ହସ୍ପିଟାଲରୁ ଶିଶୁ ଚୋରୀ ଘଟଣା 3ଘଣ୍ଟାରେ ଶିଶୁକୁ ଉଦ୍ଧାର କଲା ପୋଲିସ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ବାରିପଦା ହସ୍ପିଟାଲରୁ ସକାଳୁ ସକାଳୁ ନବଜାତ ଶିଶୁ ଚୋରୀ ହୋଇଥିବାର ଖବର ଜଣାଯାଇଥିଲା. ତେବେ ବାରିପଦା ଟାଉନ ପୋଲିସ ପାଖରେ ଶିଶୁ ଚୋରୀ ଖବର ପହଂଚିବା ପରେ ବାରିପଦା ଟାଉନ ଥାନା ଅଧିକାରୀ କରୁଣାକର ରାଉତ ଘଟଣାକୁ ଗୁରୁତର ସହ ନେଇ ଚୋରୀ ଶିଶୁକୁ ଉଦ୍ଧାର କରିବା ପାଇଁ ସିସି ଟିଭି ଫୁଟେଜ ଆଧାର ରେ ତନାଘନା ଚଳାଇଥିଲେ. ତେବେ ଅଭିଯୋଗର ତିନିଘଣ୍ଟା ମଧ୍ୟରେ ପୋଲିସ ଶିଶୁଟିକୁ ଚୋରୀ କରିଥିବା ମହିଳା ସହିତ ବୈଶିଙ୍ଗା ନିକଟରୁ ଉଦ୍ଧାର କରିବାରେ ସଫଳ ହୋଇଛି. ନବଜାତ ଶିଶୁଟିକୁ ତାର ମାଆଙ୍କୁ ଫେରସ୍ତ କରିବା ସହ ଶିଶୁ ଚୋରୀ କରିଥିବା ମହିଳା ଙ୍କୁ ଗିରଫ କରିଛି ବାରିପଦା ଟାଉନ ଥାନା ପୋଲିସ. ସୂଚନା ମୁତାବକ ବାରିପଦା ସଦର ଥନା ଅନ୍ତର୍ଗତ ରାଣୀଭୋଳ ଗ୍ରାମର ଧାନାଇ ହାଁସଦା ଗତକାଲି ସ୍ତ୍ରୀ ଫୁଲମଣି ସୋରେନଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ନେଇ ଆମ୍ବୁଲାନ୍ସରେ ବାରିପଦା ମେଡିକାଲ ଆସିବା ବାଟରେ ଆମ୍ବୁଲାନ୍ସ ଭିତରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ. ତେବେ ଜନ୍ମ ପରେ ମା ଓ ନବଜାତ ଶିଶୁ ଉଭୟଙ୍କୁ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ 10 ତାରିଖ ଭୋର ୫ଟା ସମୟରେ ମେଡିକାଲରେ ଭର୍ତ୍ତି ହୋଇଥିଲେ. ଗତକାଲି ରାତିରୁ ଜଣେ ଅଜଣା ମହିଳା ତାଙ୍କ ନିକଟରେ ଆସି ମିଳାମିଶା କରି ସାଙ୍ଗରେ ରହିଥିଲା. ଆଜି ସକାଳ ପ୍ରାୟ ୬ ଟା ସମୟରେ ଅଜଣା ମହିଳା ଜଣକ ଧାନାଇ ହାଁସଦାଙ୍କୁ ପ୍ରସବକାଳୀନ ସରକାରୀ ସହାୟତା ଟଙ୍କା ପାଇଁ ଆବେଦନ କରିବାକୁ ଡାକି ନେଇଥିଲା. ଧାନାଇ ଶିଶୁପୁତ୍ରକୁ ଧରି ଆବେଦନ ପାଇଁ ଯାଇଥିବା ସମୟରେ କୌଶଳ କ୍ରମେ ମହିଳା ଜଣକ ତାଙ୍କ ଠାରୁ ଶିଶୁପୁତ୍ରକୁ ନେଇ କେଉଁ ଆଡେ ଉଭାନ ହୋଇଯାଇଥିଲା. ବହୁ ଖୋଜାଖୋଜି ପରେ ମଧ୍ୟ ଶିଶୁପୁତ୍ର ନମିଳିବାକୁ ଥାନାରେ ଅଭିଯୋଗ କରିଥିଲେ ଦମ୍ପତି ଓ ଆଶାଦିଦି.
ପୋଲିସର କହିବା ମୁତାବକ ଶିଶୁ ଚୋରୀ କରିଥିବା ମହିଳା ଜଣକର ସନ୍ତାନ ନଥିବାରୁ ସେ ଶିଶୁଚୋରି ପାଇଁ ସୁଯୋଗ ଖୋଜୁଥିଲା. ଏଣୁ କୌଶଳ କ୍ରମେ ସେ ଶିଶୁଚୋରି କରିଥିଲା. ମହିଳାଙ୍କୁ ଥାନାରେ ଅଟକ ରଖି ପୋଲିସ ଘଟଣା ସମ୍ପର୍କରେ ପଚରା ଉଚୁରା କରୁଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ