ନଦୀକୁ ଖସି ପଡି ଯୁବକ ନିଖୋଜ
ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ବଛାଳୋ ଗ୍ରାମର ଟୁକୁନା ଲେଙ୍କାଙ୍କ ପୁତ୍ର ସୂର୍ଯ୍ୟକାନ୍ତ ଲେଙ୍କା(୨୫) ଗୁରୁବାର ସକାଳ ସମୟରେ ଦେବୀ ନଦୀକୁ ଖସି ପଡି ନିଖୋଜ ହୋଇଥିବା ଜଣାଯାଇଛି। ସୂଚନା ମୁତାବକ ସୂର୍ଯ୍ୟକାନ୍ତ ଘରୁ ବନ୍ଧୁ ଘରକୁ ଭୋଜିରେ ଯୋଗ ଦେବା ପାଇଁ ଯାଇଥିଲେ। ଦେବୀନଦୀର ଶିଖରଘାଟ ପୋଲ ଉପରେ ନିଜ ବାଇକକୁ ରଖି ପୋଲ ବାଡାରେ ଛିଡା ହୋଇଥିବା ବେଳେ ହଠାତ ପୋଲ ତଳକୁ ଖସି ପଡିଥିଲେ। ସ୍ଥାନୀୟ ଲୋକ ଖସି ପଡିବା ଦେଖି ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଉକ୍ତ ଖବର ପ୍ରଚାରିତ ହେବା ପରେ ଥାନା ପକ୍ଷରୁ ଏସଆଇ ଜାକସନ ମାଝୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଅଗ୍ନିଶମ ବାହିନୀ ଦୀର୍ଘ ସମୟ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ନ ମିଳିବାରୁ ଓଡ୍ରାଫ ଟିମର ସହାୟତା ନିଆଯାଇଥିଲା। ଖବର ପ୍ରସ୍ତୁତ ହେଲା ବେଳକୁ ଉଭୟ ଟିମ୍ ମିଳିତ ସହଯୋଗରେ ଖୋଜା ଖୋଜି ଜାରି ରହିଛି। ଯୁବକ ଖସି ପଡିଥିବା ସ୍ଥାନଟି ୪୦ଫୁଟ ଗଭୀର ଅଟେ ଓ ନଦୀରେ ପା ଣି ଭରା ରହିିଛି। ସୂର୍ଯ୍ୟକାନ୍ତ ବାହାରେ କଂପାନୀରେ ରହି କାର୍ଯ୍ୟ କରନ୍ତି। ପ୍ରାୟ ୧୦ଦିନ ହେବ ସେ ଘରକୁ ଆସିଥିଲେ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ପ୍ରେମ ବ୍ୟାପରକୁ ନେଇ ସେ ନଦୀକୁ ଡେଇଁ ଥିବା ବେଳେ କେହି କେହି ସେଲଫି ନେଉଥିବା ବେଳେ ଅସାବଧାନତାବଶତଃ ଖସି ପଡିଥିବା କହୁଛନ୍ତି। ତେଣୁ ଯୁବକ ଜଣଙ୍କ କିପରି ନଦୀରେ ପଡିଲେ ତାହାର କାରଣ ଜଣାପଡିନାହିଁ।