ଜନଜାତି ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ମାମଲା: ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ ଆହ୍ୱାନ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଉରୁମୁଣ୍ଡା ଗ୍ରାମର ୮ ବର୍ଷର ଦିବ୍ୟାଙ୍ଗ ଜନଜାତି ନାବାଳିକାକୁ ଆସିଫ ଅନବର ଖାନ ନାମକ ଫେରିବାଲା ଶନିବାର ଅପରାହ୍ନରେ ବାରମ୍ବାର ଦୁଷ୍କର୍ମ କରି କ୍ଷତାକ୍ତ କରି ଦେଇଥିବା ଯୋଗୁ ପିଡିତା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗ ସହିତ କେନ୍ଦୁଝରରେ ବଢୁଥିବା ଅନୁପ୍ରବେଶକାରୀଙ୍କ ଅସାମାଜିକ କାର୍ଯ୍ୟକଳାପ ଦିନକୁଦିନ ବୃଦ୍ଧିପାଇବାରେ ଲାଗିଛି। କେନ୍ଦୁଝରରେ ମହିଳାଙ୍କ ଉପରେ ଏହି ଅସାମାଜିକ ବ୍ୟକ୍ତି ମାନେ ଲୋଲୁପ ଦୃଷ୍ଟି ପକାଇ ସେମାନଙ୍କୁ ଅପହରଣ ଦୁଷ୍କର୍ମ ଏବଂ ହତ୍ୟାର ଅନେକ ଘଟଣା ଘଟି ଚାଲିଟିଯିବା ବେଳେ କିଛି ଲୋକ ଲୋଚନକୁ ଆସୁଥିବା ବେଳେ ଅନେକ ଲୋକଙ୍କ ନଜରରୁ ଦୂରେଇ ରହୁଛି। ଏ ବିଷୟରେ କେନ୍ଦୁଝର ଜିଲା ପ୍ରଶାସନ ଓ ପୋଲିସ କୁ ପୂର୍ବରୁ ଜଣାଇଥିଲେ ମଧ୍ୟ ସେମାନଙ୍କୁ ଚିହ୍ନଟ କରି କେନ୍ଦୁଝରରୁ ବିଦା କରିବା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏଥିପାଇଁ ବିଶ୍ବହିନ୍ଦୁ ପରିଷଦ କେନ୍ଦୁଝର ଜିଲା ପକ୍ଷରୁ ଆଜି କେନ୍ଦୁଝର ଜିଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିବା ସହିତ ମଙ୍ଗଳବାର ସକାଳ ୬ ଟା ରୁ ୧୨ ଘଣ୍ଟିଆ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଜିଲା ବନ୍ଦର ଡାକରା ଦିଆଯାଇଛି । ଏହାକୁ ସମସ୍ତ ହିନ୍ଦୁ ସଂଗଠନ ଓ ହିନ୍ଦୁ ଭାଇ ଭଉଣୀ ମାନେ ସହଯୋଗ ଓ ସମର୍ଥନ କରିବା ପାଇଁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ନିବେଦନ କରାଯାଉଛି।


