ଶିବନାରାୟଣପୁର ଗ୍ରାମରେ ଶହ ଶହ ଏକର ଚାଷଜମି ଜଳମଗ୍ନ: ହୋଇ ପାରୁନି ଜଳ ନିଷ୍କାସନ

ହାଟଡିହି  (ପାର୍ଥ ସୌରଭ ସା): ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବା ଦ୍ୱାରା ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ଗ୍ରାମରେ ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି। ଗ୍ରାମର ଅନେକ ଚାଷୀଙ୍କ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି। ୪ଦିନ ହେଲା ଚାଷଜମି ଜଳମଗ୍ନ ରହିଥିବାରୁ ଧାନଗଛ ସବୁ ପଚି ନଷ୍ଟ ହେବାକୁ ବସିଛି। ଚାଷୀ ମାନଙ୍କ ଅଭିଯୋଗ ଯେ ଲଗାଣ ବର୍ଷା ହେବାଦ୍ବାରା ଉପର ମୁଣ୍ଡର ପାଣି ଆସି ଗାଁର ଚାଷଜମିରେ ଜମା ହୋଇ ରହୁଛି। ବିଲ ଗୁଡିକରେ ଏବେ ୩ଫୁଟ ଉଚ୍ଚର ପାଣି ରହିଛି। ମୂଗୁପୂର ମାଇନର କେନାଲରେ ଆବଶ୍ୟକ କଲଭଟ ନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ପୁର୍ବରୁ ଅନେକ ଗୁଡ଼ିଏ କଲଭଟ ଥିବାବେଳେ କିଛି ଲୋକ ଘର ବାଡି କରିବାରୁ ମାଟି ପକାଇ କଲଭଟ ମୁହଁ କୁ ପୋତି ପକାଇବାରୁ ଜଳ ନିଷ୍କାସନ ର ବାଟ ବନ୍ଦ ହୋଇଯାଇଛି। ଲଗାଣ ବର୍ଷା ଯୋଗୁଁ ରାମଚନ୍ଦ୍ର ଘଡେ଼ଇ, ମାନସ ବେହେରା, ମୁରଲୀ ମହାନ୍ତି, ସୁଦାମ ପରିଡ଼ା, ନରେନ୍ଦ୍ର ଘଡେ଼ଇ, ଜୟଦେବ ଖଣ୍ଡା, ସୁଦର୍ଶନ ଖଣ୍ଡା, ଉମାକାନ୍ତ ଜେନା, ବୁଲା ବାରିକ, ଅକୁର ବେହେରା, ମୁରଲୀ ବେହେରା, ବସନ୍ତ ସାହୁ, ବାଳକୃଷ୍ଣ ଖଣ୍ଡା, ଵିନୋଦ ଘଡେଇ, ସୁରେନ୍ଦ୍ର ଘଡେଇ, ମାୟାଧର ମହାନ୍ତି, ପ୍ରହଲ୍ଲାଦ ଘଡେଇଙ୍କ ଭଳି ଅନେକ ଚାଷୀଙ୍କ ଏକର ଏକର ଚାଷଜମି ପାଣିରେ ବୁଡିଛି। କେବଳ ଚାଷ ଉପରେ ନିର୍ଭର କରୁଥିବା ଏହି ଚାଷୀମାନେ ଅନେକ କ୍ଷତିର ସମ୍ମୁଖୀନ ହେବାକୁ ଯାଉଥିବାରୁ ଚିନ୍ତାରେ ପଡ଼ି ଯାଇଛନ୍ତି। ଜଳସମ୍ପଦ ବିଭାଗ ତୁରନ୍ତ କଲଭଟ ଖୋଳି ଜଳ ନିଷ୍କାସନ ର ବ୍ୟବସ୍ତା କରିବାକୁ ଚାଷୀମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ