ଦୁଇଶହରୁ ଅଧିକ ବର୍ଷ ଧରି ଚାଲିଛି ଭାଗବତ ଗାଦି ପୂଜା
ଆରଡ଼ି , ( ଆଲୋକ ଚନ୍ଦ୍ର ନାୟକ ) : ଧାମନଗର ବ୍ଲକର ଭଟ୍ଟସାହି ପଞ୍ଚାୟତସ୍ଥିତ ଫଳପୁର ଠାରେ ଅବସ୍ଥାନ କରୁଥିବା ମହାନ୍ତି ପରିବାର ୨୦୦ ବର୍ଷରୁ ଅଧିକ ସମୟ ହେବ ଭାଗବତ ଟୁଙ୍ଗି ଓ ଭାଗବତ ଗାଦିର ସୁରକ୍ଷା ଦେଇ ଆସୁଛନ୍ତି । ପୂର୍ବ ପୁରୁଷଙ୍କ କହିବା ଅନୁଯାୟୀ ଅତିବଡି ଜଗନ୍ନାଥ ଦାସଙ୍କ ରଚିତ ଓଡିଆ ଭାଗବତ ପୋଥିକୁ ଜଣେ ସନ୍ୟାସୀ ମହାନ୍ତି ପରିବାରକୁ ଦେଇ ଏହାର ଉପଯୁକ୍ତ ପୂଜା କରିବା ସହ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କହି କେଉଁ ଆଡେ ଉଭାନ ଯାଇଥିଲେ । ଏହାକୁ ସୁରକ୍ଷିତ ରଖିବା ପାଇଁ ପରିବାର ପକ୍ଷରୁ ଏକ ଭାଗବତ ଟୁଙ୍ଗି ନିର୍ମାଣ କରାଯିବା ସହ ପ୍ରଭୁ ଜଗନ୍ନାଥଙ୍କର ମୂର୍ତ୍ତି ମଧ୍ୟ ନିର୍ମାଣ କରାଯାଇ ପୂଜା କରାଯାଇ ଆସୁଅଛି । ବିଧି ଅନୁଯାଇ ଭାଗବତ ଜନ୍ମ ଦିନକୁ ପରିବାର ପକ୍ଷରୁ ଭକ୍ତି ଓ ନିଷ୍ଠାର ସହ ପାଳନ କରା ଯାଉଛି । ଭାଗବତ ପୋଥି ଗାଦି ଓ ପ୍ରଭୁ ଜଗନ୍ନାଥଙ୍କ ପାଇଁ ମନ୍ଦିର ତୋଳା ସରିଛି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଭାଗବତ ଗାଦି ପୂଜା ଆଧ୍ୟାତ୍ମିକତା ସହକାରେ ସମ୍ପନ୍ନ ହୋଇଛି । ଚନ୍ଦ୍ର ଗ୍ରହଣ ଥିବାରୁ ମଧ୍ୟାହ୍ନ ୧୨ଟା ୫୭ ମିନିଟ ପୂର୍ବରୁ ସମସ୍ତ ପୂଜା କାର୍ଯ୍ୟ ସମାପନ କରା ଯାଇଥିଲା । କର୍ତ୍ତା କ୍ଷୀରୋଦ ମହାନ୍ତି (୮୦) ଓ ତାଙ୍କ ଧର୍ମପତ୍ନୀ ଶକୁନ୍ତଳା ମହାନ୍ତି ( ୭୪ ) ନିଷ୍ଠାର ସହ ପୂଜାସ୍ଥଳରେ ବସି ଭକ୍ତଭାବ ପ୍ରଦର୍ଶନ କରିଥିଲେ । ଗ୍ରାମ ତଥା ଆଖପାଖ ଗ୍ରାମର ପ୍ରାୟ ହଜାରେରୁ ଅଧିକ ଭକ୍ତ ପୂଜାସ୍ଥଳକୁ ଆସି ପ୍ରଭୁଙ୍କୁ ଦର୍ଶନ କରିବା ସହିତ ଭାଗବତ ଗାଦିକୁ ପ୍ରଣାମ କରିଥିଲେ । ସମସ୍ତ ଶ୍ରଦ୍ଧାଳୁ ମାନେ ପ୍ରସାଦ ସେବନ କରି ତୃପ୍ତିଲାଭ କରିଥିଲେ । ଭାଗବତ ଟୁଙ୍ଗି ଓ ଭାଗବତ ଗାଦିକୁ ସୁରକ୍ଷିତ ରଖିଥିବା ମହାନ୍ତି ପରିବାରକୁ ସ୍ଥାନୀୟ ଅଞ୍ଚଳରେ ସାଧୁବାଦ ଜ୍ଞାପନ କରା ଯାଇଛି ।


