ଘୋଡାହାଡ ଡ଼୍ୟାମର ୪ ଗେଟ୍ ଖୋଲିଲା : ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଦିଗପହଣ୍ଡି ବ୍ଲକ ଖମାରୀ ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମ ର ବିପଦ ସଙ୍କେତ ଜଳସ୍ତର ୧୧୬.୭୦ ମିଟର ରେ ପହଞ୍ଚିବାରୁ ଗୁରୁବାର ରାତି ପ୍ରାୟ ୧୧ ଟାରେ ଗଞ୍ଜାମ ଜିଲ୍ଲାପାଳ କିର୍ତ୍ତିଭାସନ ଭି. ଙ୍କ ଉପସ୍ଥିତିରେ ଡ଼୍ୟାମ ର ୪ ଟି ଗେଟ୍ ଖୋଲାଯାଇ ନଦୀ ମଧ୍ୟକୁ ପାଣି ଛଡା ଯାଇଥିଲା। ଜିଲ୍ଲାପାଳ ଙ୍କ ସହ ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାର, ବ୍ରହ୍ମପୁର ସ୍ଥିତ ରାଜ୍ୟ ଜଳସମ୍ପଦ ବିଭାଗ ଅଧିନ ଋଷିକୂଲ୍ୟା – ନାଗାବଳୀ ଓ ବଂଶଧାରା ଅବବାହିକା ର ମୁଖ୍ୟଯନ୍ତ୍ରୀ ଇଂ. ନିର୍ବାଣ ଭୋଇ,ଚିକିଟି ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ.ସୁବ୍ରତ ପଟ୍ଟନାୟକ, ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ, ବିଡ଼ିଓ ଅନାମିକା ପାଣ୍ଡେ, ଘୋଡ଼ାହାଡ଼ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲା ରେ ବୁଧବାର ଓ ଗୁରୁବାର ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ଘଣ୍ଟା ପ୍ରତି ପ୍ରାୟ ୬୦ କ୍ୟୁମେକ୍ ପାଣି ଡ଼୍ୟାମ ମଧ୍ୟରେ ପ୍ରବେଶ କରିଥିଲା। ଗୁରୁବାର ସକାଳ ୬ ଟା ରୁ ଶୁକ୍ରବାର ସକାଳ ୬ ଟା ମଧ୍ୟରେ ଡ଼୍ୟାମ ଇଲାକାରେ ୧୧୫ ମିଲିମିଟର ଏବଂ ଦିଗପହଣ୍ଡି ରେ ୫୨ ମିମି ବର୍ଷା ହୋଇଥିଲା। ଡ଼୍ୟାମ ରୁ ନଦୀ ଗର୍ଭକୁ ପାଣି ଛଡାଯିବା ପୂର୍ବରୁ ଦିଗପହଣ୍ଡି ସ୍ଥିତ ଘୋଡାହାଡ ଜଳସେଚନ ଉପ ବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ନଦୀ ତଟବର୍ତ୍ତି ଗୋଲଣ୍ଡା,ମଧୁବନ, ସେବକ ଟିକରପଡ଼ା,କଇଠଖଣ୍ଡି, ବୁରିପଦର, ପେଣ୍ଠା, ତଲାସିଙ୍ଗି,ଗୁମା, ପନାଡ,ଜକମେରି ପଲ୍ଲୀ, ଜଲମେରି ପଲ୍ଲୀ, ଧେରେଣ୍ଡୀ, ମଳାଭଞ୍ଜା ,ଆମ୍ବ ଗାଁ, ତିଳେଶ୍ୱର,ମହାନଳା, ପଳାଶ ପୁର,ନୂଆଗଡ, ଖୁଲଡି, ଜଲମରା, ଭୁଇପଲ୍ଲୀ, ପାଟପୁର ଗ୍ରାମ ରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଜାରି କରାଯାଇଥିଲା। ଗୁରୁବାର ରାତି ପ୍ରାୟ ୨ ଟାରେ ଡ଼୍ୟାମ ସ୍ପିଲ୍ ୱେ ର ୩ ଟି ଗେଟ୍ ବନ୍ଦ କରାଯାଇ କେବଳ ଗୋଟିଏ ଗେଟ୍ ମଧ୍ୟ ଦେଇ ପାଣି ଛଡା ଯାଇଥିଲା। ଡ଼୍ୟାମ ର ଜଳଧାରଣ କ୍ଷମତା ୧୧୭.୮୦ ମିଟର ରହିଥିବା ବେଳେ ଶୁକ୍ରବାର ସକାଳ ସୁଦ୍ଧା ୧୧୬.୭୦ ମିଟର ପାଣି ଗଚ୍ଛିତ ରହିଥିବା ଉପନିର୍ବାହୀ ଯନ୍ତ୍ରୀ ଜଣାଇଛନ୍ତି। ଉପନିର୍ବାହୀ ଯନ୍ତ୍ରୀ ,ବିଭାଗୀୟ ବରିଷ୍ଠ କର୍ମଚାରୀ ପ୍ରଦୀପ କୁମାର ମହାନ୍ତି ଏବଂ ଅନ୍ୟ କର୍ମଚାରୀ ବୃନ୍ଦ ଡ଼୍ୟାମ ପରିସରରେ ଉପସ୍ଥିତ ରହି ପରିସ୍ଥିତି ପ୍ରତି ନଜର ରଖିଥିବା ଜଣାପଡ଼ିଛି।