ସାର ପାଇଁ ଉତ୍ତେଜନା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ୟୁରିଆ ସାର ର ଘୋର ଅଭାବ ଦେଖାଦେଇଛି। ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସାର ପାଇଁ ରବିବାର ସକାଳୁ ଚାଷୀଙ୍କ ଲମ୍ବା ଲାଇନ୍ ଲାଗିଥିଲା।ସେମାନଙ୍କ ମଧ୍ୟରେ ଠେଲା ପେଲା ହେବାରୁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।ପରେ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା।ପୁଲିସ ଉପସ୍ଥିତିରେ ଚାଷୀଙ୍କୁ ସାର ବିକ୍ରୀ କରାଯାଇଥିଲା।ସମବାୟ ସମ୍ପାଦକ ଚନ୍ଦ୍ରଧ୍ଵଜ ସାହୁ ଙ୍କୁ ପଚାରିବାରୁ ପୂର୍ବରୁ ୫ ଟି ଟ୍ରକ୍ ରେ ଆସିଥିବା ୧୧୨୫ ବସ୍ତା ୟୁରିଆ ସାର ଉଭୟ ଭ୍ରମରପୁର ପଞ୍ଚାୟତ ଏବଂ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅଧିନ ଗ୍ରାମର ପଞ୍ଜୀକୃତ ଚାଷୀ ଙ୍କୁ ବିକ୍ରୀ କରାଯାଇଥିଲା।ଶନିବାର ପୁଣି ୩ ଟି ଟ୍ରକ୍ ରେ ୬୭୫ ବସ୍ତା ସାର ସମବାୟ ଗୋଦାମ କୁ ଆସିଥିଲା।ଚାଷୀଙ୍କୁ ବିକ୍ରୀ ପାଇଁ ବ୍ୟବସ୍ଥା କରିବା ବେଳେ ପୂର୍ବରୁ ସାର ନେଇ ସାରିଥିବା କିଛି ଚାଷୀ ପୁଣି ସାର ନେବା ପାଇଁ ଆସିବାରୁ ପୋଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁ ମୁହି ପରିସ୍ଥିତି ସୃଷ୍ଟି ହୋଇଥିଲା।ଗ୍ରାମର ଭଦ୍ର ବ୍ୟକ୍ତି ମାନଙ୍କ ଉପସ୍ଥିତିରେ ସମାଧାନ କରାଯାଇଥିଲେ ମଧ୍ୟ ସାର ବିକ୍ରୀ ବନ୍ଦ ରଖାଯାଇଥିଲା। ଦୁଇଟି ପଞ୍ଚାୟତ ର ୨୨ ଖଣ୍ଡ ଗାଁ କୁ ନେଇ ଗଠିତ ଚୌଧୁରୀ ଟିକରପଡ଼ା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କୁ ନିଅଣ୍ଟିଆ ସାର ଯୋଗାଣ ଯୋଗୁଁ ପରିସ୍ଥିତି ଅସମ୍ଭାଳ ହୋଇଛି।ପ୍ରାୟ ୫ ହଜାର ଚାଷୀଙ୍କୁ ବର୍ତ୍ତମାନ ସୁଦ୍ଧା ମାତ୍ର ୨ ହଜାର ୟୁରିଆ ସାର ବସ୍ତା ଯୋଗାଣ କରାଯାଇଥିବା ରୁ ଚାଷୀଙ୍କୁ ଆବଶ୍ୟକ ସାର ମିଳୁନି।କିଛି ଚାଷୀ ଅନ୍ୟ ସେବା ସମବାୟ ସମିତି ରୁ ସାର କ୍ରୟ କରି ଜମିରେ ପକାଇଥିବା କହିଛନ୍ତି। ଚଳିତବର୍ଷ ୟୁରିଆ ସାର ବିକ୍ରୀ ପାଇଁ ରେଜିଷ୍ଟ୍ରିଭୁକ୍ତ ଘରୋଇ ଡିଲର ମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ସାର ସରକାର ଯୋଗାଇ ଦେଇନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜାଣିବାକୁ ମିଳିଛି ।