ସମ୍ଭାବ୍ୟ ବାତ୍ୟା “ଅକ୍ଭାନ୍” କୁ ନେଇ ଆସିକା ଅଞ୍ଚଳର ଚାଷୀ ଚିନ୍ତାରେ
ଆସିକା (ୱାଇଏନ୍ଏସ୍) :ଗତ ଅକ୍ଟୋବର ମାସ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାର କ୍ଷତ ଭରଣା ନ ହେଉଣୁ ପୁଣି ଏକ ଆସନ୍ନ ବାତ୍ୟା ଅକ୍ଭାନ୍କୁ ନେଇ ଆସିକା ଅଞ୍ଚଳର ଚାଷୀ ମାନସିକ ସ୍ତରରେ ଚିନ୍ତିତ ହୋଇପଡିଥିବା ଦେଖିବାକୁ ମିଳିଛି । ପ୍ରଳୟଙ୍କରୀ ବନ୍ୟାରେ ଗତ କିିଛି ଦିନ ତଳେ ଧାନ ଓ ପନିପରିବା ଏବଂ ଆଖୁ ସମେତ ଅନ୍ୟାନ୍ୟ ଫସଲ ବିଶେଷ ଭାବେ କ୍ଷୟକ୍ଷତି ହୋଇଥିଲା । ବର୍ତ୍ତମାନ୍ ସମ୍ଭାବ୍ୟ ବାତ୍ୟା “ଅକ୍ଭାନ୍” କୁ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଆସନ୍ନ ବାତ୍ୟାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବା ଆଶଙ୍କା ରହିଛି । ସମ୍ଭାବ୍ୟ ବାତ୍ୟା ଓ ତଥା ଏହାର ପ୍ରଭାବରେ ସୃଷ୍ଟି ହେବାକୁ ଥିବା ପବନରେ ଧାନ ଫସଲ ନଷ୍ଟ ହେବାର ସମ୍ଭାବନା ଥିବାରୁ ଆସିକା ଅଞ୍ଚଳର ଚାଷୀଙ୍କ ମନରେ ଫସଲ ନଷ୍ଟ ହେବା ଭୟରେ ଛନକା ପଶିଯାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ବ୍ଳକ ପରିସରଭୁକ୍ତ ୨୭ଟି ପଂଚାୟତ ଓ ପୌର ପରିଷଦ ଅଧିନସ୍ଥ ୧୮ଟି ୱାର୍ଡ ପରିସରଭୁକ୍ତ ଅଞ୍ଚଳରେ ଥିବା ସମୂଦାୟ ୧୫୮୬୩ ହେକ୍ଟର କ୍ଷେତ ମଧ୍ୟରୁ ୮୭୨୨ ହେକ୍ଟର ଜମିରେ ଖରିଫ୍ ଧାନଫସଲ ହୋଇଥିଲା ବେଳେ ୭୧୪୧ ହେକ୍ଟର କ୍ଷେତରେ ଅଣଧାନ ଫସଲ ହୋଇଥିବା ଜଣାପଡିଛି । ଆସିକା କୃଷି ବିଭାଗ କାର୍ଯ୍ୟାଳୟ ଅଧୀନସ୍ଥ ଉଚ୍ଚା ଜମି, ମଧ୍ୟମ ଜମି ଓ ଖାଲଜମିରେ ୮୭୨୨ ହେକ୍ଟର ଜମିରେ ଧାନଫସଲ ହୋଇଥିଲା ବେଳେ ସମ୍ଭାବ୍ୟ ବାତ୍ୟା ଅକ୍ଭାନ୍ର ପ୍ରଭାବରେ ଯଦି ପ୍ରବଳ ବର୍ଷା ଓ ପବନ ହୁଏ ତେବେ ଶହ ଶହ ହେକ୍ଟର ଜମିର ଧାନଫସଲ ପୁଣି ନଷ୍ଟ ହେବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ଆଲୋଚିତ ହେଉଛି । ଗତ ଅକ୍ଟୋବର ମାସ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଆସିକା ଅଞ୍ଚଳର ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ହେକ୍ଟର ଜମିର ଧାନଫସଲ ଜଳମଗ୍ନ ହୋଇ ନଷ୍ଟ ହୋଇଯାଇଥିବା ଚର୍ଚ୍ଚା ହେଉଛି । ଗତ ଅକ୍ଟୋବର ମାସ ୨୯ ତାରିଖର ପ୍ରଳୟଙ୍କରୀ ବନ୍ୟାର କରାଳ ରୂପ ଆସିକାବାସୀଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଏକ ସମ୍ଭାବ୍ୟ ବାତ୍ୟା ଓ ବନ୍ୟାକୁ ନେଇ ଲୋକଙ୍କ ମନରେ ଛନକା ପଶିଯାଇଥିବା ଦେଖିବାକୁ ମିଳୁଛି । ସମ୍ଭାବ୍ୟ ବାତ୍ୟା ଅକ୍ଭାନ୍ ପୁଣି ଚାଷୀଙ୍କ ମୁହଁରୁ ଦାନା ଛଡାଇ ନେବ ବୋଲି ମତ ପ୍ରକାଶ ପାଉଛି । ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା ଅକ୍ଭାନ୍ । ଚାଷୀଙ୍କର ଦାନା ଛଡାଇ ନେବ କି ଆସନ୍ନ ବାତ୍ୟା ଅକ୍ଭାନ୍ । ଏହି ପ୍ରଶ୍ନ ଚାଷୀଙ୍କ ମନରେ ଉଙ୍କି ମାରୁଛି । ସମ୍ଭାବ୍ୟ ବାତ୍ୟା ଅକ୍ଭାନ୍ ଭୟରେ ଚାଷୀକୂଳ ଭୟଭୀତ ହୋଇପଡିଛନ୍ତି । ସମ୍ଭାବ୍ୟ ବାତ୍ୟା ଅକ୍ଭାନ୍ ଉଜାଡି ନେବକି ଶହ ଶହ ହେକ୍ଟର ଜମିର ଫସଲ । ଏବେ ଦାନା ଚିନ୍ତାରେ ଚାଷୀକୂଳ ଚିନ୍ତିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ଅତୀତରେ ୧୯୯୯ ମସିହାରେ ହୋଇଥିବା ପ୍ରଳୟଙ୍କରୀ ମହାବାତ୍ୟା ପର ଠାରୁ ୨୦୧୩ ମସିହାରେ ହୋଇଥିବା ଫାଇଲିନ୍, ୨୦୧୪ ମସିହାରେ ହୋଇଥିବା ହୁଡ୍ହୁଡ୍, ୨୦୧୮ ମସିହାରେ ହୋଇଥିବା ତିତିଲି, ୨୦୧୯ ମସିହାରେ ହୋଇଥିବା ଫନି, ୨୦୨୦ ମସିହାରେ ହୋଇଥିବା ଅମ୍ଫନ ବାତ୍ୟା, ୨୦୨୬ ମସିହା ଅକ୍ଟୋବର ମାସରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଆସିକା ଅଞ୍ଚଳର ଚାଷୀକୂଳର ପ୍ରଭୁତ କ୍ଷତି ପହଂଚାଇଥିବା ନଜିର୍ ରହିଛି । ପ୍ରଭୁତ କ୍ଷତି ସହିଥିବା ଚାଷୀ ବର୍ତ୍ତମାନ ସୁଦ୍ଧା ସଂପୁର୍ଣ୍ଣ ଭାବେ ଅଣ୍ଟା ସଳଖି ପାରିନଥିବା ବେଳେ ବର୍ତ୍ତମାନ ବହୁ ଚାଷୀଙ୍କୁ ସମ୍ଭାବ୍ୟ ବାତ୍ୟା ଅକ୍ଭାନ୍ ଡରାଇଲାଣି । ଏହି କାରଣରୁ ଏବେ ଆସିକା ସହର ତଥା ଅଖପାଖ ଅଞ୍ଚଳର ବହୁ ଚାଷୀ ଚିନ୍ତିତ ଓ ଭୟଭୀତ ହୋଇପଡିଛନ୍ତି । ସମ୍ଭାବ୍ୟ ବାତ୍ୟା ଅକ୍ଭାନ୍ର ପ୍ରଭାବରେ ଧାନଫସଲ ଏବଂ ଆଖୁଫସଲ ଓ ପନିପରିବା ଚାଷ ବିଶେଷ ଭାବେ ପ୍ରଭାବିତ ହେବା ସମ୍ଭାବନାକୁ ଏଡାଇ ହେଉନାହିଁ । ଧାନ ପାଚିବା ସମୟରେ ବର୍ଷା ଉଜାଡି ଦେବ କି ଫସଲ ଚିନ୍ତାରେ ଚାଷୀ ଚିନ୍ତିତ ହୋଇପଡିଛି । ବାତ୍ୟା ପରିସ୍ଥିତି ସ୍ପଷ୍ଟ ହୋଇନଥିଲେ ମଧ୍ୟ ପାଣିପାଗ ବିଭାଗର ସୂଚନାକୁ ଆଧାର କରି ଚାଷୀର ମନୋବଳ ଭାଙ୍ଗିପଡିବାରେ ଲାଗିଛି ବୋଲି ଆଲୋଚିତ ହେଉଛି । ବର୍ଷାକୁ ଅଧିକ ଏବଂ ପବନକୁ ଭୟ କରୁଛନ୍ତି ଅଧିକ ଚାଷୀ । ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଯଦି ପବନ ହୁଏ ତେବେ କଥା ସରିଲା । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷ ଭଲ ଧାନ ଫସଲ ହୋଇଥିବା ବେଳେ ଗତ ଦୁଇ ସପ୍ତାହ ତଳେ ପ୍ରଳୟଙ୍କରୀ ବନ୍ୟାରେ ଧାନଫସଲ ବ୍ୟାପକ ଭାବେ ନଷ୍ଟ ହୋଇଥିଲା ବେଳେ ବର୍ତ୍ତମାନ ପୁଣି ସମ୍ଭାବ୍ୟ ବାତ୍ୟାଜନିତକ ପବନ ଓ ପ୍ରବଳ ବର୍ଷା ହେଲେ ଫସଲ ହାନି ସମ୍ଭାବନା ରହିଥିବାରୁ ବହୁ ଚାଷୀ ଭୟଭୀତ ଅବସ୍ଥାରେ ରହିଥିବା ଲକ୍ଷ୍ୟ କରାଯାଇଛି ।


