ପୂର୍ବତନ ବିଧାୟକ ସ୍ଵର୍ଗତଃ ରାମମୂର୍ତ୍ତୀ ଗମାଙ୍ଗଙ୍କ ଶ୍ରଦ୍ଧାଞ୍ଜଳି ସଭା

ଗୁଣପୁର,(ୱାଇଏନଏସ):ରାମମୂର୍ତ୍ତି ଗମାଙ୍ଗ ଥିଲେ ଗୁଣପୁର ଅଞ୍ଚଳ ବିକାଶର ରଥ ସାରଥୀ ଏବଂ କର୍ଣ୍ଣଧାର। ଅଞ୍ଚଳର ଅନେକ ସମସ୍ୟାର ସମାଧାନ ଏବଂ ଆଖି ଦୃଶିଆ ଉନ୍ନତି କ୍ଷେତ୍ରରେ ତାଙ୍କର ଅବଦାନକୁ କେହି ଅସ୍ବୀକାର କରିପାରିବେ ନାହିଁ। ସଦ୍‌ଗୁରୁ ଅର୍ଜ୍ଜୁନଙ୍କ ଅନୁଗାମୀ ତଥା ପୂର୍ବତନ ବିଧାୟକ ରାମ ମୂର୍ତ୍ତୀ ଗମାଙ୍ଗଙ୍କ ବିୟୋଗରେ ରବିବାର ଦିନ ଗୁଣପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଆୟୋଜିତ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଅଞ୍ଚଳର ବିଶିଷ୍ଟ ରାଜନେତା ଓ ଲୋକ ପ୍ରତିନିଧି ମାନେ ଯୋଗଦେଇ ଏହିଭଳି ମତବ୍ୟକ୍ତ କରି ସ୍ଵର୍ଗତଃ ଗମାଙ୍ଗଙ୍କ ସ୍ମୃତି ଚାରଣ କରିଥିଲେ। ପ୍ରଥମେ ସ୍ଵର୍ଗତଃ ଗମାଙ୍ଗଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଵଳନ ଓ ପୁଷ୍ପ ଦେଇ ନେତାମାନେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହିଭଳି ସର୍ବଦଳୀୟ ସ୍ମୃତି ସଭା ଆୟୋଜନ କରି ପୂର୍ବତନ ବିଧାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଗୁଣପୁର ଇତିହାସରେ ପ୍ରଥମ ଏବଂ ତାଙ୍କ ପ୍ରତି ରାଜନେତା ମାନଙ୍କ ରହିଥିବା ସ୍ନେହ ଶ୍ରଦ୍ଧାର ନିଦର୍ଶନ ବୋଲି ସଭାରେ ବିବେଚନା କରାଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଗୁଣପୁର ବିଧାୟକ ସତ୍ୟଜିତ୍ ଗମାଙ୍ଗ, ରାୟଗଡ଼ା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିଦ୍ୟାଧର ଶବର, ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ, ବରିଷ୍ଠ କଂଗ୍ରେସ ନେତା ବିଜୟ କୁମାର ଗମାଙ୍ଗ,ପୂର୍ବତନ ବିଜେଡି ନେତା ତଥା ଗୁଣପୁର ପୌର ପରିଷଦର ଉପାଧ୍ୟକ୍ଷ ଶିବ ପ୍ରାସାଦ ଗୌଡ, ରାୟଗଡା ଜିଲ୍ଲା ଆମ୍ବୁସମ୍ୟନ ଅକ୍ଷୟ ଦାଶ, ସିପିଆଇ(ଏମଏଲ) ଦଳର ଜିଲ୍ଲା ସମ୍ପାଦକ ତିରୁପତି ଗମାଙ୍ଗ ଓକିଲ ସଂଘ ର ସଭାପତି ରମେଶ ଚନ୍ଦ୍ର ଲିମା ,ବରିଷ୍ଠ ଓକିଲ ରାଜେନ୍ଦ୍ର ପାଢ଼ୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶ୍ଵିନୀ ଗମାଙ୍ଗ, ବାଳୀ ଗମାଙ୍ଗ, ରାଜେନ୍ଦ୍ର ସାହୁକାର ,ବିଜେପି ନେତା ୱାଇ. ଗଣପତି, ରାମ ପଟ୍ଟନାୟକ, ବିଜେଡି ର ଯୁବ ନେତା ପିଙ୍କୁ ପଣ୍ଡା, ରାମ ପଣ୍ଡା , ଗୁଡ଼ାରିର ନାଗ ଭୂଷଣ ରାଓ , ଚାଲକମ୍ବା ଗୋପାଳ ରାଓ,ଜଲତାର ସରପଞ୍ଚ ମାର୍କ ଦଳବେହେରା,ଟି. ନାଗା ଭୂଷଣ ରାଓ ,ବିଜେଡି ଜିଲ୍ଲା ଉପ-ସଭାପତି ଏସ. ବାବା ପ୍ରସାଦ, ଦୟା ଗମାଙ୍ଗ, ସନ୍ୟାସୀ ଶବର ଏବଂ ଇସ୍ମାଇଲ ଶବର ପ୍ରମୁଖ ଯୋଗଦେଇ ସ୍ଵର୍ଗତଃ ରାମମୂର୍ତ୍ତି ଗମାଙ୍ଗଙ୍କ ୯୦ ଦଶକର କାର୍ଯ୍ୟକାଳକୁ ଗୁଣୁପୁର ନିର୍ବାଚନ ମଣ୍ଡଳୀର ବିକାଶର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଥିଲା ବୋଲି ମତ ଦେଇଥିଲେ। ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ଗୁଣପୁର ବଂଶଧାରା ସେତୁକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରିବା, ଗ୍ରାମାଞ୍ଚଳ ସହ ସହରାଞ୍ଚଳ କୁ ରାସ୍ତା ନିର୍ମାଣର ମୂଳଦୁଆ ,ପଦ୍ମପୁରଠାରେ ଆର.ଜି. କଲେଜ ପ୍ରତିଷ୍ଠା କରି ଉଚ୍ଚ ଶିକ୍ଷାର ସୁବିଧା ପ୍ରଦାନ, ଗୁଣପୁର ଡାକ୍ତରଖାନାକୁ ଉପ-ଖଣ୍ଡ ଡାକ୍ତରଖାନାର ମାନ୍ୟତା ପ୍ରଦାନ ସହ ପଦ୍ମପୁର ବ୍ଲକର ନାଇରା ଓ ଡେରିଗାଁଠାରେ ନୂତନ ଡାକ୍ତରଖାନା ପ୍ରତିଷ୍ଠା ସହ ସୌରା ଭାଷା,ଲିପି ଓ ଶବର ସଂସ୍କୃତିର ବିକାଶରେ ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତା ମାନେ ସ୍ଵର୍ଗତଃ ଗମାଙ୍ଗ ଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି କାର୍ଯ୍ୟକ୍ରମକୁ ସାହାରା ସ୍ବେଚ୍ଛାସେବୀ ସଂସ୍ଥାର ସଚିବ ପ୍ରମୋଦ ସାହୁ ସଂଯୋଜନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ