ପଞ୍ଚାୟତ ଆଲୋକୀକରଣ ପ୍ରକଳ୍ପରେ କୋଟିଏ ଦୁର୍ନୀତି : ଭିଜିଲାନ୍ସ ତଦନ୍ତ ଦାବି କଲେ ପୂର୍ବତନ ବିଧାୟିକା ସିପ୍ରା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର ରାସ୍ତା ଆଲୋକୀକରଣ ପ୍ରକଳ୍ପରେ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଛି। ଠିକାଦାର, ଯନ୍ତ୍ରୀ, ସରକାରୀ ଅଧିକାରୀ, ରାଜନେତା ମିଳିମିଶି ସରକାରୀ ଅନୁଦାନ ହରିଲୁଟ କରିଛନ୍ତି। ଯାହାଫଳରେ ଏହି ପଞ୍ଚାୟତରେ ଗୋଟିଏ ଦୁଇଟି ଲାଇଟକୁ ଛାଡିଦେଲେ ବାକି ଲାଇଟର ଚିହ୍ନବର୍ଣ୍ଣ ନାହିଁ। କେବଳ କାଗଜ କଲମରେ ଏହି ପ୍ରକଳ୍ପ ଶେଷ କରାଯାଇ ବିଲ କରାଯାଇଛି। ଏଥିରେ ଯେଉଁ ବଡ ଧରଣର ଦୁର୍ନୀତି ହୋଇଛି ଓ ଯେଉଁ ପ୍ରଭାବଶାଳୀ ବ୍ୟକ୍ତିମାନେ ଏଥିରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରିବା ପାଇଁ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ ଜିଲ୍ଲାପାଳ ରଘୁରାମ ଆର.ଆୟାରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଡ. ମଲ୍ଲିକ ଶୁକ୍ରବାର ଜିଲ୍ଲାପାଳଙ୍କୁ ଭେଟି ଏହି ଦୁର୍ନୀତି ସଂକ୍ରାନ୍ତରେ ଖୋଳତାଡ କରି ଏହାର ଭିଜିଲାନ୍ସତଦନ୍ତ କରାଇବା ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଏସଂକ୍ରାନ୍ତରେ ଡ. ମଲ୍ଲିକ ପ୍ରଦାନ କରିଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରେ ପଥ ଆଲୋକୀକରଣ ନିମନ୍ତେ ରାଜ୍ୟସଭା ସାଂସଦ ସୁଲତା ଦେଓ ପ୍ରାୟ ଏକ କୋଟି ଟଙ୍କା ସଂସଦୀୟ କ୍ଷେତ୍ର ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ପ୍ରଦାନ କରିଥିଲେ। ସେଥିମଧ୍ୟରୁ କେବଳ ଚକ୍ରୋଡା ଗ୍ରାମପଞ୍ଚାୟତକୁ ୬୪ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା। ସେହିପରି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମଧ୍ୟ ତାଙ୍କ ପାଣ୍ଠିରୁ ୪୦ଲକ୍ଷରୁ ଉର୍ଦ୍ଧ୍ୱ ଅନୁଦାନ ପ୍ରଦାନ କରିଥିଲେ। ପଞ୍ଚାୟତ ରାସ୍ତାକୁ ଆଲୋକୀକରଣ କରିବା ଉଦ୍ଦେଶ୍ୟରେ ଉଭୟ ସାଂସଦ ଏହି ଅର୍ଥ ପ୍ରଦାନ କରିଥିଲେ। ଚକ୍ରୋଡା ଗ୍ରାମପଞ୍ଚାୟତର ୫,୧୫ ଓ ୧୮ନମ୍ବର ୱାର୍ଡରେ ପଥ ଆଲୋକୀକରଣ ଯୋଜନାରେ ବିନିଯୋଗ କରାଯାଇଥିବା କାଗଜକଲମରେ ଦର୍ଶାଯାଇଛି। କିନ୍ତୁ ଏଥି ନିମନ୍ତେ ବିଦ୍ୟୁତ ବିଭାଗରୁ ଫିଜିବିଲିଟି ରିପୋର୍ଟ କିମ୍ବା ବୈଷୟିକ ମଞ୍ଜୁରୀ ନିଆଯାଇ ନାହିଁ। ବିଦ୍ୟୁତ ବିଭାଗର ଅଗୋଚରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ଏହି ଅର୍ଥରେ ଅତ୍ୟନ୍ତ ନିମ୍ନମାନର ଅନାମଧେୟ କମ୍ପାନୀର ସାମଗ୍ରୀ ହାତଗଣତି କେତେକ ସ୍ଥାନରେ ବ୍ୟବହାର କରାଯାଇଥିବା ବେଳେ ବାକି ସ୍ଥାନରେ ଖୁଣ୍ଟି ଓ ଆଲୋକ ବ୍ୟବସ୍ଥା କରାଯାଇଥିବା କାଗଜ କଲମରେ ଦର୍ଶାଯାଇଛି। ପ୍ରକଳ୍ପରେ ବହୁ ଅଧିକ ଅର୍ଥ ବ୍ୟୟ ହୋଇଥିବା ଦର୍ଶାଯାଇଥିବା ବେଳେ ପ୍ରକୃତରେ ଅଟ୍ଟକଳ ଅର୍ଥର ୨୫ପ୍ରତିଶତ ମଧ୍ୟ ବ୍ୟୟ ହୋଇନାହିଁ। ପ୍ରକଳ୍ପଟି ବିଦ୍ୟୁତ ବିଭାଗ ବଦଳରେ କେନ୍ଦ୍ରାପଡା ବ୍ଲକ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଛି। ଏହି ପ୍ରକଳ୍ପ ଗ୍ରାମ୍ୟ ବିଦ୍ୟୁତକରଣ କର୍ତ୍ତୃପକ୍ଷଙ୍କ କିମ୍ବା ଟିପିସିଓଡିଏଲ ଜରିଆରେ କାର୍ଯ୍ୟକାରୀ କରାନଯାଇ ବ୍ଲକ ଅଧିକାରୀଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବାରୁ ଏହାର ବୈଷୟିକ ତଦାରଖ, ମୂଲ୍ୟାୟନ ଏବଂ ବ୍ୟବହୃତ ବିଦ୍ୟୁତ ସାମଗ୍ରୀର ମାନ ଓ ସ୍ଥାୟୀତ୍ୱ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ଏହି ପ୍ରକଳ୍ପ କାର୍ଯ୍ୟର ତଦନ୍ତ ଭିଜିଲାନ୍ସ ବିଭାଗ ଦ୍ୱାରା କରାଗଲେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ପ୍ରାକ୍ତନ ବିଧାୟିକା ଡ. ମଲ୍ଲିକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗପତ୍ର ଗ୍ରହଣ କରିବା ପରେ ଏହାର ବିଧିବଦ୍ଧ ତଦନ୍ତ ହେବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ଜିଲ୍ଲା କଂଗ୍ରେସ ସାମାଜିକ ଗଣମାଧ୍ୟମ ସଂଯୋଜକ ହିମାଂଶୁ ଭୁଷଣ ନନ୍ଦ, ତରନୁମ ବେଗମ, ରଶ୍ମୀରଞ୍ଜନ ଚୈାଧୁରୀ, ଉମେଶ ପାଢୀ, ଅଶୋକ ମୋହନ ଜେନାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ