ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ପ୍ରସାରଣ ପାଇଁ ସମସ୍ୟା ସାଜିଛି ଜମି ଚିହ୍ନଟ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବ୍ଲକର ୧୫ଗୋଟି ପଂଚାୟତର ହଜାର ହଜାର ଜନ ସାଧାରଣ ନିର୍ଭର କରିଥାନ୍ତି। କିନ୍ତୁ ପୂର୍ବ ସରକାର ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ରର ସମ୍ପ୍ରସାରଣ ପାଇଁ ଅସ୍ତରଙ୍ଗ ରୁ ନୂଆଗଡ ରାସ୍ତା ପାର୍ଶ୍ୱରେ ଜମି ସ୍ଥିର କରାଯାଇଥିଲା। କୌଣସି କାରଣ ବଶତଃ ସମସ୍ୟା ଉପୁଜିବାରୁ ଏହା ବନ୍ଦ ରହିଥିଲା। ଯାହା ଫଳରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମ୍ପ୍ରସାରଣ ପାଇଁ ଜମି ମିଳୁନାହିଁ। ଫଳରେ ପାଖାପାଖି ୩ବର୍ଷରୁ ଉର୍ଦ୍ଧ ହେବ ଏହି ପ୍ରକଳ୍ପ ଅଟକି ରହିଛି। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ମଂଜୁର କରାଯାଇଛି। କିନ୍ତୁ ଅନୁଦାନ ମଂଜୁର ସତ୍ୱେ ଜମି ମିଳୁନଥିବା ଯୋଗୁଁ ଏହି ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ଫଳରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ୧୫ ଗୋଟି ପଂଚାୟତର ହଜାର ହଜାର ଲୋକ ବିଭିନ୍ନ ପ୍ରକାର ଉର୍ନ୍ନତ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।
ସୂଚନା ମୁତାବକ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ସମୟରେ ଲୋକ ସଂଖ୍ୟା ୫୦ହଜାର ରୁ ୬୦ହଜାର ମଧ୍ୟରେ ରହିଥିଲା। ବର୍ତମାନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଅଂଚଳର ଲୋକ ସଂଖ୍ୟା ୩ଗୁଣ ବଢିଛି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ବିଭାଗ ଖୋଲିବା ସହ ସମ୍ପ୍ରସାରଣ ପାଇଁ ଆବଶ୍ୟକତା ରହିଛି। ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଅସ୍ତରଙ୍ଗ ତହସିଲ ଅଧୀନ ନୂଆଗଡ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଜମି ଚିହ୍ନଟ ହୋଇଥିଲା। ପୂର୍ତ୍ତ ବିଭାଗ କର୍ମଚାରୀ ଓ ମେଡିକାଲ ଟେକ୍ନିକାଲ ଟିମ୍ ସ୍ଥିତି ଅନୁଧ୍ୟାନ କରି ମାପ ଚୁପ କରିଥିଲେ। ଯାହାକି କୌଣସି କାରଣ ବଶତଃ ସେ ସ୍ଥାନକୁ ବାତିଲ କରାଗଲା। ଯାହା ଫଳରେ ଜମି ମିଳୁ ନଥିବାରୁ ବର୍ତମାନ ଏହି ପ୍ରକଳ୍ପ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି।ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ତମାନ ମାତ୍ର ୧୦ ଗୋଟି ଶଯ୍ୟା ସହ ଖୁବ କମ୍ ସଂଖ୍ୟକ ବିଭାଗ ରହିଛି। ଅନେକ ବିଭାଗ ରେ ଡକ୍ଟର ନାହାନ୍ତି। ଯାହା ସ୍ଥାନୀୟ ଲୋକ ଚିକିତ୍ସା ସେବା ଆବଶ୍ୟକତାକୁ ପୂରଣ କରି ପାରୁନାହିଁ। ଏହା ସହ ମେଡିକାଲ ରହୁଥିବା କର୍ମଚାରୀ ଙ୍କ ଆବଶ୍ୟକ ମୁତାବକ ଗୃହ ନାହିଁ। ଏହା ସହ ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ପର୍ଯ୍ୟଟନ ସ୍ଥଳୀ ପୀରଜାହାନିଆ ଓ ଗଙ୍ଗାଦେଵୀ ପୀଠ ରହିଥିବାରୁ ରାଜ୍ୟର କୋଣ ଅନୁକୋଣ ପର୍ଯ୍ୟଟକ ଆସୁଛନ୍ତି। କିନ୍ତୁ ଅନେକ ସମୟରେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି କିମ୍ବା ବେଳାଭୂମି ରେ ସ୍ନାନ ସମୟରେ ବୁଡ଼ିଯାଇ ମୃତ୍ୟୁ ସହ ସଂଗ୍ରାମ ଲାଗି ରହିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭିଡ଼ ରହିଥାଏ। କିନ୍ତୁ ଆବଶ୍ୟକ ମୁତାବକ ବ୍ୟବସ୍ଥା ନଥିବାରୁ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାଂତର କରିବାକୁ ପଡିଥାଏ। ଫଳରେ ବ୍ୟକ୍ତି ଅଥବା ରୋଗୀ ଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଛି। ବର୍ତମାନ ଆବଶ୍ୟକତାକୁ ଦେଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହାର ସମ୍ପ୍ରସାରଣ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅସ୍ତରଙ୍ଗ ତହସିଲଦାର ଙ୍କୁ ତୁରନ୍ତ ୩ରୁ ୪ଏକର ଜମି ଯୋଗାଇ ଦେବା ପାଇଁ ଚିଠି ମାଧ୍ୟ୍ୟମରେ ଅବଗତ କରାଯାଇଛି। ଜମି ଚିହ୍ନଟ ହେଲେ ଟେକ୍ନିକାଲ ଟିମ୍ ସ୍ଥିତି ଅନୁଧ୍ୟାନ କରିବେ। ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଯୋଗାଇ ଦେଇଛନ୍ତି। କିନ୍ତୁ ବର୍ତମାନ ସୁଦ୍ଧା ଜମି ମିଳି ନଥିବାରୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାଗ୍ୟ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି। ଏ ନେଇ ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି କହିଛନ୍ତି, ୨ରୁ ୩ଦିନ ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ପ୍ରସାରଣ ପାଇଁ ଜମି ଯୋଗାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ