ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳନ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ସ୍ଥିତ କୃଷିବିଜ୍ଞାନ କେନ୍ଦ୍ରଠାରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ–୨୦୨୫ ପାଳନ କରାଯାଇଛି। ଏହି ଆଲୋଚନା ଚକ୍ରରେ କୃଷି ଐତିହ୍ୟ ଓ ଜୈବ ବିବିଦତା ସଂରକ୍ଷଣରେ ମହିଳାଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସତ୍ୟବାନ ସୋରେନଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦୁଝରଗଡ଼ ପୋୖରାଧ୍ୟକ୍ଷା ନିକୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଆରଆରଟିଟିଏସ ଏଡିଆର ଶ୍ରୀ କିଶୋର ସାହୁ , ମୂର୍ତ୍ତିକା ସଂରକ୍ଷଣ ବିଭାଗ ସହକାରୀ ନିର୍ଦେଶକ ପ୍ରଦୀପ କୁମାର ରାଉତ,ଉଦ୍ୟାନ କୃଷି ବିଭାଗ ସହକାରୀ ନିର୍ଦେଶକ ଗୋବିନ୍ଦ ଚନ୍ଦ୍ର ମେହେର, ଜିଲ୍ଲା ସମାଜ କଳ୍ୟାଣ ବିଭାଗ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଲକ୍ଷ୍ମୀ ଖୋୟା ଓ କୃଷି ଜିଲ୍ଲା ଅଧିକାରୀ ଶ୍ରୀ ବିଶ୍ୱଜୟୀ ମିଶ୍ର ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ପକ୍ଷରୁ ପ୍ରତିବର୍ଷ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଆସୁଛି। ମାଣ୍ଡିଆକୁ ଜିଲ୍ଲାସ୍ତରରେ ଅଧିକରୁ ଅଧିକ ଚାଷୀ ଯେପରି ଚାଷ କରିପାରିବେ ଓ ଏହି ପୃଷ୍ଟି ଶସ୍ୟକୁ ପ୍ରତ୍ୟେକ ପରିବାର ଖାଦ୍ୟଥାଳିରେ ସାମିଲ କରିପାରିବେ, ତାହା ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଜିଲ୍ଲାର ଶ୍ରେଷ୍ଠ ମାଣ୍ଡିଆ ଚାଷୀ ଭାବେ ଛଅଜଣଙ୍କୁ ପୁରସ୍କୃତ କରାଯାଇଥିଲା। ସେମାନେ ହେଲେ ଚମ୍ପୁଆ ବ୍ଲକର ପଦ୍ମାବତୀ ମହାନ୍ତ, ହରିଚନ୍ଦନପୁର ବ୍ଲକର ଦମୟନ୍ତୀ ପଲେଇ, ଝୁମ୍ପୁରା ବ୍ଲକର ପ୍ରେମଲତା ମହାନ୍ତ, ଯୋଡ଼ା ବ୍ଲକର ଲକ୍ଷ୍ମୀପ୍ରିୟା ପୃଷ୍ଟି, ତେଲକୋଇ ବ୍ଲକର ହର୍ଷମଣୀ ଖୁଣ୍ଟିଆ ଓ କେନ୍ଦୁଝର ସଦର ବ୍ଲକର ଭାନୁମତୀ ମହାନ୍ତ। ସେହିପରି ଶ୍ରେଷ୍ଠ ବିହନ ସଂରକ୍ଷକ ଚାଷୀ ରୂପେ ସଦର ବ୍ଲକର ସଞ୍ଜୁଲତା ମହାନ୍ତ ପୁରସ୍କୃତ ହୋଇଥିଲେ। ଝୁମ୍ପୁରା ବ୍ଲକର ମା ସମଲେଇ ସ୍ୱୟଂ ସହାୟକ ଗୋଷ୍ଠୀ କୁ ଶ୍ରେଷ୍ଠ କୃଷି ଯନ୍ତ୍ରପାତି କେନ୍ଦ୍ର ପରିଚାଳକ, ସାହାରପଡା ବ୍ଲକ ସ୍ଥିତ ମା ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀ କୁ ଶ୍ରେଷ୍ଠ ଜୈବ ଖତସାର ପ୍ରସ୍ତୁତି ଓ ବିକ୍ରି କେନ୍ଦ୍ର ରୂପେ, ଏବଂ ଚମ୍ପୁଆ ବ୍ଲକ ସ୍ଥିତ ସଙ୍କଟ ମୋଚନ ସ୍ୱୟଂ ସହାୟକ ଗୋଷ୍ଠୀ କୁ ଶ୍ରେଷ୍ଠ ମିଲେଟ ଟିଫିନ ସେଣ୍ଟର ରୂପେ ପୁରସ୍କୃତ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଝୁମ୍ପୁରା ବ୍ଲକ ସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏସଜି ଫାଉଣ୍ଡେସନ ତରଫରୁ ବିଭିନ୍ନ ପୃଷ୍ଟି ଶସ୍ୟର ପ୍ରଦର୍ଶନୀ ଷ୍ଟଲ, ସଦର ବ୍ଲକ ସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଇଣ୍ଡିଆ ତରଫରୁ ଜୈବ ବିବିଧତାର ନିଦର୍ଶନ ପୂର୍ବକ ବିଭିନ୍ନ ପାରମ୍ପରିକ ଭୂପ୍ରଜାତି ବିହନ ଗୁଡିକ ପ୍ରଦର୍ଶନୀ ଷ୍ଟଲ, ମିଲେଟ କୃଷି ଯନ୍ତ୍ରପାତି ଓ ପୃଷ୍ଟି ଶସ୍ୟ ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମିଲେଟ୍ ସ୍ୱାଦ କାର୍ଯ୍ୟକ୍ରମ ମାଧ୍ୟମରେ ପୃଷ୍ଟିଶଷ୍ୟର ବିଭିନ୍ନ ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଯୋଜନା ଅଧିକାରୀ ଶ୍ରୀମତୀ ସୁମନସ୍ମିତା ତରାଇ ପରିଚାଳନା କରିଥିଲେ ଓ ଶ୍ରୀ ଅନ୍ନ ଅଭିଯାନର ଜିଲ୍ଲା ପ୍ରକଳ୍ପ ପରିଚାଳକ ନାରାୟଣ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


