ଜିଲ୍ଲାସ୍ତରୀୟ “ବନ୍ଦେ ମାତରମ୍” ସାମୁହିକ ଗାନ କାର୍ଯ୍ୟକ୍ରମ
କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଆମ ଦେଶର ଜାତୀୟ ଗୀତ “ ବନ୍ଦେ ମାତରମ ” ରଚନା ହେବାର ୧୫୦ ମହିମାମୟ ବର୍ଷ ପୂର୍ତ୍ତି ଅବସରରେ କେନ୍ଦୁଝରଠାରେ ବନ୍ଦେ ମାତରଂର ସାମୁହିକ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ‘ବନ୍ଦେ ମାତରମ୍’ ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଉପ-ଜିଲ୍ଲାପାଳ ଉମାଶଙ୍କର ଦଳାଇ ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ, ଦରବାର ହଲଠାରେ ସକାଳ ୯:୩୫ ରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ସିଧା ପ୍ରସାରଣ ହୋଇଥିଲା। ଏହାପରେ ଠିକ୍ ୯:୫୦ ରେ ସମସ୍ତ ଜିଲ୍ଲା ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ରାଷ୍ଟ୍ରଗୀତର ଗଣ-ଆବୃତ୍ତି କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବ୍ଲକ୍, ତହସିଲ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ ମଧ୍ୟ ପାଳିତ ହୋଇଛି। ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ଜାତୀୟତାର ଭାବନା ଜାଗ୍ରତ କରିବାରେ ଵଂକିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କ ଅବଦାନକୁ ସ୍ୱୀକାର କରି ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ନିଜ ଅଭିଭାଷଣରେ ଜିଲ୍ଲାପାଳ ଶ୍ରୀ ସିଂହ “ବନ୍ଦେ ମାତରମ୍” ୧୫୦ ବର୍ଷ ପରେ ମଧ୍ୟ ଆଜିକାର ପିଢ଼ିକୁ ଅନୁପ୍ରାଣିତ କରିଆସୁଛି, ଯାହା ଏକତା, ସାହସ ଏବଂ ମାତୃଭୂମି ପ୍ରତି ପ୍ରେମର ପ୍ରତୀକ ଭାବେ ବିଦ୍ୟମାନ କରୁଅଛି ବୋଲି କହିବା ସହ ଛାତ୍ର ଏବଂ ଯୁବପିଢ଼ିଙ୍କୁ ସେମାନଙ୍କ ଦୈନନ୍ଦିନ ଜୀବନରେ ଏହି ଗୀତର ସାରକୁ ଗ୍ରହଣ କରିବାକୁ ଏବଂ ଦେଶପ୍ରେମ ଏବଂ ଜାତୀୟ ଅଖଣ୍ଡତାର ମୂଲ୍ୟବୋଧକୁ ବଜାୟ ରଖିବାକୁ ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାଏକ ପରିଚାଳନା କରିଥିଲେ।


