ବିଭିନ୍ନ ସ୍ଥାନରେ ସାବିତ୍ରୀ ବ୍ରତ ପାଳିତ
ହାଟଡ଼ିହି(ଓ୍ବାଇଏନଏସ): ଆଜି ହେଉଛି ଜ୍ୟେଷ୍ଠ ଅମାବାସ୍ୟା। ଏହାକୁ ସାବିତ୍ରୀ ଅମାବାସ୍ୟା ବୋଲି ବି କୁହାଯାଇଥାଏ। ଏହି ତିଥିରେ ପାଳିତ ହୋଇଥାଏ ସାବିତ୍ରୀ ବ୍ରତ। ଏଥିଲାଗି ସାରା ଓଡ଼ିଶାରେ ସଧବା ହିନ୍ଦୁ ନାରୀମାନେ ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳିଥାନ୍ତି। ଆଜି ସଧବା ମହିଳାମାନେ ମହାସତୀ ସାବିତ୍ରୀଙ୍କ ପତି ଭକ୍ତିକୁ ମନେ ପକାଇ ପୂଜାର୍ଚ୍ଚନା କରିଛନ୍ତି। ଏଥିପାଇଁ ଆଜି ସକାଳୁ ସକାଳୁ ମନ୍ଦିର ଗୁଡିକରେ ପ୍ରବଳ ଗହଳି ଲାଗିଥିଲା। ଅକରୁଆ ପଞ୍ଚାୟତ ଘୋଷରପଦା ସାବିତ୍ରୀ ପୀଠରେ ଶହ ଶହ ମହିଳା ଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସେହିପରି ଶାସଙ୍ଗ ବାଲିଆ ପୋଖରୀ ନିକଟରେ ଥିବା ମନ୍ଦିର, ଛେନାପଦି ଛକ ସ୍ଥିତ ମା ତାରିଣୀ ମନ୍ଦିର, ବିଶେଶ୍ୱର ମହାଦେବ ମନ୍ଦିର, ମଲାରପଦା ମୁକ୍ତେଶ୍ଵର ମନ୍ଦିର ନିକଟରେ ସଧବା ମହିଳା ମାନେ ସ୍ୱାମୀ ଓ ପରିବାରର ମଙ୍ଗଳ କାମନା କରି ପୁଜାର୍ଚନା କରିବା ସହ ନବବସ୍ତ୍ର ପରିଧାନ କରି ସୂର୍ଯ୍ୟଦେଵ ଙ୍କୁ ଜଳଲାଗି କରୁଥିବା ଦେଖିବାକୁ ମିଳିଥିଲା। କେହି କେହି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରୁଛନ୍ତି ତ ପୁଣି କେହି ନିଜଘରକୁ ପୂଜକଙ୍କୁ ଡକାଇ ପୂଜାର୍ଚ୍ଚନା କରୁଛନ୍ତି।


