ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା
ବନ୍ତ,(ଚାନ୍ଦିନୀ ମହାନ୍ତି) : ଆଜି ବନ୍ତ ବ୍ଲକ ପରିସରରେ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ୧୫ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ୪୫ ଜଣ ମହିଳା ଭାଗ ନେଇଥିଲେ । ସକାଳେ କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଜେନା ଉଦ୍ଘାଟନ କରିଥିଲେ । ମଧ୍ୟାହ୍ନରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ଯୋଗ ଦେଇ ମାଆ ମାନେ ସରକାରଙ୍କର ବିଭିନ୍ନ ଯୋଜନା ମାଧ୍ୟମରେ ସ୍ୱାବଲମ୍ବୀ ହେବା ନେଇ ମତବ୍ୟକ୍ତ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀତାକାନ୍ତ ରାଉତ, ଅତିରିକ୍ତ ତହସିଲଦାର ପ୍ରସନ୍ନ ମହାନ୍ତି, ସିଡିପିଓ ଆଲାଦି ମାରାଣ୍ଡି ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଖାଦ୍ୟ ସାମଗ୍ରୀ ଗୁଡିକର ମୂଲ୍ୟାୟନ କରିଥିଲେ । ସେଥିମଧ୍ୟରୁ ଓମ୍ ମାଆ ସ୍ୱୟଂ ସହାୟକ ଗୋଷ୍ଠୀ ବନ୍ତ ପ୍ରଥମ ହୋଇଥିବା ବେଳେ ମାତୃଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଓଡଙ୍ଗ ୨ୟ ସ୍ଥାନ ଅଧିକାର କରି ଜିଲା ସ୍ତରକୁ ମନୋନୀତ ହୋଇଥିଲେ । ଓଡିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ପରିଚାଳକ ଦୁର୍ଗା ପ୍ରସାଦ ଦାଶ ଏବଂ ବ୍ଲକ ପ୍ରକଳ୍ପ ସଂଯୋଜକ ସୁବ୍ରତ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ରଶ୍ମିତା ପଣ୍ଡା, ଲିପ୍ସା ପାଣିଗ୍ରାହୀ, ସଞ୍ଜୁଲତା ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଖାଦ୍ୟ ମେଳାରେ ପାରମ୍ପରିକ ଏଣ୍ଡୁରି ପିଠା, ପୋଡ ପିଠା, ରସାବଳୀ, ଚୂଡା ଘସା, ଉପମା, ପୋଡ ଆଦି ବିଭିନ୍ନ ଖାଦ୍ୟ ପ୍ରଦର୍ଶିତ ହୋଇଥିଲା ।


