ଡିଜିଟାଲ୍ ଯୁଗରେ ବି ରାତି ପାହିଲେ ଖବରକାଗଜ ବିତରକଙ୍କୁ ଖୋଜୁଛନ୍ତି ପାଠକ
ଆସିକା (ୱାଇଏନ୍ଏସ୍) ହକ୍କରମାନଙ୍କ ନିଷ୍ଠା ଓ ପରିଶ୍ରମକୁ ସମ୍ମାନ ଜଣାଇ ପ୍ରତ୍ୟେକ ବର୍ଷ ମେ ମାସ ୨୬ ତାରିଖକୁ ବିଶ୍ୱ ଖବରକାଗଜ ବିତରକ ଦିବସ ଭାବେ ପାଳନ କରାଯାଇଥାଏ । ଖରା, ବର୍ଷା, ଶୀତ ଓ କାକରକୁ ତିଳେ ମାତ୍ର ଖାତିର୍ ନକରି ପ୍ରତ୍ୟେକ ଦିନ ପ୍ରତ୍ୟୁଷରୁ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରିଆସୁଥିବା ଖବରକାଗଜ ବିତରକମାନେ ଦିନକୁ ଦିନ ନାନା ସମସ୍ୟା ଭିତରେ ଘାଣ୍ଟି ହେଉଥିଲେ ମଧ୍ୟ ପରିବାର ପ୍ରତିପୋଷଣ ସକାଶେ ବୃତ୍ତି ରକ୍ଷା ପାଇଁ ସଂଗ୍ରାମ ଚଳାଇଥିବା ଦେଖିବାକୁ ମିଳୁଛି । ମୁଦ୍ରିତ ଗଣମାଧ୍ୟମର ଚାହିଦା ଦିନକୁ ଦିନ ହ୍ରାସ ପାଇଥିଲେ ମଧ୍ୟ ରାତି ପାହିବା ମାତ୍ରେ ଏବେ ବି ଡିଜିଟାଲ୍ ଯୁଗରେ ଶହ ଶହ ପାଠକ ଖବରକାଗଜ ଖଣ୍ଡେ ପାଇ ଦେଶ ବିଦେଶର ଖବର ଜାଣିବା ସକାଶେ ବିତରକଙ୍କୁ ଖୋଜୁଥିବା ଦେଖିବାକୁ ମିଳୁଛି । ଖବରକାଗଜ ହକ୍କରମାନଙ୍କ ବହୁବିଧ ସମସ୍ୟା ଓ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ ବୋଲି ଆସିକା ଅଞ୍ଚଳର ଅନ୍ୟତମ ଆଗଧାଡିର ଖବରକାଗଜ ବିତରକ ଲବ ସାହୁ, ପ୍ରମୋଦ କୁମାର ପାଢୀ, ପ୍ରଶାନ୍ତକୁମାର ଜେନା, ଟୁଟୁ ନାହାକ ପ୍ରମୁଖ ଅନୁରୋଧ କରିଥିବା ଜଣାପଡିଛି । ସାଂପ୍ରତିକ ପରିସ୍ଥିତିରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଅଧିକାଂଶ ଖବରକାଗଜ ବିତରକଙ୍କୁ ପାଇଁ ସୋସିଆଲ୍ ମିଡିଆର ବହୁଳ ବ୍ୟବହାର ଆଣିଦେଇଛି ଏକ ପ୍ରମୁଖ ସମସ୍ୟା । ଡିଜିଟାଲ୍ ମିଡିଆ, ସୋସିଆଲ୍ ମିଡିଆ, ଇ-ପେପର, ୱାଟ୍ସଆପ୍, ଫେସ୍ବୁକ୍, ଟୁଇଟର୍, ଇନ୍ଷ୍ଟାଗ୍ରମର ବହୁଳ ବ୍ୟବହାର ଯୋଗୁଁ କୌଣସି ଘଟଣା ଘଟିବାର ନିମିଷକ ମଧ୍ୟରେ ଲୋକଙ୍କ ନିକଟରେ ଖବର ପହଞ୍ଚିଯାଉଥିଲେ ବି ଏବେ ବି ବହୁ ସଚେତନ ନାଗରିକ ମୁଦ୍ରିତ ଗଣମାଧ୍ୟମ ଉପରେ ଅଧିକ ଭରସା ଓ ଆସ୍ଥା ଅତୁଟ ରଖିଥିବା ଜଣାପଡିଛି । ହକ୍କରମାନଙ୍କ ପାଇଁ ଯେତେ ବାଧାବିଘ୍ନ ଆସିଲେ ବି ଖବରକାଗଜ ବିକ୍ରୀ କରିବା ସେମାନଙ୍କ ଏକ ନିଶାରେ ପରିଣତ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହି । ବର୍ଷ ବର୍ଷ ଧରି ବହୁ କଷ୍ଟ ସତ୍ତ୍ୱେ ଘରକୁ ଘର, ଦୋକାନ ବଜାର ବୁଲି ଖବରକାଗଜ ବିକ୍ରୀ କରୁଥିବା ବିତରକମାନେ ନିଜ ବୃତ୍ତିକୁ ନିଷ୍ଠାର ସହ ସଂପାଦନ କରିବା ସାଙ୍ଗକୁ ଉଚ୍ଚପଦସ୍ଥ ଅଫିସରଙ୍କ ଠାରୁ ଆରମ୍ଭ କରି ସମସ୍ତ ପାଠକଙ୍କ ସହ ନିଃସ୍ୱାର୍ଥପର ଭାବେ ସୁସଂପର୍କ ରଖିଆସୁଥିବା ଦେଖିବାକୁ ମିଳୁଛି । ସାଂପ୍ରତିକ ପରିସ୍ଥିତିରେ ଖବରକାଗଜ ବିକ୍ରୀ ବେଉସା କଷ୍ଟକର ବ୍ୟାପାର ହୋଇପଡିଥିଲା ବେଳେ ଖବରକାଗଜ ବିତରକମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା ଓ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ବୋଲି କେତେକ ମହଲରେ ମତ ପ୍ରକାଶ ପାଉଛି । ହକ୍କରମାନଙ୍କ ହିତ ଓ କଲ୍ୟାଣ ପାଇଁ ସରକାର ପଦକ୍ଷେପ ନେବା ଜରୁରୀ ହୋଇପଡିଛି । ସୋସିଆଲ୍ ମିଡିଆ ଓ ଡିଜିଟାଲ୍ ମିଡିଆର ବହୁଳ ପ୍ରସାର ଓ ପ୍ରଚାର ଯୋଗୁଁ ଖବରକାଗଡର ଡିମାଣ୍ଟ କମିଥିଲେ ବି ଏହା ଅସ୍ଥିତ୍ୱ ହରାଇବାର ପ୍ରଶ୍ନ ଉଠୁନାହିଁ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିଲା ବେଳେ ବହୁ ଯୁବପିଢୀ ଓ ବରିଷ୍ଠ ନାଗରିକମାନେ ନିୟମିତ ଖବରକାଗଜ ପଢିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଖବରକାଗଜ ବିତରକ ତଥା ହକ୍କରମାନଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ସେମାନଙ୍କୁ ଆୟୁଷ୍ମାନ୍ ଯୋଜନାରେ ସାମିଲ୍ କରିବା, ସ୍ୱାସ୍ଥ୍ୟଗତ ଓ ଦୁର୍ଘଟଣା ଜନିତ ବୀମା ସୁବିଧା ଯୋଗାଇଦେବା, ଆବାସ ଯୋଜନାରେ ଘର ଯୋଗାଇଦେବା, ୬୦ ବର୍ଷରୁ ଉର୍ଦ୍ଧ୍ୱ ଖବରକାଗଜ ବିତରକଙ୍କୁ ପେନ୍ସନ୍ ପ୍ରଦାନର ବ୍ୟବସ୍ଥା କରିବା, ଖବରକାଗଜ ବିତରକଙ୍କୁ ରାସନ୍ କାର୍ଡ ଯୋଗାଇଦେବା ଓ ସେମାନଙ୍କ ସନ୍ତାନ ସନ୍ତତିଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ସହାୟତା ସାଙ୍ଗକୁ କନ୍ୟା ସନ୍ତାନର ବାହାଘର ବେଳେ ଆର୍ଥିକ ସହାୟତା ପ୍ରଦାନ କରିବା, ବିନା ସୁଧରେ ଦୁଇଚକିଆ ଯାନ କିଣିବା ଲାଗି ଋଣ ଯୋଗାଇଦେବା ସମେତ ଅନ୍ୟାନ୍ୟ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଆସିକା ଅଞ୍ଚଳର ଅଗ୍ରଣୀ ଖବରକାଗଜ ବିତରକ ଲବ ସାହୁ ଅନୁରୋଧ କରିଛନ୍ତି ।