ସମ୍ଭାବ୍ୟ ବାତ୍ୟାକୁ ନେଇ ବାଘଲଟି ଜଳସେଚନ ବିଭାଗର ସତର୍କ ସୂଚନା
ପାତ୍ରପୁର,(ୱେଇଏନଏସ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ସମ୍ଭାବ୍ୟ ବାତ୍ୟାର ରୂପ ନେବା ଆଶଙ୍କା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ପାତ୍ରପୁର ତହସିଲ ଅନ୍ତର୍ଗତ ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପ ପକ୍ଷରୁ ବାହୁଦା ନଦୀକୂଳରେ ଅବସ୍ଥିତ ଗ୍ରାମଗୁଡ଼ିକର ଜନସାଧାରଣଙ୍କୁ ସତର୍କ କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ, ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ହେଲେ ଜଳସ୍ତର ବୃଦ୍ଧି ପାଇପାରେ। ଜଳଭଣ୍ଡାରର ଜଳଧାରଣ କ୍ଷମତା ପ୍ରାୟ ୧୦୬ ମିଟର ଥିବାବେଳେ ଏବେ ୭୨.୩୧ ଶତକଡା ଜଳ ଗଚ୍ଛିତ ରହିଛି। ତେଣୁ ଜଳସ୍ତର ବୃଦ୍ଧି ପାଇଲେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପରାମର୍ଶକ୍ରମେ ଅତିରିକ୍ତ ଜଳ ନଦୀକୁ ଛଡ଼ାଯାଇପାରେ। ଏହି ପରିପ୍ରେକ୍ଷୀରେ ବାହୁଦା ନଦୀକୂଳିଆ ଗ୍ରାମର ଲୋକମାନଙ୍କୁ ନଦୀ ମଧ୍ୟକୁ ନଯିବା ସହ ଗୃହପାଳିତ ପଶୁଙ୍କୁ ନଦୀଗର୍ଭକୁ ନଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଲୋକପ୍ରତିନିଧି ଓ ସରକାରୀ ଅଧିକାରୀଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି।
ବିଭାଗୀୟ ନିର୍ଦ୍ଦେଶ ପାଳନ କରିବା ସହ ପ୍ରଶାସନକୁ ସହଯୋଗ କରିବାକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. କିଶୋର ଚନ୍ଦ୍ର ପାତ୍ର ଜନସାଧାରଣଙ୍କୁ ନିବେଦନ କରିଛନ୍ତି।


