ଜାତୀୟ ଆଇନସେବା ଦିବସରେ ମେଗା ରକ୍ତଦାନ ଶିବିର
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ନଭେମ୍ବର ୯ ତାରିଖ ଜାତୀୟ ଆଇନ ସେବା ଦିବସ ଉପଲକ୍ଷେ ଜିଲ୍ଲା ଆଇନସେବା ପ୍ରାଧିକରଣ, କେନ୍ଦୁଝର ଆୟୋଜନରେ ତଥା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ରେଡକ୍ରସ ସମିତି, କେନ୍ଦୁଝର ସହଯୋଗରେ ରୋଟାରୀ କ୍ଲବ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ରକ୍ତଦାନ ଶିବିରରେ ବିଚାର ବିଭାଗର ବିଭିନ୍ନ ବିଚାର ବିଭାଗୀୟ ଅଧିକାରୀ,କର୍ମଚାରୀ,ପାନେଲ ଅଧିବକ୍ତା,ବାରସଂଘ ଆଇନଜୀବି,ପାରା ଆଇନ ସ୍ୱେଚ୍ଛାସେବୀ,ଜିଲ୍ଲା ପ୍ରଶାସନ ଓ ରେଡକ୍ରସ ସମିତିର କର୍ମକର୍ତ୍ତା,ଧରଣୀଧର ବିଶ୍ୱ ବିଦ୍ୟାଳୟ,ଗୋନାସିକା,ଗାୟତ୍ରୀ ଓ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ,ପ୍ରେସ କ୍ଲବ କର୍ମକର୍ତ୍ତା ତଥା ସାଧାରଣ ଜନତା ଯୋଗଦାନ କରି ରକ୍ତଦାନ ଭଳି ମହତ କାର୍ଯ୍ୟ କରିବେ ବୋଲି ଜଣାପଡିଛି । ଏଥିରେ ଅଂଶଗ୍ରହଣ କରି ରକ୍ତଦାନ କରିବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ପ୍ରଶାସନ ତରଫରୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଏଥିସହିତ ବିଭିନ୍ନ ବିଭାଗ ଯଥା ଜିଲ୍ଲା ଶ୍ରମ ଅଧିକାରୀ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ଜିଲ୍ଲା ଯୋଗାଣ ଅଧିକାରୀ,ସ୍ୱାସ୍ଥ୍ୟ ବିଭାଗ,ବ୍ଲକ ତରଫରୁ ବିଭିନ୍ନ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ଓ ଉପକରଣ ତଥା ପରିଚୟ ପତ୍ର ବଂଟନ କରାଯିବ । ପରିଶେଷରେ ଆଇନସେବାର ସୁଫଳ ଲୋକମାନେ କିଭଳି ପାଇ ପାରିବେ ସେ ସମ୍ବନ୍ଧରେ ସଚେତନତାମୂଳକ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜନସାଧାରଣ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ପ୍ରାଧିକରଣ ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ ଅନୁରୋଧ କରିଛନ୍ତି ।


