ଟ୍ରାନ୍ସଫର୍ମରକୁ ୧୦୦କେଭି ସହିତ ସୁରକ୍ଷା ବାଡ଼ଦେବାକୁ ଦାବି
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ଗ୍ରାମପଞ୍ଚାୟତ ସେଣ୍ଡକାପ ଗ୍ରାମର ବେହେରା ସାହିକୁ ପଳାଶପଙ୍ଗା ଫିଡରର ଝୁମ୍ପୁରା ସେକ୍ସନରୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି। ବେହେରା ସାହି ନିକଟ ଆମ୍ବ ତୋଟା ରେ ଥିବା ୨୫କେଭି ଟ୍ରାନ୍ସଫର୍ମରରୁ ଗ୍ରାମର ବେହେରା ସାହି, ପାତ୍ର ସାହି ଓ ଶିବ ଦୁର୍ଗା ମନ୍ଦିର ସାହିର ପାଖାପାଖି ଏକ ଶହରୁ ଅଧିକ ଘରକୁ ବିଦ୍ୟୁତ ସଂଯୋଗ କରାଯାଇଛି । ଅଧିକାଂଶ ସମୟରେ ଏହାର ଫିୟୁଜ ଜଳି ଯାଉଛି ବା ଏମସିବି ଟ୍ରିପ ହୋଇ ଯାଉଛି ଯାହା ଫଳରେ ଲୋକମାନେ ବିଦ୍ୟୁତ ସରବରାହରୁ ବଞ୍ଚିତ ହେଉଛନ୍ତି । ଟ୍ରାନ୍ସଫର୍ମର ଲାଗିଥିବା ସ୍ଥାନରେ ପ୍ରତିବର୍ଷ କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ରଜ ମହୋତ୍ସବ ପାଳିତ ହୋଇଥାଏ ଯୋଉଥିରେ କି ହଜାର ହଜାର ସଂଖ୍ୟକ ଲୋକ ଏକତ୍ରିତ ହୋଇଥାନ୍ତି ମାତ୍ର ଟ୍ରାନ୍ସଫର୍ମର ଚାରିପଟେ ସୁରକ୍ଷା ବ୍ୟବସ୍ତା ନ ଥାଇ ମୁକୁଳା ପଡିଥିବାରୁ ଏହା ଦୁର୍ଘଟଣାକୁ ନିମନ୍ତ୍ରିତ କରୁଛି । ଦୁର୍ଘଟଣା ରୋକିବା ଓ ଉପଯୁକ୍ତ ବିଦ୍ୟୁତ ସେବା ଯୋଗାଇ ଦେବାପାଇଁ ତୁରନ୍ତ ୨୫କେଭି ଟ୍ରାନ୍ସଫର୍ମରକୁ ୧୦୦କେଭି ଟ୍ରାନ୍ସଫର୍ମରରେ ପରିଣତ ସହିତ ସୁରକ୍ଷା ବାଡ଼ ଦେଇ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଯୁବ ଓ ଶ୍ରମ ବିକାଶ ମଞ୍ଚର ସାଧାରଣ ସମ୍ପାଦିକା ଶୈଳବାଳା ପରିଡା, ସଭାପତି ପୁଷ୍ପାଞ୍ଜଳି ବେହେରାଙ୍କ ସମେତ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି।