ଡକାୟତ ଗ୍ୟାଙ୍ଗର ୭ଜଣଙ୍କୁ ଗିରଫ କଲା ପଟ୍ଟାମୁଣ୍ଡାଇ ପୋଲିସ: ୨୫ ଲକ୍ଷର ସୁନାଗହଣା ଜବତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନରେ ଡକାୟତି ଯୋଜନା କରୁଥିବା ୭ଜଣ ଡକାୟତଙ୍କୁ ପୋଲିସ ଗିରଫ କରିଥିବା ବେଳେ ୨ଜଣ ଫେରାର ହୋଇଯାଇଛନ୍ତି। ଏନେଇ କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟ୍ଟାରିଆ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ଜଜାଙ୍ଗସ୍ଥିତ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଯେ ଡକାୟତି ଯୋଜନା କରୁଥିବା ବେଳେ ଏହି ଜିଲ୍ଲାର ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାଧିକାରୀ ୭ଜଣ ଡକାୟତଙ୍କୁ ଗିରଫ କରିଛନ୍ତି। ଗିରଫ ଡକାୟତମାନେ ହେଉଛନ୍ତି ସଞ୍ଜୟ କୁମାର ମଲ୍ଲିକ ଓରଫ ଡାମରା କାଳିଆ, କିରଣ ସେଠୀ ଓରଫ ସିପୁଆ, ମାନସ କୁମାର ନାୟକ, ରଞ୍ଜିତ ମଲ୍ଲ ଓରଫ ବାବୁ, ତ୍ରିଲୋଚନ ସାହୁ ଓରଫ ହାବୁଆ, ସୁବ୍ରତ ମଲ୍ଲିକ ଓରଫ ସାଗର ଓ ବିଶ୍ୱପ୍ରକାଶ ସିଂହ ଓରଫ ବୁବୁ। ଏହି ଗ୍ୟାଙ୍ଗରେ ସାମିଲ ଥିବା ମେଙ୍କ ମଲ୍ଲିକ ଓ ବଣ୍ଟି ମଲ୍ଲିକ ଘଟଣା ସ୍ଥଳରୁ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲେ। ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି। ଡମରା କାଳିଆ ନାମରେ ୫ଟି ମାମଲା ରହିଥିବା ବେଳେ କିରଣ ସେଠୀ ନାମରେ ୧୧ରୁ ଅଧିକ ମାମଲା ରହିଛି। ସେହିପରି ଅନ୍ୟ ଅପରାଧୀମାନଙ୍କ ନାମରେ ମଧ୍ୟ ବିଭିନ୍ନ ମାମଲା ରହିଛି। ସେମାନଙ୍କ ଠାରୁ୧୯୨ ଗ୍ରାମ ଓଜନର ସୁନାଗହଣା ଜବତ କରାଯାଇଛି। ଯାହାର ବଜାର ମୂଲ୍ୟ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ହେବ। ସେହିପରି ଡକାୟତମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି ସହ ଦୁଇଟି ଲୁହାର ଖଣ୍ଡା, ୩ଟି ବାଇକ, ୭ଟି ମୋବାଇଲ ଫୋନ, ଦୁଇ ପ୍ୟାକେଟ୍ ଲଙ୍କା ଗୁଣ୍ଡ, ଏକ ଲୁହା ରଡ୍‌, ଗୋଟିଏ ଛୁରୀ ଜବତ କରାଯାଇଛି। ଏସ୍‌ପି କହିଛନ୍ତି ଗତ ସୋମବାର ରାତି ସାଢେ ୧୧ଟାରେ ଏହି ଡକାୟତମାନେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ମୂଳବସନ୍ତ ଏନ୍‌ସି ହାଇସ୍କୁଲ ପଡିଆରେ ବସି ଡକାୟତି ପାଇଁ ଯୋଜନା କରୁଥିଲେ। ଏ ସଂପର୍କରେ ଏକ ବିଶେଷ ସୂତ୍ରରୁ ଖବର ପାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ ବନ୍ଦନା ପାତ୍ର ଅନ୍ୟ ପୋଲିସ ଅଧିକାରୀ ଓ ପୋଲିସ ଫୋର୍ସଙ୍କ ସହ ସେଠାରେ ଚଢାଉ କରିଥିଲେ। ଚଢାଉ ବେଳେ ୭ଜଣ ଡକାୟତ ଧରାପଡିଥିବା ବେଳେ ୨ ଜଣ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇ ଯାଇଥିଲେ। ପୂର୍ବରୁ ସେମାନେ ଏକାଧିକ ଡକାୟତି ଘଟଣାରେ ସଂପୃକ୍ତ ରହି ଲୋକଙ୍କ ଠାରୁ ସୁନାଗହଣା ଲୁଟ୍ କରିଥିଲେ। ଯେଉଁ ଲୋକମାନେ ଡକାୟତଙ୍କ ଶିକାର ହୋଇଛନ୍ତି ସେମାନେ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଆସି ନିଜ ନିଜର ସୁନାଗହଣା ଉପଯୁକ୍ତ ପ୍ରମାଣ ଦେଇ ନେଇ ପାରିବେ ବୋଲି ଏସ୍‌ପି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ