ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବଡଗମ୍ଭାରିଆ ଗ୍ରାମର ଅଭିଯୁକ୍ତ ଦୁଷା ମୁଣ୍ଡା(୩୦) କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଘଟଣାର ବିବରଣୀରୁ ପ୍ରକାଶ ଯେ, ତା ୩ା୫ା୨୦୨୨ ରିଖ ମଙ୍ଗଳବାର ସନ୍ଧ୍ୟା ୫ ଘଟିକା ସମୟରେ ନାବାଳିକା(୧୩) ପୀଡିତା କୁ ଘରେ ଏକୁଟିଆ ଦେଖି ଅଭିଯୁକ୍ତ ଜୋର ଜବରଦସ୍ତ ଦୁଷ୍କର୍ମ କରୁଥିବା ସମୟରେ ନାବାଳିକାର ବାପା ଓ ମାଆ ପହଁଚି ଯିବାରୁ ଅଭିଯୁକ୍ତ ତାଙ୍କୁ ଦେଖି ଘଟଣାସ୍ଥଳରୁ ଦୌଡି ପଳାଇଥିଲା ଏବଂ ନାବାଳିକା ପୀଡିତା ତା’ ମାଆ ଓ ବାପାଙ୍କ ଆଗରେ କାନ୍ଦି କାନ୍ଦି ଉକ୍ତ ଘଟଣା ସଂପର୍କରେ ପ୍ରକାଶ କରିଥିଲା । ଏଣୁ ପୀଡିତାର ବାପା ତୁରୁମୁଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିବାରୁ ଥାନା କେଶ ନଂ ୬୫ ତା ୪ା୫ା୨୦୨୨ ରିଖ ଆଇପିସି ଦଫା ୩୭୬(୩) ଏବଂ ୬ ପୋକ୍ସ ଧାରାରେ ମାମଲା ରୁଜୁ କରି ଆସାମୀକୁ ତା ୫ା୫ା୨୦୨୨ ରିଖରେ ତା’ ଘରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାନ୍ୟବର ବିଚାରପତି ୧୪ ଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତକୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇବା ସହ ପୀଡିତାକୁ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ସୁପାରିଶ କରିଛନ୍ତି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ର ନାଥ ଜେନା ମୋକଦ୍ଦମା ପରିଚାଳନା କରୁଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ