ଜାତୀୟ ପ୍ରେସ ଦିବସ ପାଳିତ

କୋରାପୁଟ, (ହେମନ୍ତ ପାଣିଗ୍ରାହୀ) : ସମାଜର ଦର୍ପଣ ଭାବେ ପରିଚିତ ଗଣମାଧ୍ୟମ କେବଳ ଖବର ପରିବେଷଣର ମାଧ୍ୟମ ନୁହେଁ, ବରଂ ଜନସାଧାରଣଙ୍କ ସ୍ୱରକୁ ଶାସନ ବ୍ୟବସ୍ଥା ନିକଟରେ ପହଞ୍ଚାଇବା ସହ ଗଣତନ୍ତ୍ରର ମୂଲ୍ୟବୋଧକୁ ସୁଦୃଢ଼ କରିବାର ଏକ ଶକ୍ତିଶାଳୀ ଆୟୁଧ। ଏହି ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ଓ ସାମ୍ବାଦିକତାର ନୈତିକ ମୂଲ୍ୟବୋଧକୁ ସ୍ମରଣ କରି କୋରାପୁଟ ଜିଲ୍ଲା ନନ୍ଦପୁରଠାରେ ଜାତୀୟ ପ୍ରେସ ଦିବସ ଉତ୍ସାହ ଓ ଗରିମାର ସହ ପାଳିତ ହୋଇଯାଇଛି।
ଏହି ଅବସରରେ ଆୟୋଜିତ ସଭାରେ ସୁନାବେଡ଼ା ପୌରପାଳିକାର ଅଧ୍ୟକ୍ଷ ଡା. ରାଜେନ୍ଦ୍ର କୁମାର ପାତ୍ର ମୁଖ୍ୟ ଅତିଥି, ଅଧ୍ୟାପକ ତଥା ସ୍ତମ୍ଭକାର କିଶୋର ଚନ୍ଦ୍ର ବେହେରା ମୁଖ୍ୟବକ୍ତା ଏବଂ କବି ବିଚିତ୍ରାନନ୍ଦ ପଣ୍ଡା ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ବରିଷ୍ଠ ନେତା ଗୋପାଳକୃଷ୍ଣ ବେବର୍ତ୍ତା, ପୂର୍ବତନ ସରପଞ୍ଚ ଜଗନ୍ନାଥ ପାଙ୍ଗି, ଶେଖ୍ ଗଫର୍, ବିଜେପି ନେତା ସରୋଜ କୁମାର ମିଶ୍ର, ନନ୍ଦପୁର ଥାନା ଅଧିକାରୀ ତ୍ରିନାଥ ତୋଟାପାଡ଼ିଆ ଏବଂ କଳିଙ୍ଗ-୨୪ ନ୍ୟୁଜ୍ ଓଡ଼ିଶାର ବ୍ୟୁରୋ ମୁଖ୍ୟ ସଞ୍ଜୀବ ଖୁରା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ସଭାରେ ‘ଡିଜିଟାଲ ଦୁନିଆରେ ସାମ୍ବାଦିକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ’ ଶୀର୍ଷକ ଆଲୋଚନାଚକ୍ରରେ ବକ୍ତାମାନେ ମତପ୍ରକାଶ କରି କହିଥିଲେ ଯେ, ବର୍ତ୍ତମାନର ଦ୍ରୁତ ପରିବର୍ତ୍ତନଶୀଳ ଡିଜିଟାଲ ଯୁଗରେ ସୂଚନାର ପ୍ରସାର ଯେତିକି ସହଜ ହୋଇଛି, ତାହାର ସତ୍ୟାସତ୍ୟ ଯାଞ୍ଚ କରିବା ଓ ନିରପେକ୍ଷ ଭାବେ ଉପସ୍ଥାପନ କରିବା ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଖବରର ଲୋକପ୍ରିୟତା ଅପେକ୍ଷା ତାହାର ସତ୍ୟତା, ନିରପେକ୍ଷତା ଓ ନୈତିକତାକୁ ପ୍ରାଧାନ୍ୟ ଦେବା ସାମ୍ବାଦିକଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି ସେମାନେ ମତ ରଖିଥିଲେ। ଏକ ସୁସ୍ଥ, ସଚେତନ ଓ ଦାୟିତ୍ୱବାନ ସମାଜ ଗଠନରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକତାର ଅବଦାନ ଅତୁଳନୀୟ। ଜନସାଧାରଣଙ୍କ ସମସ୍ୟାକୁ ସ୍ୱର ଦେବା, ଅନ୍ୟାୟ ଓ ଅନିୟମିତତାକୁ ଲୋକଲୋଚନକୁ ଆଣିବା ସହ ସମାଜକୁ ସଠିକ୍ ଦିଗଦର୍ଶନ ଦେବାରେ ସାମ୍ବାଦିକମାନଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଅତିଥିମାନେ ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଭାବେ ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘଦିନ ଧରି ନିଷ୍ଠାର ସହ ସେବା ପ୍ରଦାନ କରିଆସୁଥିବା ବରିଷ୍ଠ ସାମ୍ବାଦିକମାନଙ୍କୁ ଅତିଥିମାନେ ମାନପତ୍ର, ଉପଢ଼ୌକନ ଓ ସ୍ମାରକୀ ଫଳକ ପ୍ରଦାନ କରି ସମ୍ମାନିତ କରିଥିଲେ। ଏଥିସହ ରାଜ କମ୍ପ୍ୟୁଟର ଏକାଡେମୀ ପକ୍ଷରୁ ‘ସୁସ୍ଥ ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା’ ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ମାନପତ୍ର ପ୍ରଦାନ କରାଯାଇ ସେମାନଙ୍କ ପ୍ରତିଭାକୁ ଉତ୍ସାହିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ତ୍ରିନାଥ ଖରା, ରମେଶ କୁମାର ଅଧିକାରୀ, ଶଙ୍କର ପାଙ୍ଗି, ଜଗନ୍ନାଥ ଖିଲ, ସାମୁଏଲ ଖେମୁଣ୍ଡୁ ଓ ବିମଳ ରାଓ ସ୍ମିଥ୍ ପ୍ରମୁଖ ସୁଚାରୁ ରୂପେ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ