ବ୍ରହ୍ମାକୁମାରୀସ୍ ଶାନ୍ତିକୁଣ୍ଡରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ବ୍ରହ୍ମପୁର,(ସୁଦିପ କୁମାର ସାହୁ): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଶାନ୍ତିକୁଣ୍ଡ, ଗିରିରୋଡ଼ ପ୍ରାଙ୍ଗଣରେ ଅନ୍ତର୍ରାଷ୍ଟ୍ରିୟ ମୁଖ୍ୟାଳୟ, ମାଉଣ୍ଟଆବୁର ଧାର୍ମିକ ବିଭାଗ ସଂଯୋଜକ, ଦୀର୍ଘ 46ବର୍ଷର ଈଶ୍ବରୀୟ ଅନୁଭୂତି ସମ୍ପନ୍ନ ରାଜଯୋଗୀ ଭ୍ରାତା ରାମନାଥଙ୍କ ବ୍ରହ୍ମପୁର ଆଗମନ ଉପଲକ୍ଷେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସମବେତ ସାମ୍ବାଦିକମାନଙ୍କୁ ଉଦବୋଧନ ଦେଇ ଭ୍ରାତା ରାମନାଥ କହିଥିଲେ ଯେ ବର୍ତ୍ତମାନର ଏହି କଳିଯୁଗୀ ତମୋପ୍ରଧାନ ଦୁନିଆରେ ସର୍ବତ୍ର ଦୁଖ, ଅଶାନ୍ତି, କଳହ, କ୍ଳେଶ, ଅଭାବ-ଅନାଟନ ବୃଦ୍ଧିପ୍ରାପ୍ତ କରିବାରେ ଲାଗିଛି । ମନୁଷ୍ୟ ଆତ୍ମା ଦିନକୁ ଦିନ କଳୁଷିତ ତଥା ପତନାଭିମୁଖୀ ହୋଇ ଚାଲିଛି । ଏଣୁ ମନୁଷ୍ୟ ଆତ୍ମାର ସଞ୍ଚିତ ପାପର ବିମୋଚନ ପାଇଁ ସ୍ବୟଂ ପରମପିତା ପରମାତ୍ମା ଏହି ଧରାପୃଷ୍ଠରେ ଦିବ୍ୟ ଅବତରଣ କରିସାରିଛନ୍ତି। ସେ ପୁଣି ଦୀର୍ଘ 90 ବର୍ଷ ହେଲା ଈଶ୍ବରୀୟ ଜ୍ଞାନ ଏବଂ ରାଜଯୋଗର ଅଭ୍ୟାସ ବଳରେ ମନୁଷ୍ୟର ଚେତନାକୁ କିପରି ପରମାତ୍ମାଙ୍କ ଚେତନା ସହ ସଂଯୋଗ କରି ଦିବ୍ୟ, ପବିତ୍ର ତଥା ଶକ୍ତିଶାଳୀ କରିହେବ, ସେହି ଶିକ୍ଷା ଦେଇଆସୁଛନ୍ତି । ଏଣୁ ବର୍ତ୍ତମାନ ସମୟରେ ଉପରୋକ୍ତ ଶିକ୍ଷାର ହୃଦୟଙ୍ଗମ ପୂର୍ବକ ତାହାକୁ ନିଜ ଆଚରଣରେ ଆଣି ମନୁଷ୍ୟାତ୍ମା ଦେବାତ୍ମାରେ ପରିଣତ ହୋଇ ପାରିବ । ଏହି ଅବସରରେ ଭ୍ରାତା ରାମନାଥ ସାମ୍ବାଦିକମାନଙ୍କ ଅନେକ ପ୍ରଶ୍ନର ସରଳ ସମାଧାନ ଜନିତ ଉତ୍ତର ପ୍ରଦାନ ପୂର୍ବକ, ଏହି ଗୁହ୍ୟ ଈଶ୍ବରୀୟ ଜ୍ଞାନକୁ ସାମ୍ବାଦିକମାନେ ସମାଜରେ ପ୍ରଚାର ପ୍ରସାର କରି ସାଧାରଣ ଜନତାଙ୍କୁ ଉପକୃତ କରାଇବା ସକାଶେ ଆହ୍ବାନ କରିଥିଲେ । ପରିଶେଷରେ ଭ୍ରାତା ରାମନାଥ ରାଜଯୋଗର ଅଭ୍ୟାସ ଦ୍ବାରା ସୁଖ, ଶାନ୍ତି , ଆନନ୍ଦ ତଥା ଶକ୍ତିର ଅନୁଭବ କରାଇଥିଲେ । ବ୍ରହ୍ମପୁର ସବଜୋନ୍ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମାଳା ନିଜ ବକ୍ତବ୍ୟରେ କହିଥିଲେ ଯେ ବର୍ତ୍ତମାନ ସମୟରେ ସମସ୍ତ ମନୁଷ୍ୟାତ୍ମା ପରମାତ୍ମଶିକ୍ଷାକୁ ଧାରଣ କରି ’ବସୁଧୈବ କୁଟୁମ୍ବକମ୍’ ମହାନ ବିଚାରକୁ ହୃଦବୋଧ କରିପାରିଲେ ଏହି ସମାଜର ସକାରାତ୍ମକ ପରିବର୍ତ୍ତନ ହୋଇପାରିବ ତଥା ଏହି ଧରାପୃଷ୍ଠ ଏକ ସ୍ବର୍ଗ ରାଜ୍ୟରେ ପରିଣତ ହୋଇପାରିବ । ବ୍ରହ୍ମାକୁମାରୀ ଭଗିନୀ ସୁଜାତା ସଭାକାର୍ଯ୍ୟ ପରିଚାଳନା ପୂର୍ବକ ସ୍ବାଗତ ସମ୍ଭାଷଣ ପ୍ରଦାନ ସହ ସ୍ବୟଂ ପରମପିତା ପରମାତ୍ମା ଶିବଙ୍କ ଏହି ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସମଗ୍ର ବିଶ୍ବରେ 150ରୁ ଉର୍ଦ୍ଧ୍ୱ ଦେଶରେ ବ୍ୟାପ୍ତ ଥିବା ସନ୍ଦେଶ ପ୍ରଦାନ କରିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ସହରର ସମସ୍ତ ପ୍ରିଣ୍ଟ, ଇଲେକ୍ଟ୍ରୋନିକ ଏବଂ ସୋସିଆଲ ମିଡ଼ିଆ ସାମ୍ବାଦିକଗଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ