ବନାଖଣ୍ଡି ସରପଞ୍ଚ ବିରୋଧରେ ଅନାସ୍ଥା ଭୋଟ ଶେଷ, ଫଳାଫଳକୁ ଅପେକ୍ଷା
କୋଣାର୍କ (ଓ୍ବାଇଏନଏସ): କୋଣାର୍କ ଥାନା ଅଧିନସ୍ଥ ବନାଖଣ୍ଡି ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଓ୍ବାର୍ଡ ମେମ୍ବର ମାନେ ଆଗତ କରିଥିବା ଅନାସ୍ଥା ପ୍ରସ୍ଥାବକୁ ନେଇ ମଙ୍ଗଳବାର ପୂର୍ବାହ୍ନ ସମୟରେ ଗୋପ ବ୍ଲକ ପ୍ରଶାସନ ପକ୍ଷରୁ ଅନାସ୍ଥା ଭୋଟ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ବନାଖଣ୍ଡି ଗ୍ରାମପଞ୍ଚାୟତର ନାଏବ ସରପଞ୍ଚଙ୍କ ସମେତ ୧୫ଜଣ ଓ୍ବାର୍ଡ ସଭ୍ଯ ସଭ୍ୟା ବନାଖଣ୍ଡି ସରପଞ୍ଚ ପ୍ରଜ୍ଞା ପରମିତା ନାୟକଙ୍କ ବିରୋଧରେ ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଠାରେ ଅନାସ୍ଥା ପ୍ରସ୍ଥାବ ଆଗତ କରି ଉପଜିଲ୍ଲାପାଳ ରାଜକିଶୋର ଜେନାଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ପୁରୀ ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ କଡା ସୁରକ୍ଷା ବଳୟ ମଧ୍ୟରେ ବନାଖଣ୍ଡି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗୋପ ତହସିଲଦାର ଅନିଲ କୁମାର ମହାନ୍ତିଙ୍କ ଉପସ୍ଥିତରେ ସରପଞ୍ଚ ପ୍ରଜ୍ଞା ପରମିତା ନାୟକଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ଥାବ ନେଇ ଭୋଟ ଗ୍ରହଣ କରାଯାଇଥିଲା। ଏହି ଭୋଟରେ ଗ୍ରାମ ପଞ୍ଚାୟତର ୧୮ଗୋଟି ଓ୍ବାର୍ଡର ଓ୍ବାର୍ଡ ମେମ୍ବର ଙ୍କ ସମେତ ସରପଞ୍ଚ ଭୋଟଦାନ କରିଥିଲେ। ଏହି ଭୋଟରେ ସରପଞ୍ଚଙ୍କ ବିପକ୍ଷରେ ୧୫ ଭୋଟ ପଡିଥିଲା ବେଳେ ସପକ୍ଷରେ ୨ଟି ଭୋଟ ପଢିବା ସହ ଗୋଟିଏ ଭୋଟ ନାକଚ ହୋଇଥିବା ସାଧାରଣରେ ଆଲୋଚନା ହେଉଛି। ଏହି ଭୋଟର ଗଣତି ଆସନ୍ତା ୧୯ ତାରିଖରେ ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଠାରେ ହେବ ବୋଲି ଜଣାପଡିଛି। ଏହି ଅନାସ୍ଥା ଭୋଟ ସମୟରେ ନିମାପଡ଼ା ଏସଡିପିଓ ଜନାର୍ଦ୍ଦନ ପାଢ଼ୀଙ୍କ ନେତୃତ୍ବରେ କୋଣାର୍କ, ଗୋପ, ରାମଚଣ୍ଡୀ ଓ ଚନ୍ଦ୍ରଭାଗା ସାମୁଦ୍ରିକ ଥାନାର ଥାନା ଅଧିକାରୀ ମାନଙ୍କ ସମେତ ସଶସ୍ତ୍ର ପୋଲିସ ମୁତୟନ କରାଯାଇଥିଲା।


