ଅଗ୍ନିକାଣ୍ଡ ଘଟି ୨୦ରୁ ଉର୍ଦ୍ଧ୍ୱ ଛେଳି ଜୀବନ୍ତ ଦଗ୍ଧ, ଗୋଟିଏ ଗାଈ ଅର୍ଦ୍ଧ ଦଗ୍ଧ
ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅନ୍ତର୍ଗତ ବଛାଳୋ ପଂଚାୟତର ଅଲଣା-୨ ଗ୍ରାମସ୍ଥିତ ପୀତବାସ ପରିଡାଙ୍କ ଗୁହାଳ ଘରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨୦ ରୁ ଉର୍ଦ୍ଧ୍ୱ ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଗୋଟିଏ ଗାଈ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଅଗ୍ନିକାଣ୍ଡ କିପରି ଘଟିଛି ତାହାର କାରଣ ଜଣା ପଡିନାହିଁ। ଅଗ୍ନିକାଣ୍ଡ ଘଟିବା ପରେ ଘଟଣାସ୍ଥଳରେ ନାଉଗାଁ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଛେଳିମାନଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା। ପରେ ଘଟଣାସ୍ଥଳରେ ନାଉଗାଁ ରାଜସ୍ୱ ନିରୀକ୍ଷକ ପ୍ରଭାସ ସ୍ୱାଇଁ ଓ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ଅନିଲ ଦାସ ପହଁଚି ତଦନ୍ତ କରିଛନ୍ତି। ପୀତବାସ ଛେଳି ଓ ଗାଈ ଚାଷ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ଅଗ୍ନିକାଣ୍ଡରେ ଛେଳି ମୃତ ପରେ ପରିବାର ଲୋକ ଭାଙ୍ଗି ପଡିଛନ୍ତି। ମୃତ ଛେଳିଙ୍କ ଆନୁମାନିକ ମୂଲ୍ୟ ଦେଢ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ରାଜସ୍ୱ ନିରୀକ୍ଷକ ସ୍ୱାଇଁ ପ୍ରକାଶ କରିଛନ୍ତି। ତେଣୁ ଉକ୍ତ ବ୍ୟକ୍ତିକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କ ଦ୍ୱାରା ଦାବି କରାଯାଇଛି।ଏବିଷୟରେ ତହସିଲଦାର ଅଜୟ ମହାନ୍ତିଙ୍କୁ ପଚାରିବାରେ ତଦନ୍ତ ରିପୋର୍ଟ ଆସିବା ପରେ ଯାହା ସରକାରଙ୍କ ନିୟମ ରହିଛି ତାଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି।