ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ
ଛତ୍ରପୁର (ଓ୍ବାଇଏନଏସ) ; ଛତ୍ରପୁର ସ୍ଥିତ ଜଉଗଡ ସମ୍ମିଳନୀ କକ୍ଷରେ ସୋମବାର ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତୀ ଭାସନ୍ ଓ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଯୋଗ ଦେଇ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକଙ୍କ ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ମୁଖ୍ୟତଃ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଓ ରାସନ କାର୍ଡ ଆଦି ଅଭିଯୋଗ ନେଇ ଲୋକେ ଏହି କାର୍ଯ୍ୟକ୍ରମକୁ ଆସିଥିବା ବେଳେ ସେଗୁଡିକୁ ନଜରରେ ରଖାଯାଇଛି । ସରକାରଙ୍କ ପକ୍ଷରୁ ଟାର୍ଗେଟ ଆସିଲେ ସେଗୁଡିକ ପର୍ଯ୍ୟାୟ କ୍ରମେ ସମାଧାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଲୋକଙ୍କ ସମସ୍ତ ଅଭିଯୋଗ ଗୁଡିକ ଅନଲାଇନ ମାଧ୍ୟମରେ ସାଙ୍ଗେ ସାଙ୍ଗେ ପଞ୍ଜୀକରଣ କରାଯାଉଛି । ସେ ସମସ୍ତ ଅଭିଯୋଗ ଗୁଡିକର ସମାଧାନ କରାଯିବା ଲାଗି ଚେଷ୍ଠା କରାଯାଉଛି । ପୂର୍ବରୁ ଆସିଥିବା ସମସ୍ତ ଅଭିଯୋଗ ମଧ୍ୟରୁ ୯୦ ପ୍ରତିଶତ ଅଭିଯୋଗ ଗୁଡିକର ସମାଧାନ କରାଯାଇଛି । ଏହା ସହ ଜିଲ୍ଲା ସ୍ତରରେ ଲୋକଙ୍କ ଅଭିଯୋଗ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଇ- ନିବେଦନ ନାମରେ ଏକ ପୋର୍ଟାଲ କରାଯାଇଛି । ଲୋକେ ସିଧାସଳଖ ଘରେ ବସି ଅନଲାଇନ ମାଧ୍ୟମରେ ନିଜ ନିଜ ଅଭିଯୋଗ ଜଣାଇ ପାରୁଛନ୍ତି । ଏବଂ ସେଗୁଡିକର ଅପଡେଟ ଅଭିଯୋଗକାରୀ ମାନେ ହ୍ୱାଟସାପ୍ ମାଧ୍ୟମରେ ପାଇ ପାରୁଛନ୍ତି । ସେହିପରି ପୂର୍ବରୁ କେବଳ ଜିଲ୍ଲା ସ୍ତରରେ ଆୟୋଜିତ ହେଉଥିବା ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଏବେ ପ୍ରତ୍ୟେକ ଗ୍ରାମ ପଂଚାୟତରେ ଅନୁଷ୍ଠିତ ହେଉଥିବାରୁ ଏଠାକୁ ଆସି ଲୋକଙ୍କ ଅଭିଯୋଗ କରିବା ସଂଖ୍ୟା କମିଛି । ଯାହା ଫଳରେ ଲୋକେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁନାହିଁ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ।