ହାଟଡିହିରେ ବଢୁଛି ବାଲ୍ୟ ବିବାହ : ଡ୍ରପ ଆଉଟ୍ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ୨୧୧

ହାଟଡିହି,(ଓ୍ବାଇଏନଏସ): କେନ୍ଦୁଝର ଜିଲା ହାଟଡିହି ବ୍ଲକରେ ୨୧୧ ଜଣ ଛାତ୍ର ଛାତ୍ରୀ ଡ୍ରପ ଆଉଟ୍ ହୋଇଛନ୍ତି। କିନ୍ତୁ ଅନେକ କମ୍ ବୟସର ପିଲାମାନେ ବିବାହ କରି ବାହାରକୁ ପଳାଉଥିବା ସର୍ଭେରେ ଜଣା ପଡ଼ିଛି। ବାଲ୍ୟ ବିବାହ ରୋକିବା ପାଇଁ ହେଉଥିବା ସଚେତନତା ଠିକ୍ ଭାବେ କାର୍ଯ୍ୟକାରୀ ହୋଇ ପାରୁ ନଥିବା ଆଲୋଚନା ହେଉଛି।  ଗତ ମେ ମାସରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଚାଇଲ୍ଡ ଟ୍ରାକିଙ୍ଗ୍ ସର୍ଭେ କରାଯାଇଥିଲା। ଏଥିରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ଘରକୁ ଘର ବୁଲି ସର୍ଭେ କରା ଯାଇଥିଲା।  ବ୍ଲକରେ ମୋଟ ୨୨ହଜାର ୮ଶହ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଥିବା ବେଳେ ୭୦ଜଣ ଛାତ୍ରଛାତ୍ରୀଙ୍କ ନାମ ଲେଖା ହୋଇ ନଥିବା ବେଳେ ସେମାନେ ବିଦ୍ୟାଳୟକୁ ଆଦୌ ଯାଇନଥିବା ଜଣା ପଡିଥିଲା। ସେହିପରି ୩୨୩ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଥ‌ିବା ସର୍ଭେରୁ ଜଣାପଡ଼ିଥିଲା। ଜିଲାରେ ମୋଟ ୧୦ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଥ‌ିବା ସୂଚନା ମିଳିଥିବାବେଳେ ସେଥ୍‌ମଧ୍ୟରୁ ହାଟଡିହି ବ୍ଲକରୁ ୩୨୩ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଥିଲେ। ଏହାକୁ ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ମାଧ୍ୟମରେ ଅଧାରୁ ପାଠ ଛାଡିଥିବା ୩୨୩ ଜଣଙ୍କ ମଧ୍ୟରୁ ୧୧୨ ଜଣ ଛାତ୍ରଛାତ୍ରୀଙ୍କୁ ପୁନଃ ବିଦ୍ୟାଳୟକୁ ଅଣାଯାଇ ଶିକ୍ଷା ପ୍ରଦାନ ବ୍ୟବସ୍ଥା କରାଯାଇ ପାରିଛି ବୋଲି ବ୍ଲକ ସହ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ କହିଛନ୍ତି। ସେହିପରି ବିଦ୍ୟାଳୟକୁ ଆଦୌ ଆସିନଥିବା ୭୦ଜଣଙ୍କ ମଧ୍ୟରୁ ୩୩ ଜଣ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଅଣାଯାଇ ପାରିଛି । ବିଶେଷ କରି ବାଙ୍ଗୋର କ୍ଳଷ୍ଟରରେ ସର୍ବାଧିକ ୭୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଛନ୍ତି ବୋଲି ସର୍ଭେରୁ ଜଣାପଡିଛି। ଅନେକ ୧୮ବର୍ଷରୁ କମ ବାଳକ ବାଳିକା ମାନେ ବିବାହ କରି ସାରିଥିବା ଓ ଆଉ କିଛି କାମ ଦାମ କରିବାକୁ ବାହାର ରାଜ୍ୟକୁ ପଳାଇ ଥିବା ଜଣା ଯାଇଛି ବୋଲି ସେ ସୁଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ