ଏକାଧିକ ମଣ୍ଡିରେ ଗୋଦାମ ଘର ନାହିଁ :ମିଲରଙ୍କ ଭରସାରେ ହେବ ଧାନ କିଣା

କାକଟପୁର /ଅସ୍ତରଙ୍ଗ :(ସୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲାରେ ଆସନ୍ତା ଜାନୁୟାରୀ ମାସରୁ ଧାନ ମଣ୍ଡି ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ରେ ଚାଷୀଙ୍କ ଠାରୁ କୁଇଣ୍ଟାଲ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରହିଛି। ଅଥଚ ଚାଷୀଙ୍କ ଧାନ ସୁରକ୍ଷିତ ଭାବେ ରଖିବାକୁ ମଣ୍ଡିରେ ଗୋଦାମ ଘର ନାହିଁ। ପୁରୀ ଜିଲ୍ଲା କାକଟପୁର ବ୍ଲକରେ ୧୫ଗୋଟି ପ୍ୟାକ୍ସ ରୁ କେବଳ ସୁହାଗପୁର ରେ ଗୋଦାମ ଗୃହ ଥିବା ବେଳେ ଅସ୍ତରଙ୍ଗ ବ୍ଲକ ଅଂଚଳରେ ୧୦ଟି ପ୍ୟାକ୍ସ ମଧ୍ୟରୁ କେବଳ କେନ୍ଦ୍ରାପଟି ରେ ଗୋଦାମ ଗୃହ ଅଛି। ଯେଉଁଠି ଗୋଦାମ ନାହିଁ ସେଠି ଖୋଲା ଜାଗାରେ ଅସ୍ଥାୟୀ ବ୍ୟବସ୍ଥା କରିବାକୁ ବିଭାଗ ଅଧିକାରୀ ତରଫରୁ ନିର୍ଦ୍ଧେଶ ଦିଆଯାଇଛି। କାକଟପୁର ବ୍ଲକ ଅଂଚଳରେ ଗୋଟିଏ ଗୋଦାମ ଗୃହ ଓ ଅସ୍ତରଙ୍ଗ ବ୍ଲକ ଅଂଚଳରେ ଗୋଟିଏ ଗୋଦାମ ଗୃହ ରହିଛି। ଯାହାକି ଧାନ କିଣା ମିଲରଙ୍କ ଭରସାରେ ଚାଲିବ ବୋଲି ଅଭିଯୋଗ କରିଛନ୍ତି ଚାଷୀ। ଧାନ ରଖିବା ପାଇଁ ମଣ୍ଡିରେ ଜାଗା ନଥିବାରୁ ମିଲର ଚାହିଁଲେ ମଣ୍ଡି ଖୋଲିବ ଓ ବନ୍ଦ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ବ୍ୟବସ୍ଥିତ ଢଙ୍ଗରେ ଧାନ କିଣା ବିକା ପାଇଁ ମଣ୍ଡି ସୁବିଧା କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଧେଶ ଦେଇଛନ୍ତି। କେବଳ ନିଦ୍ଧିଷ୍ଟ କେତେକ ମଣ୍ଡିରେ ଏହି ସୁବିଧା ଦେଖିବାକୁ ମିଳୁଛି। ଅବଶିଷ୍ଟ ମଣ୍ଡିରେ ଆବଶ୍ୟକ ସୁବିଧା ଓ ଉପକରଣ ନଥିବା ଅଭିଯୋଗ ଉଠୁଛି। ସେଥିପାଇଁ ଚାଷୀଙ୍କ ଧାନ ମଣ୍ଡିକୁ ନଯାଇ ସିଧାସଳଖ ମିଲକୁ ଯାଉଛି। ଯାହାର ଫାଇଦା ଉଠାଉଛନ୍ତି ମିଲର। ଚାଷୀ ଆଣିଥିବା ଧାନରୁ ମନଇଚ୍ଛା କାଣ୍ଟଛାଣ୍ଟ କରୁଛନ୍ତି। ବିନା ଶୋଷଣରେ ଚାଷୀଙ୍କୁ ଧାନର ଏମଏସପି ପ୍ରଦାନ ସରକାରଙ୍କ ଲକ୍ଷ୍ୟ ଥିଲେ ବି ଚାଷୀ ଏଥିରୁ ବଂଚିତ ହେଉଛି। ମିଲର ମାନେ ମଣ୍ଡିରୁ ହିଁ ଧାନ ଉଠାଇବେ। ଯେଉଁଠି ଗୋଦାମ ନାହିଁ ସେଠାରେ ଖୋଲା ପଡିଆ କିମ୍ବା ଖଳାରେ ଟେଣ୍ଟ କରି ଧାନ ସଂରକ୍ଷିତ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ଜିଲ୍ଲାପାଳ। ବାର୍ଷିକ କୋଟି କୋଟି ଟଙ୍କା ପାଉଥିବା ସତ୍ୱେ ନିଜ ପ୍ୟାକ୍ସ ଅଫିସ କରିବା ଓ ଆବଶ୍ୟକ ଉପକରଣ କିଣିବା ଦିଗରେ ସମବାୟ ବିଭାଗର ପଦକ୍ଷେପ ଶୂନ। ଚାଷୀଙ୍କ ଧାନ ରଖିବାକୁ ମଣ୍ଡିରେ ପିଣ୍ଡି ନାହିଁ କି ଗୋଦାମ ଘର ନାହିଁ। ଯେଉଁ ମଣ୍ଡିରେ ଗୋଦାମ ଘର ନାହିଁ ସେଠାରେ ଅସ୍ଥାୟୀ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଧେଶ ରହିଛି। ଏଥିପାଇଁ ବିଡ଼ିଓ ମାନଙ୍କୁ ଦାୟିତ୍ୱ ଦିଆଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ