ନିମାପଡ଼ାରେ ତ୍ରିରଙ୍ଗା ଯାତ୍ରା ବିଜେପିର ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଲା
ନିମାପଡ଼ା,(ସନ୍ତୋଷ କୁମର ଦାଶ): ସାରା ଦେଶ ରେ ଅପରେଶନ ସିନ୍ଦୁରର ସଫଳତା ପରେ ଦେଶର ସେନାବାହିନୀକୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇବା ପାଇଁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଉଛି। କିନ୍ତୁ ପୁରୀ ଜିଲ୍ଲା ନିମାପଡ଼ା ରେ ତ୍ରିରଙ୍ଗା ଯାତ୍ରାକୁ ନେଇ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି । ବିଜେପି ଦଳର ଏନ.ଏସି ଏମ.ପି ପ୍ରତିନିଧି ମୀନଲତା ମହାନ୍ତି ଙ୍କ ସ୍ବାକ୍ଷରରେ ପତ୍ର ବଣ୍ଟାଯିବାପରେ ୧୭ ତାରିଖ ଦିନ ହାଟବଜାର ଠାରେ ଥିବା ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିର ଠାରୁ ଦିଘାଳୋ ଠାରେ ଥିବା ନୀଳ କଣ୍ଠେଶ୍ବର ମହାଦେବ ମନ୍ଦିର ୫ କିମି ପର୍ଯ୍ୟନ୍ତ ବିରାଟ ତ୍ରିରଙ୍ଗା ଯାତ୍ରା ଅପରାହ୍ନ ୪ଟାରେ ଅନୁଷ୍ଠିତ ହୋଇ ଥିଲା। ଏହି ଯାତ୍ରାରେ ସାମାଜିକ ଅନୁଷ୍ଠାନ, ରାଜନୈତିକ ବ୍ୟକ୍ତି କୃଷକ, ଯୁବକ ଓ ବ୍ୟବସାୟୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଅପର ପକ୍ଷରେ ବିଜେପି ଦଳର ପ୍ରବକ୍ତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ଏକ ସାମ୍ବାଦିକ ସମ୍ମିଳନୀ କରି ଆସନ୍ତା ୧୮ ତାରିଖ ଅପରାହ୍ନରେ ଏକ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି।ଏହି ତ୍ରିରଙ୍ଗା ଯାତ୍ରା ନିମାପଡ଼ା ଶହୀଦ ସ୍ମୃତି ସଂସଦ ଆନୁକୂଲ୍ୟ ରେ କରାଯାଉଥିବା କୁହାଯାଇ ଏହି ଯାତ୍ରା ନୁଆ ବସଷ୍ଟାଣ୍ଡ ଠାରୁ ଆରମ୍ଭ ହୋଇ ଶହୀଦ ସ୍ମୃତି ସଂସଦ ଠାରେ ଶେଷହେବ ବୋଲି ସୂଚନା ଦିଆ ଯାଇଛି। ଯାତ୍ରା ଶେଷ ହେବାପରେ ଶହୀଦଙ୍କ ଦାୟଦମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଘୋଷଣା କରାଯାଇଛି। ତ୍ରିରଙ୍ଗାଯାତ୍ରା ଆଳରେ ସମୀର ଦାଶ ଙ୍କ ଗୋଷ୍ଠୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କ ଗୋଷ୍ଠୀ ମଧ୍ୟରେ ଛକାପଞ୍ଚା ଲାଗି ରହିଛି। କେଉଁ ଗୋଷ୍ଠୀରେ କେତେ ବେଶି ଲୋକ ସମାଗମ ହେବ ସେ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରାଜନୀତି ବୟାନ ବାଜି ଚାଲିବାସହ ନିମାପଡ଼ା ରେ ରୋଚକ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ବାଧୀନତା ସଂଗ୍ରାମୀ ମାନଙ୍କ ଦେଶ ପାଇଁ ବଳିଦାନ ଅତୁଳନୀୟ ସେମାନଙ୍କୁ ନେଇ ରାଜନୀତି କରିବା ଘଟଣାକୁ ନିମାପଡ଼ାର ବୁଦ୍ଧିଜୀବିମାନେ ନାପସନ୍ଦ କରିଛନ୍ତି। ବିଜେଡ଼ି ଓ କଂଗ୍ରେସ ଦଳ ର ନେତା ମାନେ ଶାସକ ଦଳ ବିଜେପି ର ଏହି ଗୋଷ୍ଠୀ କନ୍ଦଳ ସମୟ ରେ ଗୋଳିଆ ପାଣିରୁ ଫାଇଦା ଉଠାଇବାକୁ ଲାଗିପଡ଼ିଛନ୍ତି।