ବି.ଇଡ଼ି ସ୍ପେସାଲ୍ ଏବଂ ବି.ଇଡ଼ି ଜେନେରାଲ୍ ଯୋଗ୍ୟତା ସମାନ : ହାଇକୋର୍ଟ
କଟକ, (ଓ୍ବାଇଏନଏସ) : ବିଏଡ୍ ସ୍ପେସାଲ୍ ଓ ବିଏଡ୍ ଜେନେରାଲ୍ ଶିକ୍ଷାଗତ ଯୋଗ୍ୟତା ସମାନ। ଟିଜିଟି (ଟ୍ରେନ୍ଡ ଗ୍ରାଜୁଏଟ୍ ଟିଚର୍) ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ବିଏଡ୍ ଜେନେରାଲ୍ ଧାର୍ଯ୍ୟ କରାଯାଇଥିଲା ବେଳେ ଉକ୍ତ ପଦରେ ଜଣେ ବିଏଡ୍ ସ୍ପେସାଲ୍ ଡିଗ୍ରୀଧାରୀ ମଧ୍ୟ ନିଯୁକ୍ତି ପାଇପାରିବେ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ମହେଶ୍ୱର ସାହୁଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଡି.କେ. ଶ୍ରୀପଦ ଏହି ଆଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆବେଦନକାରୀଙ୍କୁ ୮ ସପ୍ତାହ ମଧ୍ୟରେ ନିଯୁକ୍ତି ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଟିଜିଟି(କଳା)ଶିକ୍ଷକ ପଦ ଲାଗି ଚୟନ ହୋଇଥିଲେ ମଧ୍ୟ ତାଙ୍କର ବିଏଡ୍ ସ୍ପେସାଲ୍ ଶିକ୍ଷାଗତ ଯୋଗ୍ୟତା ଥିବାରୁ ତାଙ୍କୁ ଏହି ପଦରେ ନିଯୁକ୍ତି ମିଳିନଥିଲା। ନିୟମ ଅନୁଯାୟୀ, ଜଣେ ଟିଜିଟି ଶିକ୍ଷକ ପଦରେ ନିଯୁକ୍ତି ହେବାକୁ ହେଲେ ତାଙ୍କୁ ବିଏଡ୍ ଜେନେରାଲ୍ ଶିକ୍ଷାଗତ ଯୋଗ୍ୟତା ହାସଲ କରିବାକୁ ପଡ଼ିବ । ଫଳରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀଙ୍କ ନିଯୁକ୍ତିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଥିଲା । ଏହି ପଦ ପାଇଁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ନାହିଁ । ତେଣୁ ଆବେଦନକାରୀଙ୍କୁ ନିଯୁକ୍ତି ଦିଆଯାଇ ପାରିବନାହିଁ ବୋଲି ଅଦାଲତଙ୍କୁ ଅବଗତ କରାଯାଇଥିଲା । କିନ୍ତୁ ଏହାକୁ ଆବେଦନକାରୀଙ୍କ ପକ୍ଷରୁ ବିରୋଧ କରାଯାଇଥିଲା । ଏ ନିୟମ ଅନୁଯାୟୀ ଉଭୟ ବିଏଡ୍ ସ୍ପେସାଲ୍ ଓ ବିଏଡ୍ ଜେନେରାଲ୍ ଶିକ୍ଷାଗତ ଯୋଗ୍ୟତା ସମାନ । ତେଣୁ ରାଜ୍ୟ ସରକାରଙ୍କ ଯୁକ୍ତି ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି । ଅପରପକ୍ଷରେ ଆବେଦନକାରୀ ଜଣେ ଭିନ୍ନକ୍ଷମ ବ୍ୟକ୍ତି । ତାଙ୍କର ଦୃଷ୍ଟିଶକ୍ତି ନେଇ ସମସ୍ୟା ରହିଛି । ଏହି ଦୃଷ୍ଟିରୁ ଦେଖିଲେ ଭିନ୍ନକ୍ଷମଙ୍କ ଲାଗି ଟିଜିଟି ପଦରେ ୩୩ଟି ପଦ ସଂରକ୍ଷିତ ରହିଛି । ଏଥିରୁ ୨୬ଟି ପଦ ପୂରଣ କରାଯାଇଛି । ଆହୁରି ୭ଟି ପଦ ଫାଙ୍କା ରହିଛି । ତେଣୁ ରାଜ୍ୟ ସରକାର ଆବେଦନକାରୀଙ୍କୁ ଭିନ୍ନକ୍ଷମ ହିସାବରେ ମଧ୍ୟ ଗ୍ରହଣ କରି ସେହି ପଦରେ ନିଯୁକ୍ତି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


