ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷଣ ଶିବିର
ବୁଗୁଡା, (ଓ୍ବାଇଏନଏସ) : ସମଗ୍ର ଶିକ୍ଷା, ଗଞ୍ଜାମ ଆନୁକୂଲ୍ୟରେ ଏବଂ ବୁଗୁଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଅଗଷ୍ଟ ୫ ତାରିଖ ଠାରୁ ଚକ୍ଷୁ ପରୀକ୍ଷଣ ଶିବିର ଆରମ୍ଭ ହୋଇଛି। ଅଗଷ୍ଟ ୫ ତାରିଖ ଦିନ ବୁଦ୍ଧଗିରି ବିଦ୍ୟାପୀଠରେ ଆରମ୍ଭ ହୋଇଥିବା ଚକ୍ଷୁ ପରୀକ୍ଷଣ ଶିବିରକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ପ୍ରଧାନ ଉଦଘାଟନ କରିଥିଲେ। ଏହି ଶିବିରରେ ୧୯ ଟି ବିଦ୍ୟାଳୟର ୧୫୦ ଜଣ ଛାତ୍ରଛାତ୍ରୀ ପଞ୍ଜୀକୃତ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୮୧ ଜଣଙ୍କୁ ଚଷମା ପ୍ରଦାନ ପାଇଁ ଚିହ୍ନଟ କରାଯାଇଥିବା ବେଳେ ୬ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସିଟି ହସ୍ପିଟାଲକୁ ରେଫର୍ କରାଯାଇଛି। ଚକ୍ଷୁ ବିଶେଷଜ୍ଞ ଡାକ୍ତର ସିଲା ସିତାରମନ୍ ସମସ୍ତ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରିଥିବାବେଳେ ଅପଥାଲମିକ ଅଫିସର ଶୁଭଶ୍ରୀ ପାଲ ଓ ଦିପ୍ତିମୟୀ ଦଳାଇ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଅଗଷ୍ଟ ୬ ତାରିଖରେ ଖରିଡା ଉଚ୍ଚ ବିଦ୍ୟାଳୟ, ଅଗଷ୍ଟ ୭ ରେ ବିଷ୍ଣୁଚକ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଅଗଷ୍ଟ ୮ ରେ ଭମସିଆଳି ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଅଗଷ୍ଟ ୧୧ ରେ ତାଳସାକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅଗଷ୍ଟ ୧୨ ରେ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ , ଅଗଷ୍ଟ ୧୩ ରେ କରଚୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଅଗଷ୍ଟ ୧୪ ତାରିଖରେ ବି.କରଡ଼ାବାଡ଼ି ସର୍ଦ୍ଦାର ଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟରେ ହେବା ପାଇଁ ସ୍ଥିର ହୋଇଅଛି। ଏହି ଚକ୍ଷୁ ପରୀକ୍ଷଣ କାର୍ଯ୍ୟକ୍ରମକୁ ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ସୋନାଲିନ୍ ପଣ୍ଡା ଓ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ଡାକୁଆ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ, ଅନ୍ତର୍ନିବେଶି ଶିକ୍ଷା ସ୍ବେଚ୍ଛାସେବୀ ପ୍ରମୋଦ କୁମାର ମିଶ୍ର, ବଦ୍ରି ପ୍ରସାଦ ସ୍ୱାଇଁ ଏବଂ ଲକ୍ଷ୍ମଣ ସେଠୀ ସହଯୋଗ କରିଥିଲେ।


