୪ ଚୋରା ବାଲି ବୋଝେଇ ହାଇୱାକୁ ଜବତ କଲା ପ୍ରଶାସନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ସରକାରଙ୍କର ସମସ୍ତ ନୀତି ନିୟମକୁ ଉଲଂଘନ କରି ଦୈନନ୍ଦିନ ଭଦ୍ରକ-ଆନନ୍ଦପୁର ୫୩ନଂ. ରାଜ୍ୟ ରାଜପଥ, ନିଳୋକ-ଓଳମ ଏବଂ ଓଳମ-ପଧାନପଡା ରାସ୍ତା ଦେଇ ଦୈନନ୍ଦିନ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଛି । ଫଳରେ ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଛି । ଏସବୁ ଚୋରା ଚାଲାଣ ଦିନ ଦ୍ୱିପ୍ରହରରେ ବେଧଡକ ଭାବେ ଚାଲୁଥିଲେ ମଧ୍ୟ ପ୍ରଶାସନ ଦେଖି ଚୁପ୍ ରହୁଥିବା ଅଭିଯୋଗ ହେଉଛି । ବିଭିନ୍ନ ସମୟରେ ସ୍ଥାନୀୟ ଲୋକ ମାନେ ଚୋରା ବାଲି ଚାଲାଣକୁ ବିରୋଧ କରି ଗାଡିକୁ ଅଟକାଇ ପୋଲିସକୁ ଖବର କରୁଛନ୍ତି । କେତେକାଂଶରେ ସ୍ଥାନୀୟ ଲୋକେ ପୋଲିସକୁ ଖବର କରୁଥିଲେ ମଧ୍ୟ ପୋଲିସ ବିଳମ୍ବରେ ପହଞ୍ଚୁ ଥିବାରୁ ହାଇୱା ଗାଡି ଗୁଡିକ ଖସି ପଳାଇ ଯିବାକୁ ସକ୍ଷମ ହେଉଛନ୍ତି । ବିଶେଷକରି ପ୍ରଶାସନର ସଲାସୁତରାରେ ଏଭଳି ଚୋରା କାରବାର ଚାଲୁଥିବା ଅଭିଯୋଗ ହୋଇଛି । ଏହି ଚୋରା କାରବାରକୁ ସ୍ଥାନୀୟ ଲୋକେ ବିରୋଧ କଲେ ସେମାନଙ୍କୁ ବାଲି ମାଫିଆ ମାନେ ନାଲି ଆଖି ଦେଖାଉଛନ୍ତି । ଏପରିପେକ୍ଷୀରେ ଶୁକ୍ରବାର ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥର ଶ୍ରୀବନ୍ତପୁର ପେଟ୍ରୋଲ ପମ୍ପ ନିକଟରେ ୪ ବେଆଇନ ଓଭର ଲୋଡିଂ ବାଲି ବୋଝେଇ ହାଇୱାକୁ ବନ୍ତ ପୋଲିସ ଓ ଜିଲା ଖଣି ବିଭାଗ ପକ୍ଷରୁ ଜବତ କରାଯାଇଛି । ଆଉ ଗୋଟିଏ ହାଇୱା ଘଟଣା ସ୍ଥଳରୁ ଖସି ଯାଇଥିବା ଜଣାଯାଇଛି । ଏସବୁ ହାଇୱା ଗୁଡିକ ନିକଟସ୍ଥ ହାଟଡିହୀ ତହସିଲ ଅଞ୍ଚଳର ବିଭିନ୍ନ ବାଲି ଘାଟରୁ ଚୋରାରେ ବାଲି ବୋଝେଇ କରି ଭଦ୍ରକ ଅଭିମୁଖେ ଯାଉଥିଲେ । ଏନେଇ ବନ୍ତ ଥାନାରେ ମାମଲା ରୁଜ୍ଜୁ ହୋଇଥିବା ସୂଚନା ମିଳିଛି । ଦୈନନ୍ଦିନ ଏହି ଲଘୁ ଖଣିଜ ପଦାର୍ଥ ଅବାଧରେ ଚୋରା ଚାଲାଣ ହେଉଥିବାରୁ ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଛି । ସେହିପରି ଉପରାକ୍ତ ରାସ୍ତା ଗୁଡିକରେ ବେଆଇନ ଓଭର ଲୋଡିଂ ଗାଡି ଯାତାୟତ କରୁଥିବାରୁ ରାସ୍ତା ଗୁଡିକ ନଷ୍ଟ ହେବା ସହ ବହୁ ସମୟରେ ଦୁର୍ଘଟଣା ମାନ ଘଟୁଥିବା ଦେଖାଯାଉଛି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।


