ସୋରଡ଼ା ବ୍ଲକରେ ୩୫୦ରୁ ଊର୍ଦ୍ଧ୍ୱ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସମୂହ ଇସ୍ତଫା

ଛତ୍ରପୁର, (ପ୍ରଶାନ୍ତ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକରେ କାର୍ଯ୍ୟରତ ୨୬ଟି ପଞ୍ଚାୟତର ୩୫୦ରୁ ଊର୍ଦ୍ଧ୍ୱ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସମୂହ ଇସ୍ତଫା ଦେଇଛନ୍ତି। କାର୍ଯ୍ୟକ୍ଷେତ୍ରରେ ହଇରାଣ, ନିର୍ଯାତନା ଓ ଅସହ୍ୟ ମାନସିକ ଚାପର ଶିକାର ହେଉଥିବା ଅଭିଯୋଗ କରି ସେମାନେ ଏହି ପଦକ୍ଷେପ ନେଇଛନ୍ତି। ଇସ୍ତଫା ଦେଇଥିବା କର୍ମଚାରୀଙ୍କ ମଧ୍ୟରେ ଏମ୍‌ବିକେ, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର ଓ ସିଆର୍‌ପିମାନେ ରହିଛନ୍ତି। ସୂଚନା ଅନୁଯାୟୀ, ଏହି କର୍ମଚାରୀମାନେ ଦୀର୍ଘ ୧୪ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ତୃଣମୂଳ ସ୍ତରରେ ସଫଳତାର ସହ ରୂପାୟନ କରିବାରେ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମାତ୍ର ସୋରଡ଼ା ବ୍ଲକରେ କାର୍ଯ୍ୟରତ କିଛି ଅଧିକାରୀଙ୍କ ଦ୍ୱାରା ସେମାନେ ଦୀର୍ଘ ଦିନ ଧରି ଅଯଥା ଚାପ, ଅପମାନ ଓ ଅମାନବୀୟ ବ୍ୟବହାରର ଶିକାର ହେଉଥିବା ଅଭିଯୋଗ ଆଣିଛନ୍ତି। ଏପରିକି ଦରମା ପ୍ରଦାନ ପାଇଁ ଲାଞ୍ଚ ମଗାଯାଉଥିବା ଭଳି ସଙ୍ଗିନ ଅଭିଯୋଗ ମଧ୍ୟ ସେମାନେ କରିଛନ୍ତି। ଗତ ଦୁଇ ବର୍ଷ ଧରି ଏହି ଅସନ୍ତୋଷ ଲାଗି ରହିଥିଲେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ଶେଷରେ ନିଜର ସ୍ୱାଭିମାନ ଓ ସମ୍ମାନ ରକ୍ଷା ପାଇଁ ସମୂହ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିବା ସେମାନେ କହିଛନ୍ତି। ଏହି ଘଟଣାକୁ ନେଇ ସୋମବାର କର୍ମଚାରୀମାନେ ଛତ୍ରପୁର ଆସି ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକଙ୍କୁ ସାକ୍ଷାତ କରି ନିଜର ସମସ୍ୟା ଓ ଅଭିଯୋଗ ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ଓ ଡିପିଏମ୍‌ଙ୍କୁ ମଧ୍ୟ ସମୂହ ଇସ୍ତଫାପତ୍ରର ନକଲ ପ୍ରଦାନ କରିଛନ୍ତି। ସରକାରୀ ଯୋଜନାର ସଫଳ ରୂପାୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଏହି କର୍ମଚାରୀଙ୍କ ସମୂହ ଇସ୍ତଫା ଘଟଣା ସୋରଡ଼ା ବ୍ଲକ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ କର୍ମଚାରୀଙ୍କ ଆଣିଥିବା ଅଭିଯୋଗର ତଦନ୍ତ ଓ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ