ସୁନାଘାଇରେ ବଢୁଛି ପର୍ଯ୍ୟଟକଙ୍କ ଭିଡ
ହାଟଡିହି (ଓ୍ବାଇଏନଏସ): ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ପାଇଁ କେନ୍ଦୁଝର ଜିଲ୍ଲାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ବିଶେଷ କରି ହାଟଡିହି ବ୍ଲକର ବଉଳା ପାହାଡ ପାଦଦେଶରେ ଥିବା ପ୍ରାକୃତିକ ଶୋଭା ରାଜିରେ ପରିପୂର୍ଣ୍ଣ ସ୍ଥାନ ଗୁଡ଼ିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ବଣ ଜଙ୍ଗଲ ଘେରା ପର୍ଯ୍ୟଟନସ୍ଥଳ ଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। ଏଠାରେ ଥିବା ହଦଗଡ଼, ଗଡ଼ଚଣ୍ଡୀ, ସୁନାଘାଇ, ରାମଚଣ୍ଡୀ , ସିଦ୍ଧଗୁମ୍ଫା, ବାହିଆ ଡ୍ୟାମ ପ୍ରଭୃତି ସ୍ଥାନରେ ବଣଭୋଜିର ମାହୋଲ ଦେଖିବାକୁ ମିଳିଛି। ବିଶେଷ କରି ଲୋକ ଲୋଚନରୁ ଦୂରରେ ଥିବା ସୁନାଘାଇ ଡ୍ୟାମ୍ ନିକଟକୁ ଏବେ ସ୍ଥାନୀୟ ଲୋକେ ଓ ଜିଲ୍ଲା ବାହାର ପର୍ଯ୍ୟଟକମାନେ ବଣଭୋଜି କରିବାକୁ ଭିଡ଼ ଜମାଉଛନ୍ତି। ଗୋଟିଏ ପଟେ ପ୍ରସିଦ୍ଧ ଗଡଚଣ୍ଡି ପୀଠ ଅନ୍ୟ ପଟେ ରାମଚଣ୍ଡୀ ଓ ନିକଟରେ ସୁନାଘାଇ ଡ୍ୟାମର ବିସ୍ତୀର୍ଣ୍ଣ ଜଳରାଶି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଏଠାରେ ପୁରୁଣା କୀର୍ତ୍ତିରାଜି ସ୍ୱରୂପ ତତ୍କାଳୀନ ସିଙ୍ଗିଡି ରଜାଙ୍କ ମୁଖଶାଳା ସ୍ୱରୂପ ଦୁଇ ପାହାଡର ଦ୍ୱାରଦେଶ ପ୍ରତୀୟମାନ ହୋଇ ରହିଛି। ଆନନ୍ଦପୁର ଭଦ୍ରକ ରାସ୍ତାର ଛେନାପଦି ଛକରୁ ୪କିଲୋମିଟର ଦୂର ପୋଡ଼ାସିଙ୍ଗିଡି ରୁ ଦୁଇ କିଲୋମିଟର ଭିତରକୁ ଗଲେ ପଡ଼ିବ ଏହି ସୁନଘାଇ ଡ୍ୟାମ। ଡ୍ୟାମ ପର୍ଯ୍ୟନ୍ତ ପିଚୁ ରାସ୍ତା ଲମ୍ବି ଯାଇଥିବା ବେଳେ ଏହା ବଣ ଭୋଜି ପାଇଁ ପ୍ରକୃଷ୍ଠ ସ୍ଥାନ ହୋଇଥିବା ବେଳେ କେବଳ ପାନୀୟ ଜଳର ସୁବିଧା ନଥିବା ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକ ମାନଙ୍କ ପାଇଁ ଏଠାରେ କିଛି ସୁବିଧା କରାଗଲେ ଏହା ଅନ୍ୟ ପର୍ଯ୍ୟଟନ ସ୍ଥଳୀ ଗୁଡିକ ସହ ସମକକ୍ଷ ହୋଇ ପାରନ୍ତା ବୋଲି ପର୍ଯ୍ୟଟକ ମାନେ ମତବ୍ୟକ୍ତ କରିଛନ୍ତି।


