ଗୋ ସୁରକ୍ଷା ନାଁରେ ଦଳିତଙ୍କୁ ମାରଣlନ୍ତକ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଦାବି
ବ୍ରହ୍ମପୁର,(ୱାଇ ଏନ ଏସ): ଗଞ୍ଜାମ ଧରାକୋଟ ବ୍ଲକ ଅଧିନସ୍ଥ ସିଂଗିପୁର ଗ୍ରାମର ବାବୁଲା ନାୟକ ଓ ବୁଲୁ ନୟକଙ୍କୁ ମରଣlନ୍ତକ ଆକ୍ରମଣ ଓ ସର୍ବସାଧାରଣରେ ନିର୍ଯାତନାକୁ ବିରୋଧ କରି ଆଜି ମାନବାଧିକାର ସୁରକ୍ଷା ମଞ୍ଚ ଓ ଅନୁସୂଚିତ ଜାତି ଓ ଜନଜାତି ଅଧିକାର ମଞ୍ଚ ପକ୍ଷରୁ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି l ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ସମୟରେ ବିଭିନ୍ନ ଜାତିଆଣ ପ୍ରସଙ୍ଗରେ ସାମାଜିକ ବାସନ୍ଦ, ମରଣାନ୍ତକ ଆକ୍ରମଣ, ସର୍ବସାଧାରଣରେ ଅପମାନ, ଆର୍ଥିକ ଜୋରିମାନା ଆଦି ଜଘନ୍ୟ ଘଟଣାମାନ ନିୟମିତ ଭାବେ ଘଟି ଚାଲିଛି l ଏହି ଅମାନୁଷିକ ଘଟଣା ଗୁଡ଼ିକୁ ରୋକିବା ପାଇଁ କୌଣସି ପ୍ରକାର ପ୍ରଭାବଶାଳୀ ସରକାରୀ ଅଙ୍କୁଶ କାମ କରୁନାହିଁ l ଗତକାଲି, ତା. ୨୨.୬.୨୦୨୫ରିଖ ଧରାକୋଟ ବ୍ଲକ ଓ ଥାନା ଅନ୍ତର୍ଗତ ଖାରିଗୁମ୍ମା ଗ୍ରାମରେ ସିଙ୍ଗିପୁର ଗ୍ରାମର ଦଳିତ ବର୍ଗର ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ ସହ ଅଧାଲଣ୍ଡା କରି ଆଣ୍ଠେଇ ଆଣ୍ଠେଇ ଚଳାଇ ଘାସ ଖୁଆଇ, ନର୍ଦ୍ଦମା ପାଣି ପିଆଇବା ଘଟଣା ଘଟିଛି l ସୂଚନା ଯେ, ସିଙ୍ଗିପୁର ଗ୍ରାମର ବୁଲୁ ନାୟକ ଓ ବାବୁଲା ନାୟକ ଝିଅକୁ ଯୌତୁକ ଦେବା ପାଇଁ ହରିପୁର ଗ୍ରାମରୁ ତିନୋଟି ଗାଈ ଧରି ନିଜ ଗ୍ରାମକୁ ଯାଉଥିଲେ l ରାସ୍ତାରେ ଖାରିଗୁମ୍ମା ଗ୍ରାମରେ ଆଠ ଜଣ ଅସାମାଜିକ ବ୍ୟକ୍ତି ସେମାନଙ୍କୁ ଅଟକାଇ ଦାଦା ବଟି ୩୦ ହଜାର ଟଙ୍କା ମାଗିଥିଲେ l ବୁଲୁ ଓ ବାବୁଲା ମନା କରିବାରୁ ଗୋଚାଲାଣ କଥା ଅପପ୍ରଚାର କରି ଗାଁ ରେ ଅନ୍ୟ ମାନଙ୍କୁ ଉତ୍ତେଜିତ କରି ଉକ୍ତ ଆଠ ଜଣ ଅସାମାଜିକ ବ୍ୟକ୍ତି ସର୍ବସାଧାରଣରେ ବୁଲୁ ଓ ବାବୁଲାଙ୍କୁ ମରଣାନ୍ତକ ଆକ୍ରମଣ ଓ ଅମାନୁଷିକ ନିର୍ଯାତନା ଦେଇଥିଲେ l ଏହି ଜଘନ୍ୟ କାଣ୍ଡର ଶିକାର ହୋଇଥିବା ଉକ୍ତ ଦୁଇଜଣ ଦଳିତ ବର୍ଗର ବ୍ୟକ୍ତିଙ୍କ ମାନବିକ ଅଧିକାର କ୍ଷୁର୍ଣ୍ଣ ହେବାସହ ସେମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି ଓ ରାଷ୍ଟ୍ରୀୟ ବ୍ୟବସ୍ଥା ଉପରେ ଜନଗଣଙ୍କ ବିଶ୍ୱାସର ହାନି ଘଟିଛି l ଦେଶ ସ୍ବାଧିନତାର ୭୮ବର୍ଷ ପରେ ବି ମଣିଷକୁ ମଣିଷ ଭଳି ନ ଦେଖିବା ଏହା ଭାରତବର୍ଷର ସମ୍ବିଧାନ ଓ ସର୍ବବୃହତ ଗଣତନ୍ତ୍ର ପ୍ରତି ଅପମାନ l ଏଣୁ ଏହି ଜଘନ୍ୟ ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରି ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବୁଲୁ ନାୟକ ଓ ବାବୁଲା ନାୟକଙ୍କ ପରିବାରର ସୁରକ୍ଷା ବ୍ୟବସ୍ଥା କରାଯିବା ପାଇଁ ଦାବି କରାଯାଇଛି l ଏହି ଦାବିପତ୍ର ବେଳେ ମାନବାଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସମ୍ପାଦକ ଏସ. କେଶବ ଲିଙ୍ଗମ୍ , ଆଇନଜୀବି ଅବନୀ ଗୟା , ଅନୁସୂଚିତ ଜାତି ଓ ଜନଜାତି ଅଧିକାର ମଞ୍ଚର ଅଭିମନ୍ୟୁ ନାହାକ , କଂଗ୍ରେସ ନାହାକ ଏବଂ ଅଲ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭାର ଜିଲ୍ଲା ଆବାହକ ନିରାକାର ନିରାକାର ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ।