ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ପ୍ରସ୍ତୁତି

ଛତ୍ରପୁର,(ପ୍ରଶାନ୍ତ କୁମାର ମହାରଣା): ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଜୋରଦାର କରାଯାଇଛି। ଏନେଇ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ନିୟମିତ ବୈଠକ କରି ବିଭିନ୍ନ ବିଭାଗକୁ ସତର୍କ ରହିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ସମୀର କୁମାର ଜେନା ଜିଲ୍ଲାର ବିଭିନ୍ନ ତଳିଆ ଓ ନଦୀକୂଳିଆ ଅଞ୍ଚଳ ପରିଦର୍ଶନ କରି ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ହରିପୁର, ଗୋପାଳପୁର, ଗୋବା ବନ୍ୟା / ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଅସ୍ଥାୟୀ ଆଶ୍ରୟ ସ୍ଥଳୀ ଏବଂ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ପୂର୍ବ ପ୍ରସ୍ତୁତି ଓ ତାହାର ଅନୁଧ୍ୟାନ କରିଥିଲେ। ବିଶେଷକରି ନଭେମ୍ବର ୧୭ ତାରିଖଠାରୁ ବିପଦସଂକୁଳ ଅଞ୍ଚଳର ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବାର ଯୋଜନା ରହିଥିବାରୁ ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ଖାଦ୍ୟ, ଆଲୋକ, ସ୍ୱାସ୍ଥ୍ୟସେବା ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ଉପରେ ସିଡିଓ ଗୁରୁତ୍ୱାରୋପ କରିଥିଲେ। ଏଥିସହ ସମସ୍ତ ଆବଶ୍ୟକୀୟ ଉପକରଣ ଓ ଉଦ୍ଧାର ସାମଗ୍ରୀ ପ୍ରସ୍ତୁତ ରଖିବାକୁ ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକରେ ଯେପରି ପୁନର୍ବାର ସମାନ ପରିସ୍ଥିତି ସୃଷ୍ଟି ନହୁଏ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଥିଲେ। ଏହି ସମୟରେ ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ, ନିର୍ବାହୀ ଯନ୍ତ୍ରୀ ଲଗ୍ନଜିତ ସାହୁ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ