ଝୁମ୍ପୁରା ବ୍ଲକ ରେ ମିଳୁନି ୟୁରିଆ ସାର, ଚିନ୍ତାରେ ଚାଷୀ କୂଳ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ରେ ୟୁରିଆ ସାର ସଂକଟ ଦେଖା ଦେଇଛି। ସରକାର ଚାଷୀ ମାନଙ୍କୁ ସମବାୟ ସମିତି ମାଧ୍ୟମରେ ସାର ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ସମବାୟ ସମିତି କୁ ଆବଶ୍ୟକ ଠାରୁ କମ ସାର ଆସିବା ଫଳରେ ଚାଷୀ ମାନେ ସାର ପାଇବାରୁ ବଞ୍ଚିତ ହୋଇ ଖୋଲା ବଜାରରେ ରହିଥିବା ସାର ଦୋକାନ ଉପରେ ନିର୍ଭର କରୁଥିଲେ ସାର ପାଇଁ। ସରକାର ଖୋଲା ବଜାରରେ ବିକ୍ରୀ ହେଉଥିବା ସାର ବ୍ୟବସାୟୀ ମାନଙ୍କ ନିମନ୍ତେ ସରକାରୀ ଦରକୁ ଧାର୍ଯ୍ୟ କରିଛନ୍ତି ବିକ୍ରି କରିବା ପାଇଁ। କିନ୍ତୁ ଖୋଲା ବଜାରରେ ସାର ବିକ୍ରୀ କରୁଥିବା ବ୍ୟବସାୟୀମାନେ ମାନେ ସରକାର ଙ୍କ ସମସ୍ତ ନୀତି ନିୟମକୁ ଖୋଲା ଖୋଲି ଉଲଘଂନ କରି ଧାର୍ଯ୍ୟ ଦାମ ଠାରୁ ଦୁଇଗୁଣ ଅଧିକ ଦାମରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ସରକାର ୟୁରିଆ ସାର ର ଦାମ ବସ୍ତା ପିଛା ୨୭୭ ଟଙ୍କା ରଖିଛନ୍ତି। କିନ୍ତୁ ବର୍ତ୍ତମାନ ବ୍ୟବସାୟୀ ମାନେ ୟୁରିଆ ସାର ବଜାରକୁ ଆସୁନାହିଁ କହି କଳାବଜାରୀ କରିବା ଆରମ୍ଭ କରି ଦେଇଛନ୍ତି। ବର୍ତ୍ତମାନ କିଛି ବ୍ୟବସାୟୀ ୟୁରିଆ ସାର କୁ ଗଚ୍ଛିତ ରଖିଛନ୍ତି । ଚାଷୀ ମାନେ ୟୁରିଆ ସାର କିଣିବା ପାଇଁ ଗଲା ବେଳେ ସାର ନାହିଁ ବୋଲି ଫେରାଇ ଦେଉଛନ୍ତି। ଏପଟେ କିଛି ବ୍ୟବସାୟୀ ଲୁଚା ଛପାରେ ୫୦୦ ରୁ ଆରମ୍ଭ କରି ୫୫୦ରେ ୟୁରିଆ ସାର କୁ ବିକ୍ରି କରୁଛନ୍ତି। ବର୍ତ୍ତମାନ ଚାଷୀ ଲଗାଇ ଥିବା ଧାନ ର ଗର୍ଭ ଧାରଣା ସମୟ ପାଖେଇ ଆସୁଥିବାରୁ ଚାଷୀ ମାନଙ୍କ ୟୁରିଆ ସାର ନିତ୍ୟାନ୍ତ ଜରୁରୀ ଥିବା ବେଳେ ବର୍ତ୍ତମାନ ଵଜାରରୁ ୟୁରିଆ ସାର ଉଭାନ ହୋଇଯିବାରୁ ଚାଷୀ ମାନେ ଚିନ୍ତାରେ ପଡିଯାଇଛନ୍ତି।


