ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ଝଟକା: ଅସ୍ଥାୟୀ ଆଫିଲିଏସନ୍ ଚିଠିକୁ ରଦ୍ଦ କଲେ ହାଇକୋର୍ଟ

କଟକ, (ଓ୍ବାଇଏନଏସ): ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ଅଦାଲତ ଝଟକା । ଗଙ୍ଗାଧର ମହାପାତ୍ର ଆଇନ କଲେଜର ଅସ୍ଥାୟୀ ଆଫିଲିଏସନ୍ ସଂପର୍କିତ ଚିଠିକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ପୂର୍ବରୁ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ଥାୟୀ ଆଫିଲିଏସନ୍ ମଞ୍ଜୁର କରାଯାଇଥିବା ବେଳେ, ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଏହାକୁ ରଦ୍ଦ କରିଥିଲେ । ଗଙ୍ଗାଧର ମହାପାତ୍ର ଆଇନ କଲେଜକୁ ଅସ୍ଥାୟୀ ଆଫିଲିଏସନ୍ ପ୍ରଦାନ କରାଯାଇଥିବା ନେଇ ଏକ ବିଜ୍ଞପ୍ତି ମଧ୍ୟ ଜାରି କରିଥିଲେ । ଏନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ଗତ ୨୦୨୪, ସେପ୍ଟେମ୍ବର ୨୧ ରେ ଏକ ଚିଠି ଦିଆଯାଇଥିଲା ଯାହାକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ଅର୍ଥାତ ଚିଠିରେ ଉଲ୍ଲେଖ ଥିବା ନିର୍ଦ୍ଦିଷ୍ଟ ଅସ୍ଥାୟୀ ଆଫି‌ଲିଏସନ୍ ମଞ୍ଜୁରୀ ପ୍ରସଙ୍ଗକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ଏହି ରାୟ ଦ୍ବାରା ଆବେଦନକାରୀ କଲେଜର ଶୈକ୍ଷିକ ମାନ ସୁନିଶ୍ଚିତ କରିବା ପାଇଁ ଆଇନ ଅନୁସାରେ ବିଶ୍ବବିଦ୍ୟାଳୟର ରହିଥିବା କ୍ଷମତା କୌଣସି ଭାବେ ହ୍ରାସ କରାଯାଉ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ଆଇନ ବିଶ୍ୱବିଦ୍ୟାଳୟର ଆଇନ କଲେଜ ଗୁଡ଼ିକ ଉପରେ ଆଧିପତ୍ୟ ନିୟମ ଅନୁଯାୟୀ ରହିବ ବୋଲି ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଓ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ଗଙ୍ଗାଧର ମହାପାତ୍ର ଆଇନ କଲେଜ ପରିଚାଳନା ପରିଷଦ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି କୋର୍ଟ । ୧୯୮୧ରେ ପ୍ରତିଷ୍ଠିତ ପୁରୀ ଗଙ୍ଗାଧର ମହାପାତ୍ର ଆଇନ କଲେଜରେ ଏଲଏଲ.ବି. ପାଠ୍ୟକ୍ରମ ୧୯୮୧-୮୨ ଶିକ୍ଷା ବର୍ଷରୁ ଖୋଲିଥିଲା । ୧୯୮୩ରେ ଉତ୍କଳ ବିଶ୍ବବିଦ୍ୟାଳୟ ତରଫରୁ କଲେଜକୁ ଅସ୍ଥାୟୀ ଆଫିଲିଏସନ ମଞ୍ଜୁର କରାଯାଇଥିଲା । ୧୯୯୬, ଫେବୃଆରୀ ୧୯ରେ କଲେଜର ଏଲଏଲ.ବି ପାଠ୍ୟକ୍ରମକୁ ସ୍ଥାୟୀ ଆଫିଲିଏସନ୍ ପ୍ରଦାନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ୨୦୨୧ରେ ପ୍ରତିଷ୍ଠା ହୋଇଥିଲା । ସରକାରଙ୍କ ପକ୍ଷରୁ ୨୦୨୧, ଏପ୍ରିଲ ୭ରେ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ଯେ, ବିଭିନ୍ନ ବିଶ୍ବବିଦ୍ୟାଳୟର ନିର୍ଦ୍ଦିଷ୍ଟ ଆଇନ କଲେଜକୁ ବାଦ ଦେଇ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଆଇନ କଲେଜ ଗୁଡ଼ିକୁ ମଧୁସୂଦନ ଆଇନ ବିଶ୍ବବିଦ୍ୟଳୟର ଅଫିଲିଏସନ୍ ମିଳିଲା । ୨୦୨୪, ସେପ୍ଟେମ୍ବର ୨୧ରେ ବିଶ୍ବବିଦ୍ୟାଳୟ ତରଫରୁ ଲେଖା ଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଥିଲା ଯେ, ଗଙ୍ଗାଧର ମହାପାତ୍ର ଆଇନ କଲେଜକୁ ଅସ୍ଥାୟୀ ଆଫିଲିଏସନ୍ ପ୍ରଦାନ କରାଯାଇଛି । ପୂର୍ବରୁ ସ୍ଥାୟୀ ଆଫିଲିଏସନ ପାଇଥିବା କଲେଜକୁ ଅସ୍ଥାୟୀ ଆଫିଲିଏସନ ପ୍ରଦାନ କରାଯିବା ପ୍ରସଂଗକୁ ବିରୋଧ କରି ହାଇକୋର୍ଟରେ ଏହି ମାମଲା ରୁଜୁ କରାଯାଇଥିଲା । ତେବେ କୋର୍ଟ ଏହି ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ