ପୋଲସରାରେ କିଶୋର ଓ କିଶୋରୀଙ୍କ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ
ପୋଲସରା (ଅନୀଲ କୁମାର ମହାରଣା): ପୋଲସରାରେ ପ୍ରକଳ୍ପ ସ୍ତରୀୟ କିଶୋର କିଶୋରୀମାନଙ୍କର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଡିସେମ୍ବର ୧୨ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ପୋଲସରା ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଡିପିଓ ତିଳୋତ୍ତମା ରାଉତ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥିଭାବେ ପୋଲସରା ପୋଲିସ ଥାନା ସେକେଣ୍ଡ ଅଫିସର କଳ୍ପନା ପ୍ରଧାନ, ସ୍ବାସ୍ଥ୍ୟକେନ୍ଦ୍ର ଆୟୁଷ ଡାକ୍ତର ସୁଭ୍ରମୟୀ ପାଢୀ ଓ ବିଇଓଙ୍କ ପ୍ରତିନିଧି ଶିକ୍ଷକ ନିରଞ୍ଜନ ବେହେରା ଯୋଗଦେଇଥିଲେ। ମୁଖ୍ୟଅତିଥି ବିଡ଼ିଓ ଶ୍ରୀ ମହାପାତ୍ର କିଶୋର ଓ କିଶୋରୀ ବୃନ୍ଦଙ୍କୁ ଶିକ୍ଷଣିୟ ଉପଦେଶ ଦେବା ସହିତ ନିର୍ଭିକ ଓ ଚରିତ୍ରବାନ୍ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ଅତିଥି ବୃନ୍ଦ ମଧ୍ୟ ଦିଗଦର୍ଶନ ଦେଇଥିଲେ। ବ୍ଳକର ସମସ୍ତ ଅଞ୍ଚଳରୁ କିଶୋର ଓ କିଶୋରୀ ବୃନ୍ଦ ଯୋଗଦେଇ ସଂଗୀତ, ବକୃତା, ନୃତ୍ୟ, ଚିତ୍ରାଙ୍କନ, ରଚନା ପ୍ରଭୃତି ବିଷୟର ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି କୃତିତ୍ୱ ହାସଲକରିଥିବା ୧୮ ଜଣ ପ୍ରତିଯୋଗୀଙ୍କୁ ଅତିଥିମାନେ ପ୍ରଶଂସାପତ୍ର ସହିତ ଟ୍ରଫି ପ୍ରଦାନ କରିଥିଲେ। ସଭାକାର୍ଯ୍ୟକୁ ସମସ୍ତ ପରିଦର୍ଶିକା ବୃନ୍ଦ ପରିଚାଳନା କରିଥିବା ବେଳେ ସମସ୍ତ ଅଙ୍ଗନୱାଡି କର୍ମୀ ବୃନ୍ଦ ସହଯୋଗ କରିଥିଲେ। ଶେଷରେ ସିଡ଼ିପିଓ ଧନ୍ୟବାଦ୍ ଅର୍ପଣ କରିଥିଲେ।


