କଟକରେ ଡ୍ରେନେଜ କାର୍ଯ୍ୟର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ

କଟକ,(ଓ୍ବାଇଏନଏସ): ଓଡ଼ିଶାରେ ପ୍ରବେଶ କରିସାରିଛି ମୌସୁମୀ । ଆଗକୁ ରହିଛି ବଡ ବର୍ଷା । ବର୍ଷା ଦିନ ଆସିଲେ ଫେଲ ମାରେ ଡ୍ରେନେଜ ବ୍ୟବସ୍ଥା ଜଳମଗ୍ନ ହୁଏ କଟକ ସହର । ଏଥର ସିଲଭର ସିଟିରେ ଯେପରି ଜଳମଗ୍ନ ପରିସ୍ଥିତି ନଉପୁଜେ ତାହାକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ କଡା ତାଗିଦ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଯେଉଁ ଅଧିକାରୀ ନିଜର କାର୍ଯ୍ୟ ସଠିକ ଭାବରେ ନ କରୁଛନ୍ତି ତାଙ୍କୁ ୩ ଥର ନୋଟିସ ଦିଆଯିବ ଏହା ପରେ ବି ତ୍ରୁଟି ଦେଖାଗଲେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସିଏମସି କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । କେବଳ ସେତିକି ନୁହେଁ କଟକ ସହରରେ ଯେଉଁମାନେ ଯେ କୌଣସି ସ୍ଥାନରେ ଅଳିଆ ପକାଉଛନ୍ତି , ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ଗତକାଲି କଟକରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଭିନ୍ନ ସ୍ଥାନକୁ ଯାଇ ଡ୍ରେନେଜ କାର୍ଯ୍ୟର ସମୀକ୍ଷା କରିଥିଲେ । ବର୍ଷାଦିନେ ସହରରେ ଉପୁଜୁଥିବା ଜଳବନ୍ଦୀ ସମସ୍ୟା ଓ ତାର ସମାଧାନ ପାଇଁ ସମୀକ୍ଷା କରିଥିଲେ । ପଟାପୋଲ ଠାରୁ ମାତୃଭବନ ଯାଏ ବକ୍ସ ଡ୍ରେନ ଅଞ୍ଚଳ ବୁଲି ସହରର ସ୍ଥିତି ଅନୁଧ୍ୟାନ କରିଥିଲେ । ପଟାପୋଲ, ରାଉସା ପାଟଣା, ଛତ୍ର ବଜାର, ମାତୃଭବନ ପର୍ଯ୍ୟନ୍ତ ଯାଇଥିବା କିଲୋମିଟର ଲମ୍ବ ମୁଖ୍ୟ ବକ୍ସଡ୍ରେନର ସଫେଇ,ପଙ୍କଉଦ୍ଧାର ସମ୍ପର୍କରେ ଅବଗତ ହୋଇଛନ୍ତି ମନ୍ତ୍ରୀ । ସିଏମସି ମେୟର, କମିଶନର, ୱାଟକୋ ଅଧିକାରୀ, ବିଭାଗୀୟ ଯନ୍ତ୍ରୀ, ବିଭିନ୍ନ ଅଞ୍ଚଳର କର୍ପୋରେଟରଙ୍କ ସହ ଡ୍ରେନ ସଫେଇ ଓ ବର୍ଷା ଜଳ ନିଷ୍କାସନ ନେଇ ମନ୍ତ୍ରୀ ଆଲୋଚନା କରିଥିଲେ । ତେବେ କିଛି ସ୍ଥାନରେ ଚାଲୁଥିବା ଡ୍ରେନ କାର୍ଯ୍ୟକୁ ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ଫିଲ୍ଡ ଭିଜିଟ ପରେ ମନ୍ତ୍ରୀ CDA କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, “କଟକ ସହର ସ୍ଥିତିକୁ ଆଜି ଆମେ ଅନୁଧ୍ଯାନ କରିଛୁ । ଯେଉଁ ସବୁ ବକ୍ସ ଡ୍ରେନ ହୋଇଛି, ସେଥିରେ କେମିତି ଜଳ ନିଷ୍କାସନ ହୋଇପାରିବ, ତାଉପରେ ଆମେ ଧ୍ୟାନ ଦେଇଛୁ । ଆମର ଓ୍ବାଟକେ, ସିଏମସି ମିଳିତ ଭାବେ ଏହା କାର୍ଯ୍ୟକୁ ତ୍ବରାନ୍ବିତ ଗତିରେ ନେବା ପାଇଁ ଏବଂ ବର୍ଷା ସମୟରେ ଜଳବନ୍ଦୀ କିପରି ନହେବ ତାଉପରେ ଗୁରୁତ୍ବ ଦିଆଯାଉଛି । ସହର ବୁଲିବା ଭିତରେ ଯାହା ମୁଁ ଅନୁଭବ କରିଛି ତାକୁ ନେଇ ତାଗିତ୍‌ କରିଛି । ପୁଣି ଥରେ ମୁଁ ସହର ବୁଲିବାକୁ ଆସିବି । ଆଉ ଏହାପରେ ଆକ୍ସନ ହେବ । ଏକଥା ମଧ୍ୟ ସବୁ ଅଧିକାରୀଙ୍କୁ ଶୁଣାଇ ସାରିଛୁ । ଛୋଟ ଛୋଟ ଜିନିଷରେ ଧ୍ୟାନ ନଦେବାରୁ ଏଠାରେ ସୁସ୍ଥ ବାତାବରଣ ହୋଇପାରୁନାହିଁ । କଟକ ସହର ଏକ ସୁନ୍ଦର ସହର ଭାବେ କିପରି ପରିଣତ ହେବ ତାଉପରେ ଆମେ ଗୁରୁତ୍ବ ଦେବୁ । ଯେଉଁଠି ସମସ୍ୟା ରହିଛି ସେଠାରେ କାର୍ଯ୍ୟ ଚାଲୁଛି । ପାଣି ନିଷ୍କାସନ ପାଇଁ କାର୍ଯ୍ଯ ଜାରି ରହିଛି ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ