଙ୍କୁ ଢାଲ କରି ଏହି ଅର୍ଥ ଆତ୍ମସାତ ହୋଇଥିବା ଶ୍ରୀ ନାୟକ ଅଭିଯୋଗ କରିଛନ୍ତି।

ଦୁର୍ନୀତିରେ ସଂପୃକ୍ତ ଥିବା ତଥା ଏହାକୁ ପ୍ରୋତ୍ସାହିତ କରୁଥିବା ସରକାରୀ କର୍ମଚାରୀ ଓ ଜନପ୍ରତିନିଧିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବା ସହିତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସାମ୍ବାଦିକ ସମ୍ମିଳନୀରେ ଦାବୀ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ