ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ୭୯ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦୁଝର ଷ୍ଟାଡିୟମରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଓଡ଼ିଶା ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ଆନୁଷ୍ଠାନିକ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ । ଉଦ୍ବୋଧନ ଛଳରେ ଶ୍ରୀ ସିଂହଦେଓ ସାମ୍ପ୍ରତିକ ସ୍ଥିତିରେ ବିଶ୍ୱ ଦରବାରରେ ଦିନକୁ ଦିନ ବୃଦ୍ଧି ପାଉଥିବା ଭାରତର ଭୂମିକା ବିଷୟରେ ଅବତାରଣା କରିବାକୁ ଯାଇ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୃଢ ନେତୃତ୍ୱର ଭୂୟସୀ ପ୍ରଶଂସା କରିଥିଲେ। ଦେଶଭକ୍ତ କ୍ରାନ୍ତିକାରୀ ମୁକ୍ତିଯୋଦ୍ଧା ମାନଙ୍କର ସର୍ବୋଚ୍ଚ ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ସେହି ସଂଗ୍ରାମୀମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କେନ୍ଦୁଝର ମାଟିକୁ ବୀର ମାଟି ଭାବେ ଅଭିହିତ କରି ଇଂରେଜ ସମର୍ଥିତ ରାଜତନ୍ତ୍ରର ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ବିପ୍ଳବୀ ଧରଣୀଧରଙ୍କ ବିଦ୍ରୋହ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କହିଥିଲେ । କେନ୍ଦୁଝରର ବିଧାୟକ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟକୁ ବିକାଶ ପଥରେ ଆଗେଇ ନେଉଛନ୍ତି ଓ ଏହି କ୍ରମରେ କେନ୍ଦୁଝରଠାରେ ଏକ ବୃହତ ଷ୍ଟିଲ ପ୍ଲାଣ୍ଟର ନିର୍ମାଣ କରିବା ପାଇଁ ତାଙ୍କର ଦୀର୍ଘ ବର୍ଷର ସଂକଳ୍ପ ଆଜି ପୂରଣ ହେବାକୁ ଯାଉଛି ଯେଉଁଥିପାଇଁ କେନ୍ଦୁଝରର ସ୍ଥାନୀୟ ଯୁବକ ଯୁବତୀ କର୍ମନିଯୁକ୍ତି ଲାଭ କରିପାରିବେ ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଯଥା ଓଡିଆ ଅସ୍ମିତା ପାଈଁ କର୍ପସ ପାଣ୍ଠି ଗଠନ, ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା, ସ୍ୱାସ୍ଥ୍ୟସେବା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ବୁଣାକାର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଆଦି ସମ୍ବନ୍ଧରେ ସୂଚନା ଦେଇଥିଲେ ।ଏହି ଉପଲକ୍ଷେ ଆୟୋଜିତ ଆନୁଷ୍ଠାନିକ ପ୍ୟାରେଡ୍ରେ ସଶସ୍ତ୍ର ରିଜର୍ଭ ପୋଲିସ୍ ବାହିନୀ, ହୋମଗାର୍ଡସ୍ ବାହିନୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଏନ୍.ସି.ସି., ସ୍କାଉଟ୍, ଗାଇଡ୍, ରେଡ୍କ୍ରସ୍, ସିଭିଲିଆନ୍ ଦଳ ମାର୍ଚ୍ଚପାଷ୍ଟ୍ କରି ଅଭିବାଦନ ଜଣାଇଥିଲେ । ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ମାନସ କୁମାର ବେହେରା ଆନୁଷ୍ଠାନିକ ପ୍ୟାରେଡ୍ ପରିଚାଳନା କରିଥିଲେ । ଏହି ସମାରୋହରେ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଆରକ୍ଷୀ ଅଧିକ୍ଷକ ଶ୍ରୀ ନୀତିନ କୁଶଲକର, ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚଡି, କେନ୍ଦୁଝରଗଡ଼ ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ, ଆଇଏଏସ ପ୍ରୋବେସନର ପଵନ କୁମାର, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ରବୀନ୍ଦ୍ର କୁମାର ପ୍ରଧାନ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରପ୍ରିୟା ନାୟକ, କେନ୍ଦୁଝର ଉପଜିଲ୍ଲାପାଳ ଉମାଶଙ୍କର ଦଳେଇ, କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଲଳିତ କୁମାର ନାଏକ, ଜିଲ୍ଲା କ୍ରୀଡା ଅଧିକାରୀ ସରୋଜ କୁମାର ମଲ୍ଲିକ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ କୁମାର ନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି, ଶିକ୍ଷାବିତ୍, ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଉପସ୍ଥିତ ଥିଲେ । ଏହି ଅବସରରେ ପଦ୍ମଶ୍ରୀ ଦୈତାରୀ ନାଏକଙ୍କୁ ମୁଖ୍ୟଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନଙ୍କୁସମ୍ବର୍ଦ୍ଧିତକରାଯାଇଥିଲା। ସମ୍ମିଳିତ ଆନୁଷ୍ଠାନିକ ପ୍ୟାରେଡ୍ରେ ଚିତାକର୍ଷକ ପ୍ୟାରେଡ୍ ପାଇଁ ଓ ଚିତାକର୍ଷକ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ନିମନ୍ତେ ବିଭିନ୍ନ ଶିକ୍ଷାନୁଷ୍ଠାନର ଦଳଙ୍କୁ ପୁରସ୍କୃତ କରାଯାଇଥିଲା। ମୁଖ୍ୟ ଅତିଥି ସକାଳେ ସହରରେ ଅବସ୍ଥାପିତ ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପ୍ରତ୍ୟୁଷରେ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସହରରେ ରାମଧୂନ ପ୍ରଚାର କରାଯାଇଥିଲା । ଅପରାହ୍ନରେ କେନ୍ଦୁଝର ଅଡିଟୋରିୟମ୍ଠାରେ ମିଳନୀ ସାହିତ୍ୟ ସଂସଦ ସହଯୋଗରେ କବିତା ପାଠୋତ୍ସବ, କେନ୍ଦୁଝର ଷ୍ଟାଡିୟମ୍ଠାରେ ଜିଲ୍ଲା ପ୍ରଶାସନ ଏକାଦଶ ଓ ନାଗରିକ ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ କେନ୍ଦୁଝର ଅଡିଟୋରିୟମ୍ଠାରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସାର୍ଥକ ରାୟ ସମାରୋହର ପରିଚାଳନା କରିଥିଲେ ।


