ଯୁବକଙ୍କୁ ହତ୍ୟା ଉଦ୍ୟମ : ଲୁହାଛଡ଼ ଓ ବାଇକ ଜବତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମର କୃଷ୍ଣ ଗୌଡ଼ ଙ୍କୁ ପୂର୍ବ ଶତ୍ରୁତାରୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ବୁଧବାର ସନ୍ଧ୍ୟା ପ୍ରାୟ ୬ ଟାରେ ଗାଁ ର ତିନିଛକ ରେ କୃଷ୍ଣ ଠିଆ ହୋଇ ତାଙ୍କ ସାଙ୍ଗମାନଙ୍କ ସହ କଥା ହେଉଥିବା ବେଳେ କେ.ନୂଆଗାଁ ଥାନା ବମକେଇ ପଞ୍ଚାୟତ ରାଇଗୁଡା ଗ୍ରାମର ବାବୁନା ଜାନି,ଗଣେଶ ପାଇକ ଏବଂ ଅନ୍ୟଜଣେ ଯୁବକ ବାଇକ ନଂ.( ଓଡ଼ି ୦୭ ଟି -୩୮୦୨) ଯୋଗେ ଆସି କୃଷ୍ଣ ଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରି ଧମକ ଦେଇଥିଲେ।ପ୍ରତିବାଦ କରିବାରୁ ବାବୁନା ଧରିଥିବା ଏକ ଲୁହାଛଡ଼ ରେ ତାଙ୍କ ମୁଣ୍ଡ ଓ ହାତ କୁ ମାରିଥିଲେ।କୃଷ୍ଣ ଙ୍କୁ ଗଣେଶ ପଛଆଡୁ ଭିଡ଼ି ଧରିବା ପରେ ବାବୁନା ଏବଂ ଅନ୍ୟ ଜଣେ ଅଚିହ୍ନା ଯୁବକ ତାଙ୍କୁ ନିସ୍ତୁକ ମାଡ଼ ମାରିବାରୁ ସେ ତଳେ ପଡି ପାଟି କରିଥିଲେ।କୃଷ୍ଣ ଙ୍କ ପାଟି ଶୁଣି ଗ୍ରାମର ବହୁସଂଖ୍ୟକ ଯୁବକ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ବାବୁନା ଏବଂ ଗଣେଶ ଙ୍କୁ ଅଟକ ରଖି ଦିଗପହଣ୍ଡି ଥାନାକୁ ଜଣାଇଥିଲେ।ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବାବୁନା ଏବଂ ଗଣେଶ ଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ଥାନା ରେ ଅଟକ ରଖିଛନ୍ତି।କୃଷ୍ଣ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ହେବା ପରେ ଥାନାରେ ଏତଲା ଦେଇଥିବା କହିଛନ୍ତି। ଗତ ୭ ଦିନ ପୂର୍ବେ ବାବୁନା ବାଇକ ରେ ଆସି କୃଷ୍ଣ ଙ୍କୁ ଗାଁ ରେ ଧମକ ଦେଇଥିଲେ। ୪ ଦିନ ପୂର୍ବେ ବାବୁନା ବୋରିପଦର ଗାଁ ର ଗ୍ୟାରେଜ କୁ ଆସିଥିବା ବେଳେ କୃଷ୍ଣ ତାଙ୍କୁ ଗତ ଦିନର ଘଟଣା ନେଇ ପଚାରିଥିଲେ।ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ କେନ୍ଦ୍ରକରି ବାବୁନା ପୂର୍ବ ଯୋଜନା ପ୍ରକାରେ ତାଙ୍କୁ ହତ୍ୟା ଉଦ୍ୟମ କରିଥିବା ଏତଲାରେ ଉଲ୍ଲେଖ ରହିଛି।


